ଆଜି ତୃତୀୟ ପର୍ଯ୍ୟାୟ ମତଦାନ, ୯୩ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ

ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି ମତଦାନ । ୧୦ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେଉଛି । ମତାଧିକାର ମାଧ୍ୟମରେ ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୭ କୋଟିରୁ ଅଧିକ ଭୋଟର୍ ।

Election

ଭୋଟ ଦେଉଛି ଭାରତ । ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି ମତଦାନ । ୧୦ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେଉଛି । ମତାଧିକାର ମାଧ୍ୟମରେ ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୭ କୋଟିରୁ ଅଧିକ ଭୋଟର୍ । ଏଥିପାଇଁ ୧ଲକ୍ଷ ୮୫ ହଜାର ବୁଥ୍ ହୋଇଛି ।

ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ, ଏହା ପୂର୍ବରୁ ମକ୍ ପୋଲିଂ ହୋଇଥିଲା । ଆଜି ତୃତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଗୋଆ ଏବଂ ଦାଦ୍ରା ନଗର ହାଭେଳି ଓ ଦାମନ ଡିଉ ପାଇଁ ଭୋଟ ଗ୍ରହଣ ଚାଲିଛି ।

ତୃତୀୟ ପର୍ଯ୍ୟାୟରେ ଗୁଜରାଟର ୨୬ରୁ ୨୫ ଲୋକସଭା ଆସନରେ ନିଆଯାଉଛି ଭୋଟ । ସୁରତ ସିଟରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେବାରୁ ବିଜେପିର ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ମଧ୍ୟପ୍ରଦେଶର ୮, ଛତିଶଗଡ଼ ୭, ବିହାର ୫ ଏବଂ ଆସାମ ଓ ପଶ୍ଚିମବଙ୍ଗର ୪ଟି ଲେଖାଏଁ ସିଟରେ ଭୋଟିଂ ହେଉଛି ।

ଅଧିକ ପଢ଼ନ୍ତୁ: ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ, ଭୋଟ୍ ଦେଇ ସାବ୍ୟସ୍ତ କଲେ ମତାଧିକାର

ସେହିପରି ଗୋଆର ୨ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନଗର ହାଭେଳି ଓ ଦାମନ ଡିଉର ୨ଟି ସିଟରେ ହେଉଛି ମତଦାନ । ଏହି ପର୍ଯ୍ୟାୟରେ ହେବାକୁ ଥିବା ଜାମ୍ମୁ ଓ କାଶ୍ମୀରର ଗୋଟିଏ ଆସନ ପାଇଁ ମତଦାନ ପରବର୍ତ୍ତୀ ପର୍ଯ୍ୟାୟକୁ ଘୁଞ୍ଚାଇ ଦିଆଯାଇଛି । ସେପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବାଜିରେ ଲାଗିଛି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ।

ବିଭିନ୍ନ ଦଳର ବହୁ ଟାଣୁଆ ନେତାଙ୍କର ଚାଲିଛି ଭାଗ୍ୟ ପରୀକ୍ଷା । କିଛି କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି ଓ ଅନ୍ୟ ବିରୋଧୀ ଦଳର ନାମୀଦାମୀ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏମାନଙ୍କ ଭିତରେ ଅଛନ୍ତି ଗୁଜରାଟ ଗାନ୍ଧିନଗରରୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ପୋରବନ୍ଦରରୁ ମନସୁଖ ମାଣ୍ଡଭୀୟ, ମଧ୍ୟପ୍ରଦେଶର ଗୁନାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, କର୍ଣ୍ଣାଟକ ଧରୱାଡରୁ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।

ବିଦିଶାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ପଶ୍ଚିମବଙ୍ଗର ବହରମପୁରରୁ ଭାଗ୍ୟ ପରୀକ୍ଷା କରାଇବେ କଂଗ୍ରେସ ହେଭିୱେଟ ଅଧୀର ରଞ୍ଜନ ଚୌଧୁରୀ । ତାଙ୍କ ବିପକ୍ଷରେ ଟିଏମସିରୁ ପ୍ରାର୍ଥୀ ହୋଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ୟୁସୁଫ ପଠାନ୍ । ମଧ୍ୟପ୍ରଦେଶର ରାଜଗଡ଼ରୁ ଦିଗବିଜୟ ସିଂ, ମହାରାଷ୍ଟ୍ରର ବାରାମତୀରୁ ଏନସିପି ନେତ୍ରୀ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ମୈଦାନକୁ ଓହ୍ଲାଇଛନ୍ତି ।

ସୁପ୍ରିୟା ସୁଲେଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି ଅଜିତ ପାୱାରଙ୍କ ପତ୍ନୀ ତଥା ସୁପ୍ରିୟାଙ୍କ ଭାଉଜ ସୁନେତ୍ର ପାୱାର । ଅନ୍ୟପଟେ ଉତ୍ତରପ୍ରଦେଶ ମୈନପୁରୀରୁ ସମାଜବାଦୀ ପାର୍ଟି ନେତ୍ରୀ ଡିମ୍ପଲ ଯାଦବଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସେହିପରି ହାଇଦ୍ରବାଦ ଲୋକସଭା ଆସନରେ ବି ବିଗ୍ ଫାଇଟ୍ ଦେଖିବାକୁ ମିଳିପାରେ । ମୈଦାନରେ ବିଜେପିର ମାଧବୀଲତା ଓ AIMIM ମୁଖ୍ୟ ତଥା ୪ ଥର ସାଂସଦ ଅସଦୁଦ୍ଦିନ ଓୱେସୀ ।