ଦୋହଲିଲା ଗଞ୍ଜାମ ବିଜେଡି ! ବିପର୍ଯ୍ୟୟର ଗୁମର ଖୋଲିଲେ ଲତିକା। ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଆଉ ଆସ୍କା 'ବିଭୀଷଣ'ଙ୍କ ନାଁରେ ଅଭିଯୋଗ କଲେ । କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଆଜି ବିଜେଡି ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଖୋଲାଖୋଲି କହିଛନ୍ତି ତାଙ୍କ ପରାଜୟ ପାଇଁ ରଞ୍ଜିତା ହିଁ ଷଡ଼ଯନ୍ତ୍ର କରିଥିଲେ । ବିଜେପି ସହ ସାଲିସ୍ କରି ବିଜେଡିର କ୍ଷତି ଘଟାଇଛନ୍ତି । ଏବେ ବି ସେ ବିଜେପି ସଂପର୍କରେ ଅଛନ୍ତି । ରଞ୍ଜିତା ଗୃହ ଶତ୍ରୁ ବିଭୀଷଣର ଭୂମିକା ତୁଲାଇ ଗଞ୍ଜାମ ଗଡ଼ରେ ବିପର୍ଯ୍ୟୟ ଘଟାଇଲେ। ଯେଉଁଥିପାଇଁ ନବୀନଙ୍କ ନିର୍ବାଚନ ମଣ୍ଡଳୀରେ ବି ମାର୍ଜିନ କମିଲା । ଯଦି ରଞ୍ଜିତାଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଲତିକା । ସେପଟେ ରଞ୍ଜିତା ଏହାକୁ ଖଣ୍ଡନ କରିବା ସହ କହିଛନ୍ତି ଦଳ ପରାଜୟ ସମ୍ପର୍କରେ ସମୀକ୍ଷା କରାଯାଉଛି ।
Also Read
ସେପଟେ ବିଜେଡିର ନେତା କିଏ ନବୀନ ନା ପାଣ୍ଡିଆନ୍ ବୋଲି ପ୍ରସନ୍ନ ପାଟ୍ଟଶାଣୀ ଓ ଅମର ଶତପଥୀ ପ୍ରଶ୍ନ ଉଠାଇବା ପରେ ଆଜି ସେନେଇ ବୟାନ ବାଜି ତେଜିଛି । ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ଭିକେ ପାଣ୍ଡିଆନ୍ କେବେ ହେଲେ ଆମର ନେତା ନଥିଲେ । ଆମ ନେତା ନବୀନ । ଯେଉଁମାନେ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଉଛନ୍ତି ସେମାନେ ଦଳ ଛାଡିଲେ କୌଣସି ଫରକ ପଡିବନି । ତେବେ ଗୋଟିଏ ପଟେ ଦଳ ଭିତରେ ଫାଟ ଆଉ ଅନ୍ୟପଟେ ନେତାଙ୍କ ଭିତରେ ବୟାନ ବାଜି, ଏଥିଯୋଗୁଁ ଯେ ଦଳ ଅଧିକ କ୍ଷତିଗ୍ରସ୍ତ ହେଉଛି ସେଥିରେ ସନ୍ଦେହ ନାହିଁ । କ୍ଷମତାରୁ ଯିବା ପରେ ଏବେ ଗୋହି ଖୋଳାଖୋଳି ନିଇତି ଚାଲୁଛି ବିଜେଡିରେ । ଗୋଷ୍ଠୀ କନ୍ଦଳ ନେଇ କିନ୍ତୁ ଦଳ କହିଛି କିଛି ନେତାଙ୍କ ଭିତରେ ମତାନ୍ତର ଥାଇପାରେ ମନାନ୍ତର ନାହିଁ ।
ରାଜଧାନୀରୁ ଆରମ୍ଭ କରି ଉପାନ୍ତ ଯାଏ ୨୪ ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡି କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଆଗକୁ ଏହି କନ୍ଦଳ କି ରୂପ ଧାରଣ କରୁଛି ତା ଉପରେ ନଜର ।