କୁସୁମା କଟେଜ୍ କେଳେଙ୍କାରୀ ପଛର ସତ କ’ଣ, କିଏ ଓ କେଉଁ ଉଦ୍ଦେଶ୍ୟରେ ଗଢ଼ିଥିଲା ୯ ଆଲିସାନ୍ ବଙ୍ଗଳା

ଯାଜପୁରର କୁସୁମା କଟେଜ୍ କେଳେଙ୍କାରୀ ପଛର ସତ କ’ଣ ? କିଏ, କାହିଁକି ଏବଂ କେଉଁ ସ୍ବାର୍ଥପାଇଁ କୁସୁମା ପ୍ରକଳ୍ପ ଭିତରେ ତିଆରି କରିଥିଲା ୯ଟି ଆଲିସାନ୍ କଟେଜ୍ ।

kusuma cottage

ଯାଜପୁର କୁସୁମା ପ୍ରକଳ୍ପ ଭିତରେ ନିର୍ମିତ ଆଲିସାନ୍ ବଙ୍ଗଳା କାହାର ? କେଉଁ ଉଦ୍ଦେଶ୍ୟ ଏବଂ କାହା ନିର୍ଦ୍ଦେଶରେ ତିଆରି ହୋଇଥିଲା ଏଭଳି ବ୍ୟୟବହୁଳ କଟେଜ୍ ? ୧୮ଟି ଭିଭିଆଇପି ସୁଟ୍ ଥିବା ଏ କଟେଜ ସବୁ କ୍ରୀଡ଼ା ବିଭାଗର ବୋଲି ଯାଜପୁର ପୌର ପ୍ରଶାସନ ଜୋର ଦେଇ କହିବାର କେଇ ଘଣ୍ଟା ପରେ କାଲି କ୍ରୀଡ଼ା ବିଭାଗରୁ ଆସିଥିଲା ସ୍ପଷ୍ଟୀକରଣ । ଯେଉଁଥିରେ କୁସୁମା ପୋଖରୀ କ୍ୟାମ୍ପସରେ ନିର୍ମିତ କୋଠା ପାଇଁ ବିଭାଗ ପାଣ୍ଠି ଦେଇନି କି ଏ ସଂପର୍କରେ ବିଭାଗ ନିକଟରେ କୌଣସି ସୂଚନା ନାହିଁ ବୋଲି ସ୍ପଷ୍ଟ କରିବା ପରେ ଆହୁରି ଆହୁରି ବଢ଼ିଛି ଦ୍ବନ୍ଦ୍ବ ।

ଏହା ଭିତରେ ଆଜି ଯାଜପୁର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ସାମ୍ନାକୁ ଆସି ଆଗକୁ କୁସୁମା କଟେଜକୁ ଜିଲ୍ଲା ପ୍ରଶାସନ ହାତକୁ ନେବ ବୋଲି କହିଛନ୍ତି। ଏହାସହ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ, ଏ ପ୍ରକଳ୍ପ ପୌର ପାଳିକା ଜମିରେ ଆଉ ସିଏସ୍ଆର୍ ପାଣ୍ଠିରେ ହିଁ ନିର୍ମାଣ ହୋଇଛି । କଟେଜ୍ ନିର୍ମାଣ ପରେ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ହେବା କଥା, ହେଲେ ଏଥିରେ କିଛି ଗ୍ୟାପ୍ ରହିଛି । ତେବେ ଏ ଗ୍ୟାପ୍ କ’ଣ, ଗ୍ୟାପ୍ ପଛର କାରଣ କ’ଣ, ଗ୍ୟାପ୍ ରଖିଛି କିଏ ଓ କେଉଁ ଉଦ୍ଦେଶ୍ୟରେ ରଖାଯାଇଛି, ସେ ସମ୍ପର୍କରେ କିଛି ବି କହି ନାହାନ୍ତି ଜିଲ୍ଲାପାଳ। ବରଂ ଆଗକୁ ପ୍ରକଳ୍ପର କିଭଳି ସୁପରିଚାଳନା ହେବ, ସେ ନେଇ ମତ ରଖିଛନ୍ତି ଜିଲ୍ଲାପାଳ ।

ଆଗରୁ ବିଜେଡିର ତୃତୀୟ କ୍ଷମତା କେନ୍ଦ୍ର ତଥା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନ ମଣ୍ଡଳୀରେ ୨୦୧୧ରୁ ଆରମ୍ଭ ହୋଇଥିଲା ବହୁ କୋଟି ଟଙ୍କାର କୁସୁମା ପୋଖରୀ ସୌନ୍ଦର୍ଯ୍ୟକରଣ କାମ । ପରେ ମାର୍ଚ୍ଚ ୨୫, ୨୦୧୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା କୁସୁମା ପ୍ରକଳ୍ପ । ତେବେ ତା ଭିତରେ ଦୁଇ ମହଲା ବିଶିଷ୍ଟ ୯ଟି ଆଲିସାନ୍ କଟେଜ୍ ବି ନିର୍ମାଣ ହୋଇଥିଲା । ପରେ ଏ ଆଲିଶାନ ବଙ୍ଗଳାକୁ ସର୍ବସାଧାରଣଙ୍କୁ ବାରଣ କରାଯାଇ କେବଳ ବଡ଼ବଡ଼ିଆଙ୍କ କାମରେ ଲାଗୁଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଏ କଟେଜ କାହାର ଏବଂ ନିର୍ମାଣର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିବାରୁ ୩ ଦିନ ତଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ହେଲେ ଗତକାଲି ଯାଜପୁର ପୌରାଧ୍ୟକ୍ଷ ଓ ପୌର ଉପାଧ୍ୟକ୍ଷ, ଜୋର ଦେଇ ଏହାକୁ କ୍ରୀଡ଼ା ବିଭାଗର ବୋଲି ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ପରେ କିନ୍ତୁ କ୍ରୀଡ଼ା ବିଭାଗ ତା ସ୍ପଷ୍ଟୀକରଣ ରଖିବା ପରେ ଏବେ ଘଟଣାର ତଦନ୍ତ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଏବେ ପ୍ରଶ୍ନ ଉଠୁଛି ବହୁ କୋଟି ଟଙ୍କାରେ କଟେଜ୍ ନିର୍ମାଣ ପାଇଁ CSR ଫଣ୍ଡ ଖର୍ଚ୍ଚ କରିବାକୁ ଅନୁମତି କିଏ ଦେଇଥିଲା ? କାହା ନିର୍ଦ୍ଦେଶରେ କୁସୁମା କଟେଜ ପାଇଁ ଡାଇଭର୍ଟ ହୋଇଥିଲା CSR ପାଣ୍ଠି? CSR ଫଣ୍ଡରେ ହୋଇଥିବାରୁ ଏହା ସର୍ବସାଧାରଣଙ୍କର କେଉଁ ହିତ ସାଧନା କରୁଥିଲା ? ୨୦୨୨ରୁ କାର୍ଯ୍ୟକ୍ଷମ ହୋଇଥିବା ଏ ବଙ୍ଗଳାଗୁଡ଼ିକ ଏଯାଏଁ କାହା ହେପାଜତରେ ଥିଲା ? ଯଦି CSR ଫଣ୍ଡରେ କଟେଜ୍ ହୋଇଥିଲା, ତେବେ ଜିଲ୍ଲା ପ୍ରଶାସନ ଆଜି ଯାଏଁ ନିଜ ଅଧିନକୁ ନେଇନଥିଲା କାହିଁକି ? ଜିଲ୍ଲା ପ୍ରଶାସନ ଏବେ ଏ କଟେଜକୁ ଅଧିନକୁ କାହାଠୁ ନେବ, ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।