Advertisment

ମୋହନ ସରକାରରେ ସାମ୍ବାଦିକ ଉପକୃତ ହେବେ ତ?

କ୍ଷମତାକୁ ଆସିବା କ୍ଷଣି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଚିବାଳୟ (ଲୋକ ସେବା ଭବନ)କୁ ଅନୁପ୍ରବେଶ କଟକଣା ହଟାଇ ସାମ୍ବାଦିକଙ୍କ ସେହି ବିଶ୍ୱାସକୁ ଦୃଢ କରିଥିଲେ। ସାମ୍ବାଦିକ ମହଲରେ ଏହି ଭରସା ସୃଷ୍ଟି ହୋଇଥିଲା ଯେ ଅନ୍ତତଃପକ୍ଷେ ମୋହନ ସରକାର ସେମାନଙ୍କ ସମସ୍ୟା ସମାଧାନ କରିବେ। ହେଲେ…

author-image
Dilip Sabat
ଅଦ୍ୟତନ ହୋଇଛି
Journalist disappointed with odisha budget

Journalist disappointed with odisha budget

ରାଜ୍ୟ ସାମ୍ବାଦିକଙ୍କୁ ନିରାଶ କରିଛି ନୂଆ ସରକାରଙ୍କ ପ୍ରଥମ ବଜେଟ ! ସାମ୍ବାଦିକଙ୍କ ସମସ୍ୟାକୁ ନେଇ ବଜେଟ୍‌ରେ କୌଣସି ବିଷୟ ସ୍ଥାନ ପାଇନାହିଁ। ବର୍ଷ ବର୍ଷ ଧରି ନାନାଦି ସମସ୍ୟାର ସମ୍ମୁଖିନ ହୋଇ ଆସୁଥିବା ସାମ୍ବାଦିକଙ୍କ ଅତୁଟ ବିଶ୍ୱାସ ଥିଲା ଯେ ନୂଆ ସରକାର ସେମାନଙ୍କ କଥା ବୁଝିବେ।

Advertisment

କ୍ଷମତାକୁ ଆସିବା କ୍ଷଣି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଚିବାଳୟ (ଲୋକ ସେବା ଭବନ)କୁ ଅନୁପ୍ରବେଶ କଟକଣା ହଟାଇ ସାମ୍ବାଦିକଙ୍କ ସେହି ବିଶ୍ୱାସକୁ ଦୃଢ କରିଥିଲେ। ସାମ୍ବାଦିକ ମହଲରେ ଏହି ଭରସା ସୃଷ୍ଟି ହୋଇଥିଲା ଯେ ଅନ୍ତତଃପକ୍ଷେ ମୋହନ ସରକାର ସେମାନଙ୍କ ସମସ୍ୟା ସମାଧାନ କରିବେ। ହେଲେ ଗୁରୁବାର ବିଧାନସଭାରେ ଆଗତ ହୋଇଥିବା ନୂଆ ସରକାରଙ୍କ ପ୍ରଥମ ବଜେଟ୍‌ରେ ଏ କ୍ଷେତ୍ରରେ ବିଶେଷ ଗୁରୁତ୍ୱ ଦିଆଯାଇ ନଥିବା ସେମାନଙ୍କୁ ନିରାଶ କରିଛି।

ସାମ୍ବାଦିକଙ୍କ ଦାବି:

ପୂର୍ବ ସରକାରରେ ସାମ୍ବାଦିକମାନେ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାରୁ ରାଜଧାନୀ ଯାଏଁ ପ୍ରତିବାଦ, ବିକ୍ଷୋଭ ଓ ଆନ୍ଦୋଳନ କରି ଆସୁଥିଲେ। ବିଶେଷକରି ସାମ୍ବାଦିକ ସୁରକ୍ଷା ଆଇନ, ବୟୋଜ୍ୟେଷ୍ଠ ସାମ୍ବାଦିକଙ୍କୁ ଭତ୍ତା, ମିଡିଆ ବା ପ୍ରେସ ଏକାଡେମୀ ଗଠନ, ବୀମା ଯୋଜନାରେ ସାମ୍ବାଦିକଙ୍କ ପିତା-ମାତାଙ୍କୁ ସାମିଲ କରିବା ଆଦି ଦାବି ହେଉଥିଲା। ଯେତେବେଳେ ଯେଉଁ ମନ୍ତ୍ରୀ ସୂଚନା ଓ ଲୋକ ସମ୍ପର୍କ ଦାୟିତ୍ୱରେ ରହିଛନ୍ତି ବିଭିନ୍ନ ସଂଘ ତରଫରୁ ଦାବିପତ୍ର ଦିଆଯାଇଛି। ଆଉ ମନ୍ତ୍ରୀଙ୍କ ପକ୍ଷରୁ ମଧ୍ୟ ସମାନ ଉତ୍ତର ଆସିଛି, “ସରକାର ସାମ୍ବାଦିକଙ୍କ ସମସ୍ୟା ସମ୍ବନ୍ଧରେ ଅବଗତ ଅଛନ୍ତି, ଖୁବ ଯଥା ଶୀଘ୍ର ନିଷ୍ପତ୍ତି ନିଆଯିବ!”

Advertisment

ସାମ୍ବାଦିକଙ୍କ ବିକ୍ଷୋଭ:

ତେବେ କୌଣସି ପଦକ୍ଷେପ ନିଆଗଲା ନାହିଁ। ନବୀନ ସରକାର ସମୟରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଥିବା ବିଜେପିର ନେତା ଓ ବିଧାୟକମାନେ ମଧ୍ୟ ସାମ୍ବାଦିକମାନଙ୍କ ସପକ୍ଷରେ ବାହାରି ସରକାରଙ୍କୁ କଡା ସମାଲୋଚନା କରିଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ଫେବୃଆରୀ ୭ ତାରିଖରେ ବିଧାନସଭା ସମ୍ମୁଖରେ ରାଜ୍ୟର ବରିଷ୍ଠ ସାମ୍ବାଦିକ ତଥା ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ପ୍ରତିନିଧି ଏକାଠି ହୋଇ ୬ ଦଫା ଦାବି ନେଇ ବିକ୍ଷୋଭ ସମାବେଶ କରିଥିଲେ।

ମୋହନ ଚରଣ ମାଝୀଙ୍କ ସମର୍ଥନ:

ଏଠାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ସାମ୍ବାଦିକଙ୍କ ଦାବିଗୁଡିକୁ ତାଙ୍କ ଦଳ ଦୃଢ ସମର୍ଥନ ଦେଉଥିବା ପ୍ରକାଶ କରିଥିଲେ । ଦାବି ପୂରଣ ହେବା ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କ ସ୍ୱରରେ ସ୍ୱର ମିଳାଇ ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ସହିତ ଦଳର ଅନ୍ୟ ବିଧାୟକ ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ସୁବାଷ ପାଣିଗ୍ରାହୀ, ନାଉରି ନାୟକ ପ୍ରମୁଖ ସମାବେଶରେ ସାମିଲ ହୋଇଥିଲେ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶ୍ୱାସନା:

ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ସମସ୍ୟା କଥା କହି ସରକାରଙ୍କୁ ସମାଲୋଚନା କରିଥିଲେ ଏବଂ ଓଡ଼ିଶାରେ ବିଜେପି ସରକାର ଆସିଲେ କ’ଣ ପଦକ୍ଷେପ ନିଆଯିବ ତାହା ବି କହିଥିଲେ।

ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶାରେ ଗଣତନ୍ତ୍ର ନାହିଁ, ଆପଣମାନେ (ସାମ୍ବାଦିକ) ସବୁଠୁ ବଡ କ୍ଷତିଗ୍ରସ୍ତ ଅଛନ୍ତି। ବିଜେପି ସରକାର ଆସିଲେ ସବ୍‌ଡିଭିଜନରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ନୂଆ ଅଧିସ୍ୱିକୃତ କମିଟି ଗଠନ ହେବ। ଦେଶର ବିଭିନ୍ନ ରାଜ୍ୟରେ ସାମ୍ବାଦିକମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା ରହିଛି। ତେଣୁ ବିଜେପି ସରକାର କ୍ଷମତାକୁ ଆସିଲେ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାମ୍ବାଦିକଙ୍କୁ ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରାଯିବ ବୋଲି ସେ କହିଥିଲେ।

ନୂଆ ସରକାରଙ୍କ ପ୍ରଥମ ବଜେଟ୍‌:

୨୪ ବର୍ଷର ନିରବଛିନ୍ନ ବିଜେଡି ସରକାରକୁ ଗାଦିରୁ ହଟାଇ ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିଛି। ନୂଆ ସରକାରଙ୍କ ପ୍ରଥମ ବଜେଟ୍‌ ଉପସ୍ଥାପନ ହୋଇଛି; ହେଲେ ସେଥିରେ ସାମ୍ବାଦିକମାନଙ୍କ କୌଣସି ସମସ୍ୟା ସମ୍ପର୍କରେ ଗୁରୁତ୍ୱ ନ ଦେବା ଏକ ନିରାଶାର ବାତାବରଣ ନୁହେଁ କି? ପୂର୍ବ ସରକାର ସମସ୍ୟା ବିଷୟରେ ଅବଗତ ଥାଇ ବର୍ଷ ପରେ ବର୍ଷ ଗଡାଇ ଚାଲିଲେ। ନୂଆ ସରକାରରେ ସେଭଳି ସ୍ଥିତି ଦେଖିବାକୁ ମିଳିବନି ତ?

ଗୁରୁତ୍ୱର କଥା ହେଉଛି ରାଜ୍ୟର ସାମ୍ବାଦିକମାନେ ପାଉଥିବା ବୀମା ସୁବିଧାର ବାର୍ଷିକ ଅବଧି ଜୁଲାଇ ୩୧ରେ ଶେଷ ହେଉଛି । କୁହାଯାଏ ବୀମାର ପୁନଃ ପ୍ରଚଳନ ପାଇଁ ପରବର୍ତ୍ତି ବର୍ଷ ପାଇଁ ପ୍ରାୟ ୧୫ ଦିନ ପୂର୍ବରୁ ବୀମା କମ୍ପାନୀ ସହିତ ଟେଣ୍ଡର ପ୍ରକ୍ରିୟା ସାରିବାକୁ ପଡିଥାଏ। ତେବେ ନୂଆ ସରକାର ଏ ବିଷୟରେ ମଧ୍ୟ କୌଣସି ସ୍ପଷ୍ଟତା ପ୍ରକାଶ କରି ନାହାନ୍ତି।

ଏହାକୁ ନେଇ ନେଇ ସାମ୍ବାଦିକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଦାୟିତ୍ୱରେ ନିଜେ ମୁଖ୍ୟମନ୍ତ୍ରୀ ରହିଛନ୍ତି। ତେଣୁ ଏ ସମସ୍ତ ବିଷୟରେ ସରକାର ସ୍ପଷ୍ଟତା ଆଣିବା ସହିତ ସମସ୍ୟାଗୁଡିକୁ ବିଚାରକୁ ନେବାକୁ ସାମ୍ବାଦିକମହଲରୁ ନିବେଦନ ହୋଇଛି।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Odisha Police Odisha Budget
Advertisment
Advertisment