/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731511194.jpg)
ଭୋଟ୍ ଦେଲା ଝାଡ଼ଖଣ୍ଡ । ପ୍ରଥମ ପର୍ଯ୍ୟାୟରେ ୪୩ ବିଧାନସଭା ସିଟରେ ପଡ଼ିଲା ଭୋଟ୍ ।
ନେତା ବାଛୁଛି ଝାଡ଼ଖଣ୍ଡ। ଫାଷ୍ଟ୍ ଫେଜରେ ୪୩ ବିଧାନସଭା ସିଟରେ ପଡ଼ିଲା ଭୋଟ୍ । ଶାନ୍ତି ଶୃଙ୍ଖଳା ଭିତରେ ସନ୍ଧ୍ୟା ୫ ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିବା ବେଳେ, ବିଭିନ୍ନ ସ୍ଥାନରେ ଲାଲ୍ ବାହିନୀର ଧମକ ସତ୍ତ୍ୱେ ଲୋକେ ମତାଧିକାର ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି।
ଶୀତୁଆ ସକାଳ ସହ ସାଲିସ୍ ନକରି ସରକାର ବାଛିଛି ଝାଡ଼ଖଣ୍ଡ । ନକ୍ସଲ ଭୟକୁ ଖାତିର ନକରି ଭୋଟ୍ ଦେଇଛି ଝାଡ଼ଖଣ୍ଡ । ସକାଳ ୭ଟାରୁ ଚାଦର, ସ୍ୱେଟର ଓ ମଫଲର୍ ଆଦି ଘୋଡ଼ାଇ ହୋଇ ବୁଥ୍ ଆଗରେ ଧାଡ଼ି ଲଗାଇଥିଲେ ଉତ୍ସାହିତ ଜନତା। ସନ୍ଧ୍ୟା ୫ଟା ଯାଏଁ ଚାଲିଥିଲା ମତଦାନ। ପ୍ରଥମ ପର୍ଯ୍ୟାୟରେ ୪୩ଟି ବିଧାନସଭା ଆସନରେ ଭୋଟ୍ ହେଇଥିବା ବେଳେ, କଡ଼ା ସୁରକ୍ଷା ବଳୟରେ ଥିଲା ପ୍ରାୟ ୧୫ ହଜାର ପୋଲିଂ ବୁଥ୍। ଆଉ ଝାଡ଼ଖଣ୍ଡରେ ଭୋଟରଙ୍କ ମୁଡ୍ ପରଖିବାକୁ ବିଭିନ୍ନ ବୁଥରେ ପହଞ୍ଚିଥିଲା ଓଟିଭି ଟିମ୍ ।
ହାଇପ୍ରୋଫାଇଲ୍ ସିଟ୍ଜାମସେଦପୁର ଇଷ୍ଟ୍। ମୁହାଁମୁହିଁ ହୋଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ, ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ତଥା ଓଡ଼ିଆ ଝିଅ ପୂର୍ଣ୍ଣିମା ଦାସ ସାହୁ ଏବଂ କଂଗ୍ରେସ ପ୍ରାର୍ଥୀ ତଥା ଓଡ଼ିଶା ପିସିସି ପ୍ରଭାରୀ ଅଜୟ କୁମାର। ପରିବାର ଓ ସମର୍ଥକଙ୍କ ଗହଣରେ ପୂର୍ଣ୍ଣିମା ହରିଜନପଡ଼ା ବୁଥକୁ ଆସି ଭୋଟ୍ ଦେଇଥିବା ବେଳେ, ପୂଜାର୍ଚ୍ଚନା କରି ଶିକ୍ଷାନିକେତନ ବୁଥ୍କୁ ଭୋଟ୍ ଦେବାକୁ ଯାଇଥିଲେ ଅଜୟ କୁମାର।
ସେପଟେ ରାଞ୍ଚିରେ ମତାଧିକାର ସାବ୍ୟସ୍ତ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ତାଙ୍କ ପତ୍ନୀ ତଥା ଓଡ଼ିଆ ଝିଅ କଳ୍ପନା ସୋରେନ୍। ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ବି ରାଞ୍ଚିରେ ପତ୍ନୀ ସାକ୍ଷୀଙ୍କ ସହ ଯାଇ ଭୋଟ୍ ଦେଇଛନ୍ତି।
ଝାଡ଼ଖଣ୍ଡ ଭୋଟ୍ରେ ଓଡ଼ିଆ ଭୋଟରଙ୍କ ଦବଦବା କିଛି କମ୍ ନୁହେଁ । ୧୦ରୁ ଅଧିକ ଜିଲ୍ଲାରେ ୨୦ ଲକ୍ଷରୁ ଅଧିକ ଓଡ଼ିଆ ଭାଷାଭାଷୀ ଭୋଟର୍ ରହୁଥିବା ବେଳେ, ଓଡ଼ିଶା ବାହାରେ ଓଡ଼ିଶା କୁହାଯାଉଥିବା- ଷଢ଼େଇକଳା ଆସନରୁ ପ୍ରାର୍ଥୀ ହୋଇଛନ୍ତି କୋହ୍ଲାନ୍ ଟାଇଗର ଚମ୍ପାଇ ସୋରେନ୍। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ଚମ୍ପାଇ ନିଜ ଗାଁ ଜିଲିଂଗୁଡ଼ାରେ ଭୋଟ୍ ଦେଇଥିବା ବେଳେ, ସେଠାରେ ତାଙ୍କୁ ଟକ୍କର ଦେଉଛନ୍ତି ଜଏମ୍ଏମ୍ ପ୍ରାର୍ଥୀ ଗଣେଶ ମହାଲି ।
ଷଢ଼େଇକଳାର ଇନ୍ଦ୍ରଟାଣ୍ଡି ପିଙ୍କ୍ ବୁଥ୍ । ସାଜସଜ୍ଜା ଥିମ୍ ରହିଛି, ଏ ମାଟିର ପରିଚୟ ଛଉନୃତ୍ୟ । ଯେଉଁଠି ଆଖି ପଡ଼ିବ, ସେଠି ଲାଗିଛି ଆକର୍ଷଣୀୟ ଛଉ ମୁଖା ଓ ମୂର୍ତ୍ତି । ଇନ୍ଦ୍ରଟାଣ୍ଡି ବୁଥରେ ଅଧିକାଂଶ ଭୋଟର ଓଡ଼ିଆ ହୋଇଥିବା ବେଳେ, ସୁନ୍ଦରଗଡ଼କୁ ଲାଗିଥିବା ସିମଡେଗା ମଡେଲ୍ ବୁଥରେ ବି ମତଦାନ କରିଛନ୍ତି ବହୁ ଓଡ଼ିଆ । ସେଠି ରଙ୍ଗ ବେରଙ୍ଗର ଟାୟାର, ଟ୍ୟୁବ୍, ସାଇକେଲ ଚକ, ଝାଡ଼ୁ ଓ ଝୁଡ଼ି ଆଦିକୁ ସଜାଯାଇଛି ଆକର୍ଷଣୀୟ ଢଙ୍ଗରେ ।
ଆଜି ପ୍ରଥମ ପର୍ଯ୍ୟାୟ ଭୋଟରେ ୬୩୮ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିଥିବା ବେଳେ, ୨୦ ତାରିଖରେ ୩୮ ଆସନ ପାଇଁ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ । ନଭେମ୍ବର ୨୩ରେ ସାମ୍ନାକୁ ଆସିବା ନିର୍ବାଚନ ଫଳାଫଳ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)