is there any scam in higher education dept
ଉଚ୍ଚଶିକ୍ଷା ବିଭାଗରୁ ଏକାବେଳକେ ମନ୍ତ୍ରୀ ଓ ସଚିବ ବିଦା ହେବାକୁ ନେଇ ରାଜ୍ୟ କ୍ଷମତା ଅଳିନ୍ଦରେ ଜୋରଦାର ଚର୍ଚ୍ଚା। କେବଳ ପ୍ରଦର୍ଶନ ନା ୟା ପଛରେ ରହିଛି ଆଉ କିଛି ବଡ଼ କାରଣ। କୁହାଯାଉଛି, ଉଚ୍ଚଶିକ୍ଷା ବିଭାଗର ବ୍ୟାପକ ଅନିୟମିତତାରେ ମନ୍ତ୍ରୀ, ସଚିବଙ୍କ ହାତ ଥିବାରୁ ଏଭଳି ଆକସ୍ମିକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପି ଏନେଇ ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ, ରାଜନୈତିକ ସ୍ତରରେ ଏହାର କି ପ୍ରଭାବ ପଡ଼ିବ ତାକୁ ନେଇ ବି ଆକଳନ ଆରମ୍ଭ ହୋଇଯାଇଛି।
ଉଚ୍ଚଶିକ୍ଷା ବିଭାଗରେ ହୋଇଛି କି ବଡ଼ଧରଣର କେଳେଙ୍କାରୀ ? ବଡ଼ ଆର୍ଥିକ ଅନିୟମିତତାର ସଂପୃକ୍ତ ଥିଲେ କି ମନ୍ତ୍ରୀ, ସଚିବ ? ପ୍ରମାଣ ମିଳିବା ପରେ ହୋଇଛି କି କାର୍ଯ୍ୟାନୁଷ୍ଠାନ ? ହଠାତ୍ ମନ୍ତ୍ରୀ ପଦରୁ ରୋହିତ ପୂଜାରୀ ଓ ବିଭାଗ ଦାୟିତ୍ବରୁ ସଚିବ ବିଷ୍ଣୁପଦ ସେଠୀ ବିଦା ହେବାକୁ ନେଇ ପାୱର କରିଡରରେ ଚର୍ଚ୍ଚା ଜୋର। ହେଲେ କାହିଁକି ଏଭଳି କଠୋର ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ ? ମନ୍ତ୍ରୀଙ୍କ ଖରାପ ପ୍ରଦର୍ଶନକୁ ସରକାର କାରଣ ବୋଲି ଦର୍ଶାଇଥିଲେ ହେଁ ଅସଲ ରହସ୍ୟ କିନ୍ତୁ ମନ୍ତ୍ରୀ, ସଚିବଙ୍କ ନାଁରେ ଆସିଥିବା ଗୁରୁତର ଅଭିଯୋଗ ବୋଲି କୁହାଯାଉଛି।
ଯେମିତିକି (ରୋହିତ ଓ ବିଷ୍ଣୁଙ୍କୁ ବିଦା ପଛର ସମ୍ଭାବ୍ୟ କାରଣ)
୧- ଗ୍ରାଣ୍ଟ-ଇନ୍-ଏଡ୍ ଅନୁମୋଦନ ନେଇ ଅନିୟମିତତା
୨- ଅଧ୍ୟାପକଙ୍କ ନିଯୁକ୍ତି, ପୋଷ୍ଟିଂ ଓ ବଦଳିରେ ଅର୍ଥ କାରବାର
୩- ସେଲଫ୍ ଫାଇନାନ୍ସିଂ କୋର୍ସ ଅନୁମୋଦନରେ କିକବ୍ୟାକ୍
୪- ମନ୍ଦ ଉଦ୍ଦେଶ୍ୟ ରଖି ଦୀର୍ଘ ଦିନ ଫାଇଲକୁ ଚାପି ରଖିବା
ଏହିସବୁ ବିନ୍ଦୁ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଏନେଇ କିନ୍ତୁ ଉଭୟ ରୋହିତ ଓ ବିଷ୍ଣୁଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଅପରପକ୍ଷେ କାର୍ଯ୍ୟାନୁଷ୍ଠାନର କାରଣ ସ୍ପଷ୍ଟ କରିବାକୁ ସରକାରଙ୍କ ପାଖରେ ଦାବି କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରି ପ୍ରଶ୍ନ କରିଛି- ଯଦି ଦୁର୍ନୀତି ହୋଇଛି, ଭିଜିଲାନସ୍ ତଦନ୍ତ ନିର୍ଦ୍ଦେଶ ଦେବେ କି ମୁଖ୍ୟମନ୍ତ୍ରୀ ? ବିଜେଡି କିନ୍ତୁ କହିଛି ଖରାପ ପ୍ରଦର୍ଶନ ଆଧାରରେ ପଦକ୍ଷେପ ନିଆଯାଇଛି।
ସେପଟେ ସମ୍ଭାବ୍ୟ ବିଭାଗୀୟ ଅନିୟମିତତା ବାଦ୍ ଏହା ପଛରେ ଥିବା ରାଜନୈତିକ କାରଣକୁ ନେଇ ବି ଚର୍ଚ୍ଚା ଚାଲିଛି। ଯାହା ଭିତରୁ ବିଧାନସଭା ଲଢ଼ିବାକୁ ରୋହିତଙ୍କ ୬୦ ବର୍ଷ ମନ୍ତବ୍ୟ ପ୍ରମୁଖ ବୋଲି କୁହାଯାଉଛି। ତେବେ ଏହା ପୂର୍ବରୁ ବି ରୋହିତଙ୍କୁ ଝାରସୁଗୁଡା ଉପନିର୍ବାଚନ ଟିମରୁ ବାଦ ଦିଆଯିବା ସହ ଅନେକ ରାଜନୈତିକ କାର୍ଯ୍ୟକ୍ରମରେ ଅଣଦେଖା କରାଯାଉଥିବା ଚର୍ଚ୍ଚା ହେଉଛି।।
ତେବେ ଦୁଇ ଦୁଇ ଥର ବିଧାୟକ, ଜିଲ୍ଲା ସଭାପତି ଥିବା ରୋହିତ ମନ୍ତ୍ରୀ ପଦରୁ ବିଦା ହେବା ପରେ ସମ୍ବଲପୁର ଜିଲ୍ଲା ବିଜେଡି ରାଜନୀତିରେ ଏହାର କିଛି ପ୍ରଭାବ ପଡ଼ିବ କି ? ଦଳର ଜିଲ୍ଲା ସଭାପତି ଏହାର କିଛି ବି ପ୍ରଭାବ ପଡ଼ିବ ନାହିଁ ବୋଲି କହିଥିଲା ବେଳେ ରାଜନୈତିକ ସମୀକ୍ଷକଙ୍କ ମତରେ ତାଙ୍କୁ ଦଳରୁ ଆଉ ଟିକେଟ୍ ମିଳି ନପାରେ। ମନ୍ତ୍ରିମଣ୍ଡଳରୁ ରୋହିତ ବିଦା ହେବା ପରେ ପଶ୍ଚିମ ଓଡ଼ିଶାରୁ ତାଙ୍କ ସ୍ଥାନରେ ଏବେ କାହାକୁ ନିଆଯିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686407463.jpg)