• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨୪ ମହାଲଢ଼େଇର ଢେର ପୂର୍ବରୁ ଚର୍ଚ୍ଚାରେ ପୁରୀ । ଚର୍ଚ୍ଚାରେ ମୋଦି-ନବୀନ । କାରଣ ଧାର୍ମିକ ଭାବନା ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ପୁରୀ ବିଧାନସଭା କ୍ଷେତ୍ରରୁ ଏଥର ମୁଖ୍ୟମନ୍ତ୍ରୀ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଦଳ ଭିତରୁ କଥା ଉଠିବା ପରେ, ପ୍ରଧାନମନ୍ତ୍ରୀ ବି ଶ୍ରୀକ୍ଷେତ୍ରରୁ ଲଢ଼ି ପାରନ୍ତି ବୋଲି ବିଜେପି କହିଛି । ତେଣୁ ସେ ଦୃଷ୍ଟିରୁ ଖାଲି ଜଗନ୍ନାଥଧାମ ନୁହେଁ, ସରଗରମ ରାଜ୍ୟ ରାଜନୀତି ।

୨୪ ଭୋଟ୍ ରାଜନୀତିର ଏପିସେଣ୍ଟର ହେବ କି ଜଗନ୍ନାଥ ଧାମ ? ପୁରୀରେ ହେବ କି ମୋଦି-ନବୀନ ଲଢ଼େଇ ? ଧାର୍ମିକ କାର୍ଡ ଖେଳିବାକୁ ବିଧାନସଭା କ୍ଷେତ୍ରରୁ ସିଏମ୍ ଓ ଲୋକସଭା କ୍ଷେତ୍ରରୁ ଲଢ଼ିବେ କି ପିଏମ୍ ? ପୁରୀ ବିଧାନସଭା କ୍ଷେତ୍ରରୁ ନବୀନ ଲଢି ପାରନ୍ତି ବୋଲି ବରିଷ୍ଠ ଦଇତାପତି ସେବାୟତ ତଥା ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର କହିବାପରେ ପୁରୀ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ବି ମୋଦୀ ଶ୍ରୀକ୍ଷେତ୍ର ଧାମରୁ ଲଢୁଥିବାର ଗୁଗଲି ଫିଙ୍ଗିଥିଲେ । ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି ।

ଏହାରି ଭିତରେ ବରିଷ୍ଠ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ନବୀନ ଯେଉଁଠୁ ଠିଆ ହେଲେ ଜିତିବେ । ତେବେ ପୁରୀର ବିକାଶ କାମ ପାଇଁ ଲୋକେ ଖୁସି ଥିବାରୁ ଏମିତି ଆଶା ରଖିଛନ୍ତି ଏବଂ ପୁରୀରେ ନବୀନଙ୍କ ପ୍ରତି ସମର୍ଥନ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବୋଲି କହିଛନ୍ତି ଶଶି । ସେପଟେ ମୁଖ୍ୟମନ୍ତ୍ରୀ ପୁରୀରୁ ଲଢ଼ିବା ଚର୍ଚ୍ଚା ପ୍ରସଙ୍ଗରେ ସାଂସଦ ଅପରାଜିତା ହିଂଜିଳିରୁ ନବୀନଙ୍କୁ ଲଢ଼ିବାକୁ କିଛି ଅସୁବିଧା ହେଲାକି, ସେଠି ଲୋକେ ତାଙ୍କୁ ଚାହୁଁ ନାହାନ୍ତିକି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଯଦି ପୁରୀ ସଂସଦୀୟ କ୍ଷେତ୍ରରୁ ଲଢିବେ ତାହା ଆମ ପାଇଁ ସୌଭାଗ୍ୟ ହେବ ବୋଲି କହିଛନ୍ତି ଅପରାଜିତା ।

ପୁରୀ ସଂସଦୀୟ କ୍ଷେତ୍ରରେ ଆଗକୁ ବିଜେପି-ବିଜେଡି ମଧ୍ୟରେ ହେବ ବଡ଼ ଲଢ଼େଇ । କାରଣ ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟର ଅନେକ ମନ୍ଦିରର ବିକାଶ କାମକୁ ଗୁରୁତ୍ୱ ଦେଇଛି ବିଜେଡି ସରକାର । ସେପଟେ ଆଗକୁ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ହେବାର କାର୍ଯ୍ୟକ୍ରମ ରହିଛି । ତେଣୁ କାଳେ ବିଜେପି ସେଥିରୁ ମାଇଲେଜ୍ ନେଇ ହିନ୍ଦୁ ଭୋଟ୍‌କୁ ଅଧିକମାତ୍ରାରେ ପ୍ରଭାବିତ କରିବ, ବିଜେଡିକୁ ସେଇ ଭୟ ଘାରିଛି । ତେଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ମଧ୍ୟ ଡିସେମ୍ବରରେ ସାରି ଏହାର ଜୋରଦାର ଶୁଭାରମ୍ଭ ପାଇଁ ଯୋଜନାରେ ଅଛନ୍ତି ରାଜ୍ୟ ସରକାର । ସେଇଥିପାଇଁ ଦୁଇ ଦଳ ଫୋକସରେ ଏବେ ପୁରୀ ।

ଏହି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରୁ ଗତ ନିର୍ବାଚନରେ ବିଜେପି ପୁରୀ ଓ ବ୍ରହ୍ମଗିରି ଜିତିଥିଲା ବେଳେ ବାକି ଆସନକୁ ବିଜେଡି କବଜା କରିଥିଲା । ତେବେ ସଂସଦୀୟ କ୍ଷେତ୍ରରେ ପିନାକୀ ମିଶ୍ରଙ୍କଠୁ ଅଳ୍ପ ବ୍ୟବଧାନରେ ହାରିଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏବେ ସମ୍ବିତ ପୁରୀରେ ଡେରା ପକାଇଥିବାରୁ ବିଜେଡି ବି ଭିନ୍ନ ଭିନ୍ନ ଷ୍ଟ୍ରାଟେଜୀ ଚଳାଇଛି ।

ଷଷ୍ଠଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ନବୀନ ନିଜ ଭାବମୂର୍ତ୍ତିର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ଯାଇ ପୁରୀ ଭଳି ଧାର୍ମିକ କ୍ଷେତ୍ରକୁ ନିଜ ନିର୍ବାଚନ ମଣ୍ଡଳୀ ଭାବେ ବାଛିବାକୁ ଯାଉଥିବା ଚର୍ଚ୍ଚା ଅଧିକ ହେଉଛି । ହେଲେ ଶେଷ ମୁହୂର୍ତ୍ତରେ ନବୀନ କି ସରପ୍ରାଇଜ୍ କାର୍ଡ ଖେଳୁଛନ୍ତି ତାକୁ ବି ଅପକ୍ଷା ରହିଛି ।

  • Reported by:
  • MADHUSUDAN MISHRA , HARIHARA CHAND