Advertisment

ମାଇଲେଜ୍ ପଲିଟିକ୍ସରେ ମାତିଛି କି ବିଜେଡି ? ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପରେ ସମଲେଇ ମନ୍ଦିର ପ୍ରକଳ୍ପ

ଶ୍ରୀକ୍ଷେତ୍ର ପରେ ପରେ ସମ୍ବଲପୁର। ପୁରୀରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରୁ ସରୁ ମାଆ ସମଲେଇ ମନ୍ଦିର ପ୍ରକଳ୍ପ ଉଦଘାଟନ ପାଇଁ ସରକାରଙ୍କ ସଜବାଜ।

undefined

Samaleswari Temple

Advertisment

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ରେ । ଏ ବିଶାଳ ଆୟୋଜନରୁ ବିଜେପି କାଳେ ଶ୍ରେୟ ନେଇଯିବ ସେଥିପାଇଁ ରାଜ୍ୟ ସରକାର ଠିକ୍ ତା ଆଗରୁ ୧୭ ତାରିଖରେ ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ଆୟୋଜନ କରିଥିବା ଚର୍ଚ୍ଚା ଥମିନି । ସେପଟେ ପୁଣି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସରୁ ସରୁ ଜାନୁଆରୀ ୨୭ରେ ସମଲେଇ ମନ୍ଦିର ପ୍ରକଳ୍ପ ଉଦଘାଟନ ଉତ୍ସବ ଆୟୋଜନକୁ ନେଇ ବି ତେଜିଲାଣି ପଲିଟିକ୍ସ। ଚର୍ଚ୍ଚା ହେଉଛି,ମାଇଲେଜ୍ ପଲିଟିକ୍ସରେ ମାତିଛି କି ବିଜେଡି।

Advertisment

ଶ୍ରୀକ୍ଷେତ୍ର ପରେ ପରେ ସମ୍ବଲପୁର । ପୁରୀରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରୁ ସରୁ ମାଆ ସମଲେଇ ମନ୍ଦିର ପ୍ରକଳ୍ପ ଉଦଘାଟନ ପାଇଁ ସରକାରଙ୍କ ସଜବାଜ । ଜାନୁଆରୀ ୨୭ରେ ସମଲେଇ ମନ୍ଦିର ଆସିବାକୁ ଇଏ ନିମନ୍ତ୍ରଣ ପତ୍ର । ସେଥିଲାଗି ଆଜିଠୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ । ଢୋଲ ନିଶାନର ତାଳେ ତାଳେ ପ୍ରଥମେ ସମଲେଶ୍ୱରୀ ଓ ପାର୍ଶ୍ୱ ଦେବଦେବୀଙ୍କୁ ନିୟୁତା ପରେ ସହରର ଅନ୍ୟ ମନ୍ଦିରଙ୍କୁ ବି ହୋଇଛି ନିମନ୍ତ୍ରଣ । ଯେଉଁଥିରେ ସାମିଲ ଅଛନ୍ତି ମନ୍ଦିରର ପୂଜକ, ଟ୍ରଷ୍ଟବୋର୍ଡ ସଦସ୍ୟ ଓ ପ୍ରଶାସନିକ ଅଧିକାରୀ। ସମ୍ବଲପୁରରୁ ସେମାନେ ସିଧା ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇ ପରେ ଲିଙ୍ଗରାଜଙ୍କୁ ବି ନିୟୁତା ଦେଇଛନ୍ତି। ତେଣେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି- ସବୁ କାମ ସୁରୁଖୁରରେ ଚାଲିଛି ନିର୍ଦ୍ଧାରିତ ସମୟରେ ସରିବ।

ଜାନୁଆରୀ ୧୭ରେ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ। ତ ତା’ର ଠିକ୍ ୧୦ ଦିନ ପରେ ହଠାତ୍ ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପର ବି ଉଦଘାଟନ। ଆଉ ତାରି ମଝିରେ ଜାନୁଆରୀ ୨୨ରେ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜିବେ ରାମ ଲଲା । ତେଣୁ ପୁରୀ ଭଳି ସମଲେଶ୍ୱରୀ ପ୍ରକଳ୍ପର ଉଦଘାଟନ ଉତ୍ସବକୁ ବି ଧୁମଧାମ୍ କରିବାକୁ ଭିତରେ ଭିତରେ ବିଜେଡି ଚଳାଇଛି ପ୍ଲାନ। ଏଥିପାଇଁ ଗତ ୪ ତାରିଖରେ ବୁର୍ଲାର ଏକ ଘରୋଇ ହୋଟେଲ୍‌ରେ ପଶ୍ଚିମ ଓଡ଼ିଶାର ସମସ୍ତ ତୁଙ୍ଗ ନେତାଙ୍କୁ ନେଇ ହୋଇଥିଲା ରୁଦ୍ଧଦ୍ୱାର ବୈଠକ। ଯଦିଓ ଏହା ସାଂଗଠନିକ ମିଟିଂ ବୋଲି ଦର୍ଶାଯାଇଥିଲା, ହେଲେ ମନ୍ତ୍ରୀ ରୀତା ସାହୁ କିନ୍ତୁ ସ୍ପଷ୍ଟ ଭାବେ କହିଥିଲେ ସମ୍ବଲେଶ୍ୱରୀ ପ୍ରକଳ୍ପ ଉଦଘାଟନ ଉତ୍ସବରେ କେମିତି ପ୍ରତ୍ୟେକ ଘରୁ ଲୋକେ ଯୋଡି ହେବେ ସେନେଇ ହୋଇଛି ଆଲୋଚନା। ତେଣେ ବିଜେପି କହିଛି- ରାମ ମନ୍ଦିର ୫ ଶହ ବର୍ଷର ସଂଘର୍ଷର ଫଳ, ହେଲେ ଏଠି ଅଧାପନ୍ତରିଆ ସମଲେଇ ମନ୍ଦିର ପ୍ରକଳ୍ପକୁ ଉଦଘାଟନ କରି ବିଜେଡି ଯେଉଁ ମାଇଲେଜ ପଲିଟିକ୍ସ କରୁଛି ତାହା ହାସ୍ୟାସ୍ପଦ।

Advertisment

ପ୍ରଶ୍ନ ଉଠୁଛି ପୁରୀ ପରେ ପରେ ହଠାତ୍ କାହିଁକି ସମଲେଇ ପ୍ରକଳ୍ପକୁ ନେଇ ଏତେ ଉତ୍ସାହିତ ରାଜ୍ୟ ସରକାର ? ରାଜନୀତି ସମୀକ୍ଷକଙ୍କ ମତରେ- ଗୋଟିଏ ପଟେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ପ୍ରଦେଶରୁ ଦେଶ ଯାଏଁ ଚର୍ଚ୍ଚା ଚାଲିଛି ତ ଏଣେ ପଶ୍ଚିମ ଓଡ଼ିଶାରେ ବିଜେପିର ଦବଦବା ରହିଛି। କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ବିଜେପି ହାତରେ ରହିଛି। ତେଣୁ ସେଠି ବିଜେପି ଗଡ଼ ଭାଙ୍ଗିବାକୁ ଏହା ଏକ ରଣନୀତି ହୋଇପାରେ।

Odisha Samaleswari Temple Ayodhya Ram Mandir Heritage Corridor Project Sri Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ