• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ଦିନରେ ଦେଶରେ ଯଦି ସାଧାରଣ ନିର୍ବାଚନ ହୁଏ, କାହାର ହେବ ଜିତାପଟ୍ ? କେଉଁ ଦଳ ବିପୁଳ ଜନସମର୍ଥନ ପାଇବ, ଆଉ କିଏ ହେବ ଚିତପଟାଙ୍ଗ୍ ? ନିକଟରେ ଜାତୀୟ ସ୍ତରର ଏକ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲ ଓ ମାଟ୍ରିଜ୍ ନ୍ୟୁଜ୍ କମ୍ୟୁନିକେସନ୍ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ।

ସଂସ୍ଥାର ସର୍ଭେ କହୁଛି, ଆଜି ଦିନରେ ନିର୍ବାଚନ ହେଲେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୩୬୨ ଆସନ ମିଳିବ । ସେହିଭଳି କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ମାତ୍ର ୯୭ ଆସନ ଏବଂ ଅନ୍ୟାନ୍ୟ ଦଳ ପାଇବେ ୮୪ ସିଟ୍ । ଏନଡିଏକୁ ୪୧, ୟୁପିଏକୁ ୨୮ ଓ ଅନ୍ୟାନ୍ୟ ଦଳଙ୍କୁ ୩୧ ପ୍ରତିଶତ ଭୋଟ୍ ମିଳିବ ବୋଲି ସର୍ଭେ ରିପୋର୍ଟ କହୁଛି ।

ସେହିଭଳି ଓଡ଼ିଶାରେ ବି ବିଜେପିର ପତିଆରା ବଢୁଥିବାରୁ ରାଜ୍ୟରେ ବିଜେପିକୁ ୧୧, ବିଜେଡିକୁ ୮ ଓ କଂଗ୍ରେସକୁ ୨ଟି ଆସନ ମିଳିପାରେ । ସେପଟେ ରାଜନୀତି ସମୀକ୍ଷକଙ୍କ ମତରେ ରାଷ୍ଟ୍ରପତି ନିର୍ବାଚନ ପରେ ଦେଶରେ ବିଜେପି ସପକ୍ଷରେ ହାଓ୍ୱା ବଢ଼ିଥିବା ଚର୍ଚ୍ଚା ଅମୁଳକ ନୁହେଁ । ଦେଶରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଆସନରେ ବସାଇ ଆଦିବାସୀ ବହୁଳ ରାଜ୍ୟ ତଥା ଜନଜାତି ସଂପ୍ରଦାୟର ବିପୁଳ ଜନସମର୍ଥନ ହାସଲ କରିବାର ବିରାଟ ସୁଯୋଗ ସୃଷ୍ଟି କରିଛି ବିଜେପି ।

ଦେଶରେ ପ୍ରଥମ ଆଦିବାସୀ ମହିଳା ଚେହେରା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ମଧ୍ୟ ଏହାର ମାଇଲେଜ୍ ନେବାକୁ ଚେଷ୍ଟା କରିଛି । ଆଦିବାସୀ ଭୋଟବ୍ୟାଙ୍କ ହାତେଇବା ପାଇଁ ଦଳ ଦ୍ରୌପଦୀଙ୍କୁ ସମର୍ଥନ କରିବା ସହ ଯୋରଦାର କ୍ୟାମ୍ପେନିଂ ମଧ୍ୟ କରିଥିଲା । ଖାଲି ସେତିକି ନୁହେଁ ବିଜୟ ପରେ ଶ୍ରେୟ ରାଜନୀତିରେ ଭାଗୀଦାର ହୋଇଥିଲା ଦଳ । ସେପଟେ କିନ୍ତୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ସ୍ୱାଭାବିକ ଭାବେ ବିଜେପି ପ୍ରତି ଜନଜାତି ସମୁଦାୟଙ୍କ ସମର୍ଥନ ବଢ଼ିଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ଦଳୀୟ ନେତା ଉତ୍ସାହିତ ଥିବା ବେଳେ ବିଜେଡି ଓ କଂଗ୍ରେସ ଭିନ୍ନ ମତ ରଖିଛନ୍ତି ।

୨୦୧୧ ଜନଗଣନା ଅନୁସାରେ ଦେଶର ମୋଟ ଜନସଂଖ୍ୟାର ୮.୬ ପ୍ରତିଶତ ଏବଂ ଓଡ଼ିଶା ଜନସଂଖ୍ୟାର ୨୨.୮ ପ୍ରତିଶତ ହେଉଛନ୍ତି ଜନଜାତି ସଂପ୍ରଦାୟ । ତେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ରାଜ୍ୟରେ ଜନଜାତି ଭୋଟର ସିଂହଭାଗ ବିଜେପି ଆଡକୁ ଯିବା ସମ୍ଭାବନା ରହିଛି । ସେହିଭଳି ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତରପୂର୍ବ ରାଜ୍ୟରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ଅଧିକ ଥିବାରୁ ଏସବୁ ରାଜ୍ୟର ଆଦିବାସୀ ଭୋଟ୍ ବି ବିଜେପି ହାତେଇବା ଅନୁମାନ କରାଯାଉଛି ।