• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣ୍ଡ ପଏଣ୍ଟରେ ୨୦୨୩ । ଆଉ ଦିନ କେଇଟା ପରେ ଆସିଯିବ ନୂଆ ବର୍ଷ ୨୦୨୪ । ଲୋକେ କହିଲେଣି ବାଏବାଏ ୨୩, ୱେଲକମ୍ ୨୪ । ୨୦୨୩ର ଇତିହାସ ପୃଷ୍ଠାକୁ ଲେଉଟାଇଲେ ଦେଖିବା ଏହାରି ଭିତରେ ଘଟିଯାଇଛି ଅନେକ ଘଟଣା । ବିଶ୍ୱ ଦରବାରରେ ବଦଳିଛି ଭାରତର ଚିତ୍ର । ନୂଆ ଭାରତକୁ ସାଲ୍ୟୁଟ କରୁଛି ସାରା ବିଶ୍ୱ । ଆଉ ଦେଶ ଭିତରେ ଅନେକ ରାଜ୍ୟରେ ବଦଳିଛି ରାଜନୈତିକ ପାଣିପାଗ । ସେମିତି କିଛି ବଡ଼ ଘଟଣାକୁ ପୁଣି ମନେ ପକାଇବା ।

୧.ନୂଆ ସଂସଦ ଭବନ ପ୍ରତିଷ୍ଠା

୨୦୨୩ ଗଣେଶ ଚତୁର୍ଥୀରେ ଦେଶର ସବୁଠୁ ବଡ଼ ଖବର ଆଉ ସବୁଠାରୁ ଅଧିକ ଚର୍ଚ୍ଚିତ ନୂଆ ସଂସଦ ଭବନର ଗୃହ ପ୍ରବେଶ । ଗୋଟିଏ ପଟେ ଇତିହାସର ସୁବର୍ଣ୍ଣ ପୃଷ୍ଠାକୁ ଚାଲିଯାଇଛି ଗୌରବଶାଳୀ ଐତିହ୍ୟ । ଅନ୍ୟପଟେ ଦେଶର ଗୌରବଶାଳୀ ଭବିଷ୍ୟତ ସହ ଯୋଡ଼ି ହୋଇଛି ଗଣତନ୍ତ୍ରର ନୂଆ ମନ୍ଦିର । ପୁରୁଣାରୁ ନୂଆ ସଂସଦ ଭବନକୁ ଚାଲି ଚାଲି ଯାତ୍ରା ପ୍ରଧାନମନ୍ତ୍ରୀଙ୍କ ସହ ଲୋକସଭା ବାଚସ୍ପତି, ଉପରାଷ୍ଟ୍ରପତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହ ଶାସକ ଓ ବିରୋଧୀ ଦଳର ସାଂସଦ ସମସ୍ତେ କରିଥିଲେ ଏଣ୍ଟ୍ରି ।

ମୋଦି କହିଥିଲେ- ‘ସଂକଳ୍ପରୁ ସିଦ୍ଧି ଆଡକୁ ନୂଆ ବିଶ୍ୱାସରେ ଯାତ୍ରା ଆରମ୍ଭ ହୋଇଛି । ସମୃଦ୍ଧ ଭାରତର ପ୍ରେରଣା ନେଇ ଆମେ ଆଗକୁ ବଢୁଛୁ । ସେହିପରି କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ- ନୂଆ ସଂସଦରେ ଶାସକ ଓ ବିପକ୍ଷ ମିଳିମିଶି ଦେଶର ଭବିଷ୍ୟତ ଗଢ଼ିବା ଦରକାର।

ରାଜଧାନୀ ଦିଲ୍ଲୀର ଛାତି ଉପରେ କର୍ତ୍ତବ୍ୟପଥରେ ଛିଡ଼ା ହୋଇଥିବା ୪ ମହଲା ବିଶିଷ୍ଟ ଗଣତନ୍ତ୍ରର ସର୍ବୋଚ୍ଚ ଭବ୍ୟ ମନ୍ଦିରରେ ରହିଛି ୩ଟି ପ୍ରବେଶ ପଥ । ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର । ଏଠାରେ ଲୋକସଭାରେ ୮୮୮ ସିଟ୍ ଥିବାବେଳେ, ରାଜ୍ୟସଭାରେ ରହିଛି ୩୮୪ ସିଟ୍ । ଜାତୀୟ ପକ୍ଷୀ ମୟୂର ଶୈଳୀରେ ଲୋକସଭା ନିର୍ମିତ ହୋଇଛି ।

ପ୍ରଥମେ ୮୬୧ କୋଟି ଟଙ୍କାରେ ଟାଟା କମ୍ପାନୀକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା । ପରେ ଧିରେ ଧିରେ ଏହାର ବଜେଟ୍‌ ବଢ଼ିଥିଲା । ଶେଷ ବେଳକୁ କୁହାଯାଉଛି ଯେ, ପ୍ରାୟ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଇପାରେ । କିନ୍ତୁ ସରକାରୀ ସ୍ତରରେ ଏନେଇ କୌଣସି ପ୍ରକାର ଘୋଷଣା କରାଯାଇନାହିଁ । ମାତ୍ର ଅଢେଇ ବର୍ଷରେ ଏହାର ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍।

୨.ଭାରତରେ G20 ସମ୍ମିଳନୀ

୨୦୨୩ରେ ସାରା ବିଶ୍ୱରେ ବଢ଼ିଛି ଭାରତର ଧାକ୍ । ସାରା ବିଶ୍ୱ ଏବେ ଭାରତକୁ ସାଲ୍ୟୁଟ କରୁଛି । ଭାରତରେ ଖୁବ୍‌ ସୁରୁଖୁରୁରେ ଆୟୋଜିତ ହୋଇଯାଇଛୀ G20 ସମ୍ମିଳନୀ । ଆଉ ଏଭଳି ଭବ୍ୟ ଆୟୋଜନ ପାଇଁ ସାରା ବିଶ୍ୱ ଭାରତକୁ କରିଛି ଭୁରି ଭୁରି ପ୍ରଶଂସା । ମୋଦିଙ୍କ ଭାଷଣ ବିଶ୍ୱ ନେତାଙ୍କୁ କରିଥିଲା ମନ୍ତ୍ରମୁଗ୍ଧ ।

G20 ସମ୍ମିଳନୀ ଲାଗି ରାଜଧାନୀ ଦିଲ୍ଲୀରେ କରାଯାଇଥିଲା ଜୋରଦାର ପ୍ରସ୍ତୁତି। ଅତିଥିଙ୍କୁ ସ୍ୱାଗତ ଲାଗି ଦୁଲହନ୍ ଭଳି ସଜେଇ ହୋଇଥିଲା ଦିଲ୍ଲୀ । ସୁରକ୍ଷା ବନ୍ଦୋବସ୍ତକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା। ଚିକମିକ୍ ଆଲୋକମାଳାରେ ଝଲସୁଥିଲା ଦିଲ୍ଲୀର ରାସ୍ତାଘାଟ। ଆଉ ଭାରତ ମଣ୍ଡପମ୍‌ର ଦୃଶ୍ୟ ସମସ୍ତଙ୍କୁ କରିଥିଲା ଆକର୍ଷିତ ।

୩. ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ

୨୦୨୩ର ସବୁଠାରୁ ବଡ଼ ଖବର ଥିଲା ୫ ରାଜ୍ୟ ଛତିଶଗଡ଼-ରାଜସ୍ଥାନ-ମଧ୍ୟପ୍ରଦେଶ-ତେଲେଙ୍ଗାନା-ମିଜୋରାମର ନିର୍ବାଚନ ଫଳାଫଳ । ଯେଉଁଥିରେ ବିଜେପି ମାରିଛି ବାଜି । କଂଗ୍ରେସ ହାତରୁ ଛଡ଼ାଇ ଆଣିଛି ଦୁଇ ରାଜ୍ୟ ରାଜସ୍ଥାନ ଓ ଛତିଶଗଡ଼ । ଏହି ଦୁଇ ରାଜ୍ୟରେ ବିଜେପି- କଂଗ୍ରେସ ମଧ୍ୟରେ ନେକ୍‌ ଟୁ ନେକ୍‌ ଫାଇଟ୍‌ ଦେଖିବାକୁ ମିଳିଥିଲା । ହେଲେ ଶେଷରେ ବିଜେପି ବାଜି ମାରିଥିଲା । ମୋଟ ୫ ରାଜ୍ୟରୁ ବିଜେପି ହାତକୁ ଯାଇଛି ୩ ରାଜ୍ୟ । ଆଉ BRS ଠାରୁ ତେଲେଙ୍ଗାନା ଛଡ଼ାଇ ଆଣିଥିଲା କଂଗ୍ରେସ । ଏହି ଫଳାଫଳ ଉପରେ ଥିଲା ସମସ୍ତଙ୍କ ନଜର । କାରଣ ଏହା ଥିଲା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ । କୁହାଯାଉଛି ଏହି ଫଳାଫଳ ହିଁ ସ୍ପଷ୍ଟ କରୁଛି ଦେଶର ମୁଡ୍‌ । ଅନୁମାନ କରିବା ସହଜ ହେଉଛି, ଦେଶର ଜନତା କାହା ସପକ୍ଷରେ ଅଛନ୍ତି । ଆଉ ନିର୍ବାଚନ ଆସିଲେ କେଉଁ ଦଳ ପାଇବ ଅଧିକ ସମର୍ଥନ ।

ତେବେ ବିଜେପି ଜିତିଥିବା ୩ ରାଜ୍ୟ ରାଜସ୍ଥାନ-ମଧ୍ୟପ୍ରଦେଶ-ଛତିଶଗଡ଼ରେ ଖେଳିଛି ନୂଆ ଚାଲ । ବିରିଷ୍ଠଙ୍କୁ ବିଶ୍ରାମ ଦେଇ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛି । ଛତିଶଗଡ଼ରେ ବିଷ୍ଣୁ ଦେଓଙ୍କୁ ମୁଖ୍ୟମନ୍ତ୍ରୀ କରିଥିବା ବେଳେ ମଧ୍ୟପ୍ରଦେଶରେ ମୋହନ ଦବଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ସେହିଭଳି ରାଜସ୍ଥାନରେ ଭଜନଲାଲ ଶର୍ମା ନେଇଛନ୍ତି ମୁଖ୍ୟମନ୍ତ୍ରୀ ଦାୟିତ୍ୱ । ଅନ୍ୟପଟେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଦୁଇ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ କରିଛି ବିଜେପି । ରାଜସ୍ଥାନରେ ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ମଧ୍ୟପ୍ରଦେଶରେ ରାଜେନ୍ଦ ଶୁକ୍ଲା ଓ ଜଗଦିଶ ଦେବଡ଼ା, ଛତିଶଗଡ଼ରେ ଅରୁଣ ସାଓ ଓ ବିଜୟ ଶର୍ମା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

୪.ମହିଳା ସଂରକ୍ଷଣ ବିଲ୍

ଲୋକସଭା ଓ ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍‌ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । ଲୋକସଭାରେ ବିଲ୍‌ ସପକ୍ଷରେ ୪୫୪ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨ଟି ଭୋଟ୍‌ ପଡ଼ିଥିଲା । ସେହିଭଳି ରାଜ୍ୟସଭାରେ ଭୋଟିଂ ବେଳେ ବିଲ ସପକ୍ଷରେ ୨୧୫ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ କେହି ବି ଭୋଟ୍ ଦେଇନଥିଲେ । ନୂଆ ସଂସଦ ଭବନକୁ ପ୍ରବେଶ ପରେ କେନ୍ଦ୍ର ସରକାର ଆଣିଥିଲେ ଏହି ମହିଳା ସଂରକ୍ଷଣ ବିଲ୍‌। ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଏହି ବିଲ୍‌ ପ୍ରସ୍ତୁତ କରାଯାଇଛି । ଲୋକସଭା ଓ ରାଜ୍ୟର ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବା ନେଇ ମଧ୍ୟ ଏଥିରେ ପ୍ରସ୍ତାବ ରହିଛି।

ଏହାରି ଭିତରେ ସବୁଠାରୁ ବଡ଼ ଖବର ହେଲା, ବିଜେପି ସରକାର ଏହି ବିଲ୍‌ ଆଣିଥିବା ବେଳେ କଂଗ୍ରେସ ବି ଏହାକୁ ସମର୍ଥନ କରିଥିଲା । ସେତେବେଳେ କୁହାଗଲା କଂଗ୍ରେସ ପାଖରେ ଆଉ କିଛି ଚାରା ନଥିଲା ତେଣୁ ବାଧ୍ୟ ହୋଇ ଏହି ବିଲ୍‌କୁ ସମର୍ଥନ କଲା । ଏହି ବିଲ୍‌କୁ ବିରୋଧ କରିଥିଲେ କଂଗ୍ରେସର ଭାବମୂର୍ତ୍ତୀ କ୍ଷୂର୍ଣ୍ଣ ହୋଇଥାନ୍ତା । ଏମିତିକି ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିଥାନ୍ତା । ସେପଟେ ସଂସଦର ଉଭୟ ଗୃହରେ ବିଲ ପାସ ହେବା ପରେ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଇବାକୁ ଏହି ବିଲ୍ ବାଟ କଢାଇବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

୫.ଲାଞ୍ଚ ନେଇ ଗୃହରେ ପ୍ରଶ୍ନ

ଟିଏମ୍‌ସି ସାଂସଦ ମହୁଆଙ୍କ ମୈତ୍ର, ଟଙ୍କା ନେଇ ଗୃହରେ ପ୍ରଶ୍ନ କରିଥିବା ଅଭିଯୋଗ ହୋଇଥିଲା । ତାପରେ ଲୋକସଭାରୁ ତାଙ୍କୁ ବହିଷ୍କାର କରାଯାଇଥିଲା । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ବହିଷ୍କୃତ କରାଯାଇଥିଲା ।

ମହୁଆଙ୍କ ବିରୋଧରେ ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାର ତଦନ୍ତ କରି ପାର୍ଲାମେଣ୍ଟ ଏଥିକ୍ସ କମିଟି ପକ୍ଷରୁ ଲୋକସଭାରେ ରିପୋର୍ଟ ଉପସ୍ଥାପନ ହୋଇଥିଲା । ଏହା ଉପରେ ଗୃହରେ ବିତର୍କ ହେବା ପରେ ମହୁଆଙ୍କୁ ବହିଷ୍କାର ପାଇଁ ଏଥିକ୍ସ କମିଟି କରିଥିବା ସୁପାରିଶ ବାଚନିକ ଭୋଟରେ ଗୃହୀତ ହୋଇଥିଲା । ପ୍ରାୟ ୫ଶହ ପୃଷ୍ଠାର ରିପୋର୍ଟରେ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରାଯାଇଥିଲା ।

୬.ମହୁଆ ମୈତ୍ର ଓ ପିନାକୀ ମିଶ୍ର ସମ୍ପର୍କ !

ସେପଟେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସହ ପୁରୀ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କର ରହିଛି କି ସଂପର୍କ ? ଏହାକୁ ନେଇ ମଧ୍ୟ ରାଜ୍ୟରେ ଝଡ଼ ସୃଷ୍ଟି ହୋଇଥିଲା । କ୍ୟାସ ଫର କ୍ୱେରି ବିବାଦରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀ ପିନାକୀଙ୍କ ନାଁ ନେବା ପରେ ରାଜ୍ୟରେ ରାଜନୈତିକ ଝଡ଼ ଉଠିଥିଲା । ମହୁଆଙ୍କ ସହ ପିନାକୀଙ୍କ ଫଟୋ ଦେଖାଇ ଟାର୍ଗେଟ କରିଥିଲା ବିଜେପି । ମୁଖ୍ୟମନ୍ତ୍ରୀ ପିନାକୀଙ୍କୁ ଦଳରୁ ବହିଷ୍କାର କରିବା ସହ EOW ଦ୍ୱାରା ଅଭିଯୋଗର ତଦନ୍ତ କରାନ୍ତୁ ବୋଲି ଦଳ ଦାବି କରିଥିଲା ।

ଅପରପକ୍ଷେ ମହୁଆଙ୍କୁ ଦିଆଯାଇଥିବା ଦୁଇ କୋଟିର ହାୱଲା ଅର୍ଥ ଓଡ଼ିଶାର କେଉଁ ସାଂସଦଙ୍କ ପାଖରେ ସୁରକ୍ଷିତ ରହିଛି ବୋଲି ଏକ୍ସ’ରେ ପଚାରିଥିଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । ମହୁଆ ପ୍ରସଙ୍ଗକୁ ନେଇ କଂଗ୍ରେସ ବି ପିନାକୀଙ୍କୁ ସମାଲୋଚନା କରିଥିଲା । ପିନାକୀ ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କ ଭଳି ବିରୋଧୀ ଦଳ ନେତାଙ୍କ ସହ ମହୁଆଙ୍କ ନିବିଡ଼ତା ରହିଛି ଓ ସେ ଦୃଷ୍ଟିରୁ ମହୁଆ ତାଙ୍କୁ ଲାଭ ପହଞ୍ଚାଇବା ଆଶା ରଖି ସେ ତାଙ୍କ ପିଛା ବିପୁଳ ଅର୍ଥ ଖର୍ଚ୍ଚ କରିଥିବା ସତ୍ୟପାଠରେ ଦର୍ଶାଇଥିଲେ ହିରାନନ୍ଦାନୀ । ତେଣୁ ପିନାକୀଙ୍କ ସହାୟତାରେ ହିରାନନ୍ଦାନୀ ଓଡ଼ିଶାରୁ ପାଇନାହାନ୍ତି ତ କିଛି ଅବାଞ୍ଛିତ ଫାଇଦା ? ତାକୁ ନେଇ ଉଠିଥିଲା ପ୍ରଶ୍ନ ।

୭.ଉପରାଷ୍ଟ୍ରପତିଙ୍କ ମିମିକ୍ରି

ସଂସଦ ଭବନର ମକର ଦ୍ୱାରରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଭିନ୍ନ ଏକ ଅଙ୍ଗଭଙ୍ଗୀ । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ କହିବା ଶୈଳୀକୁ ନକଲ କରି ତାଙ୍କୁ ବିଦ୍ରୁପ କରିଥିଲେ ପଶ୍ଚିମବଙ୍ଗର ସାଂସଦ କଲ୍ୟାଣ। ଆଉ ସେଠାରେ ଉପସ୍ଥିତ ସାଂସଦମାନେ ଏହି ଆଚରଣକୁ ନିନ୍ଦା କରିବା ପରିବର୍ତ୍ତେ ବଡ଼ପାଟିରେ ହସୁଥିଲେ । ସାମ୍ନାରେ ଠିଆ ହୋଇ ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧି ମୋବାଇଲରେ ଭିଡିଓ ରେକର୍ଡ କରୁଥିଲେ। ଯାହାକି ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଆଉ ରାହୁଲଙ୍କ ଛବିକୁ ଆହୁରି ମଳିନ କରିଥିଲା । ସଂସଦ ଭବନର ପ୍ରବେଶ ଦ୍ୱାରରେ ନିଲମ୍ବିତ ସାଂସଦମାନେ ଧାରଣା ଦେଉଥିବା ବେଳେ ଦେଖିବାକୁ ମିଳିଥିଲା ଏହି ଲଜ୍ଜାଜନକ ଘଟଣା। ଖୋଦ୍ ଉପରାଷ୍ଟ୍ରପତି ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ।

୮. ପାର୍ଲାମେଣ୍ଟରେ ସ୍ମୋକ୍‌ ଆଟାକ୍

୨୦୦୧ରେ ଟେରରିଷ୍ଟ୍ ଆଟାକ୍, ୨୦୨୩ରେ ସ୍ମୋକ୍ ଆଟାକ୍। ସେଇ ମାସ ଓ ସେଇ ତାରିଖରେ ପୁଣି ଟାର୍ଗେଟରେ ଥିଲା ପାର୍ଲାମେଣ୍ଟ । ଦୀର୍ଘ ୨୨ ବର୍ଷ ପରେ ପୁଣି ସଂସଦ ଭବନରେ ହଡ଼କଂପ ଦେଖିବାକୁ ମିଳିଥିଲା । ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ୨୦୦୧ ପାର୍ଲାମେଣ୍ଟ ଆଟାକରେ ପ୍ରାଣବଳି ଦେଇଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଉପରାଷ୍ଟ୍ରପତି, ବାଚସ୍ପତି, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହ ସବୁ ଦଳ ସାଂସଦ। ଆଉ ଠିକ୍ ମଧ୍ୟାହ୍ନ ପରେ ପରେ ଲୋକସଭା ଭିତରେ ଘଟିଗଲା ଅଭାବନୀୟ ଘଟଣା। କିଛି ଦୁର୍ବୃତ୍ତ ସଂସଦ ଭବନରେ କରିଥିଲେ ସ୍ମୋକ ଆଟାକ୍ । ଧୁଆଁମୟ ହୋଇଯାଇଥିଲା ପୁରା ଗୃହ । ଆଉ ତାପରେ ଭିଜିଟର୍ସ ଗ୍ୟାଲେରିର କର୍ଡନ ଟପି ଲୋକସଭାକୁ ଡେଇଁଥିଲେ ଦୁର୍ବୃତ୍ତ ।

ତେବେ ସଂସଦ ଭବନକୁ ଅଭେଦ୍ୟ ଦୁର୍ଗରେ ପରିଣତ କରିବା ପାଇଁ ନିୟୋଜିତ ଥାଆନ୍ତି ପାର୍ଲାମେଣ୍ଟ ସିକ୍ୟୁରିଟି ସର୍ଭିସ୍, ଦିଲ୍ଲୀ ପୋଲିସ, ପାର୍ଲାମେଣ୍ଟ ଡ୍ୟୁଟି ଗ୍ରୁପ୍ ଓ ଅନ୍ୟ ସହଯୋଗୀ ସୁରକ୍ଷା ସଂସ୍ଥା । ବହୁ ସ୍ତରୀୟ ସୁରକ୍ଷା ବଳୟ ଟପିବା ପାଇଁ ଡୋର୍-ଫ୍ରେମ୍ ମେଟାଲ୍ ଡିଟେକ୍ଟର, ମଡର୍ଣ୍ଣ ଗ୍ୟାଜେଟ୍, ରେଡିଓ ଫ୍ରିକ୍ୱେନ୍ସି ଟ୍ୟାଗ୍ ଏବଂ ସୁରକ୍ଷା କର୍ମୀଙ୍କ ତୀକ୍ଷ୍ଣ ନଜରର ସାମ୍ନା କରିବାକୁ ପଡ଼ିଥାଏ। ଅସ୍ତ୍ରଶସ୍ତ୍ର ତ ଦୂରର କଥା, ମୋବାଇଲ ନେବାକୁ ବି ଅନୁମତି ନ ଥାଏ । ଅତିକମ୍‌ରେ ୩ ଥର ଯାଞ୍ଚ ହୁଏ ବ୍ୟାଗ୍‌ପତ୍ର । ଏତେ ସବୁ ସତ୍ତ୍ୱେ ଗୃହ ଭିତରେ କେମିତି ପଶିଲେ ସେହି ଦୁର୍ବୃତ୍ତ । କ’ଣ ଥିଲା ତାଙ୍କର ଉଦେଶ୍ୟ ? ଏଭଳି କାଣ୍ଡ ପାଇଁ କାହିଁକି ସେହି ଦିନକୁ ବାଛିଲେ । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରାଯାଉଛି ।

୯. ୧୪୦ ସାଂସଦ ନିଲମ୍ବିତ

ପାର୍ଲାମେଣ୍ଟ ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ନେଇ ସଂସଦରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଥିଲା ଅଚଳାବସ୍ଥା। ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଉଭୟ ଗୃହର ୧୪୦ରୁ ଅଧିକ ବିରୋଧୀ ସାଂସଦଙ୍କୁ ସସପେଣ୍ଡ କରାଯାଇଥିଲା। ଯାହାକି ଇତିହାସରେ ଏକ ରେକର୍ଡ ବୋଲି କୁହାଯାଉଛି । ଅନ୍ୟପଟେ ସଂସଦରେ ଆତତାୟୀ ପଶିବା ଘଟଣା ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କେନ୍ଦ୍ର ସରକାର ଏଥିପ୍ରତି ବେଶ୍ ଯନ୍ତ୍ରବାନ ରହିବା ସହ ଏଦିଗରେ ଆବଶ୍ୟକ କଡ଼ା ପଦକ୍ଷେପ ନେଇଛନ୍ତି । କୌଣସି ମତେ ଏଭଳି ଘଟଣାକୁ ଅଣଦେଖା କିମ୍ବା ହାଲୁକା ଭାବେ ନିଆଯାଇପାରିବନି । ତଦନ୍ତକାରୀ ସଂସ୍ଥା ପୁରା ମାମଲାର ତଦନ୍ତ କରୁଛି । ଏହି ଘଟଣା ଓ ଷଡ଼ଯନ୍ତ୍ର ପଛରେ କିଏ ରହିଛନ୍ତି ସେଦିଗରେ ବି ଖୋଳତାଡ଼ କରାଯାଉଥିବା କହିଥିଲେ ପ୍ରଧାନମନ୍ତ୍ରୀ ।