BJD
ବଢ଼ିଲା ବିଜେଡି କନ୍ଦଳ। ଅମରଙ୍କୁ ବିଜେଡି ଛାଡ଼ି ପଳାଇବାକୁ କହିଲେ ଲେନିନ୍ ମହାନ୍ତି। ବରିଷ୍ଠ ନେତା ଅମର ଶତପଥିଙ୍କ ବିସ୍ଫୋରକ ବୟାନ ପରେ ଲେନିନ୍ ଅମରଙ୍କୁ ଏପରି କହିଛନ୍ତି। ଦୁଇଦିନ ତଳେ ଅମର ଶତପଥି ଦଳର ପରାଜୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ। ନିର୍ବାଚନ ବିଜୟ ସମୟରେ ଯଦି ନବୀନ ଶ୍ରେୟ ନେଉଥିଲେ ତାହେଲେ ପରାଜୟର ଦାୟିତ୍ବ ବି ସେ ମୁଣ୍ଡାଇବେ ବୋଲି କହିଥିଲେ।
ଏହାର ଜବାବରେ ଲେନିନ୍ କହିଛନ୍ତି, ଯାହାଙ୍କୁ ଦଳରେ ଅଣନିଃଶ୍ବାସୀ ଲାଗୁଛି, ଛାଡ଼ି ପଳାଇଲେ ଭଲହୁଅନ୍ତା। ସେ ତ ନିଜ ପୁତୁରାଙ୍କୁ ଆଗରୁ ବିଜେପିକୁ ଛାଡ଼ିଛନ୍ତି, ଏବେ ନିଜେ ପଳାନ୍ତୁ । ଦଳ ତାଙ୍କୁ ୬ ଥର ବିଧାୟକ କରିଛି, ବିଭିନ୍ନ ପଦ ପଦବୀ ଦେଇଛି। ତା ପରେ ଯଦି ତାଙ୍କୁ ଅଣନିଃଶ୍ବାସୀ ଲାଗୁଛି, ଛାଡ଼ି ପଳାଇଲେ ଭଲ ହେବ।ସେ ଚାଲିଗଲେ ଦଳର ପଇସାଟିଏର କ୍ଷତି ହେବ ନାହିଁ କହିଲେ ଲେନିନ୍। ଯେଉଁମାନେ ଦଳରୁ ଡେଇଁଛନ୍ତି, ସେମାନେ ବିଜେପି ସଂପର୍କରେ ଥିଲେ। ସେ ବିଜେପିକୁ ଯାଉନାହାନ୍ତି, ବିଜେପି ତ ତାଙ୍କୁ ପ୍ରଧାନମନ୍ତ୍ରୀ କରିଦେବନି।ଯେଉଁମାନେ ବିଜେପି ଯାଇଛନ୍ତି, ସେମାନେ ସେଠି କଣ ପାଇଛନ୍ତି ବୋଲି ପ୍ରଶ୍ନ କରିବା ସହ ଯେଉଁମାନେ ବି ଯିବାକୁ ଚାହୁଁଛନ୍ତି ଯାଆନ୍ତୁ, ବିଜେଡି ଆହୁରି ସୁଦୃଢ଼ ହେବ ବୋଲି ଲେନିନ କହିଛନ୍ତି।
ଏହାର ଉତ୍ତର ଦେବାକୁ ଯାଇ ସେ ବିଜେଡିରେ ନାହାଁନ୍ତି ବୋଲି ବଡ଼ ମନ୍ତବ୍ୟ ଦେଇଛନ୍ତି ଅମର ଶତପଥୀ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅମର କହିଛନ୍ତି. ମୁଁ ବିଜେଡିରେ ନାହିଁ, ମୁଁ ଏବେ ସ୍ବାଧୀନ । ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି। ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ କିନ୍ତୁ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି। ଲେନିନ୍ଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି ବୋଲି କହିଛନ୍ତି ଅମର । ବିଜେପିକୁ ପୁତୁରା ଯିବା ପ୍ରସଙ୍ଗରେ ସେ କହିଛନ୍ତି, ମୋ ପୁତୁରା କେହି ବିଜେପିକୁ ଯାଇନାହାନ୍ତି, ସେ ନାଁ କହିଲେ ଭଲ ହେବ। ବିଜେପି ସହ ଅନେକ ଦଳ ମୋ ସହ ଯୋଗାଯୋଗରେ ଅଛନ୍ତି। ମୁଁ କିନ୍ତୁ ଏବେ ସକ୍ରିୟ ରାଜନୀତିରୁ ନିବୃତ ରହିଛି ବୋଲି ଅମର ସ୍ପଷ୍ଟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BJD_1728892085.jpg)