• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଜାରି । ଗୋଟିଏ ପଟେ ବଢୁଛି ବରିଷ୍ଠ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ଗୋଷ୍ଠୀଙ୍କ ବଳ । ସିନ୍ଦେ କ୍ୟାମ୍ପରେ ସାମିଲ ହେଉଛନ୍ତି ଜଣଙ୍କ ପରେ ଜଣେ ବିଧାୟକ । ଏହାସତ୍ତ୍ୱେ ହାର ମାନିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବାଲ୍ ଠାକରେଙ୍କ ଶିବସେନା ଏବେବି ଜୀବିତ ଅଛି ଓ ସେ ଶେଷ ପର୍ଯ୍ୟନ୍ତ ଲଢିବେ ବୋଲି ଦୃଢୋକ୍ତି କରିଛନ୍ତି । ଅନ୍ୟପକ୍ଷରେ ଫ୍ଲୋର ଟେଷ୍ଟ ହେଲେ ସରକାର ନିଶ୍ଚିତ ବିଜୟୀ ହେବେ ବୋଲି କହିଛନ୍ତି ଦଳର ପ୍ରମୁଖ ନେତା ସଂଜୟ ରାଉତ ।

ଉଦ୍ଧବଙ୍କ ଦୃଢୋକ୍ତି ମୁଖ୍ୟମନ୍ତ୍ରୀ ବାସଭବନ ବର୍ଷା ଛାଡିଛି ସିନା ଆଶା ଛାଡିନି । ଶେଷ ପର୍ଯ୍ୟନ୍ତ ଲଢିବି । ଶିବସେନାର ଅଧିକାଂଶ ବିଧାୟକ ବିଦ୍ରୋହ ଘୋଷଣା କରି ଆସାମରେ ଡେରା ପକାଇଥିବା ବେଳେ ଆଜି ଜିଲ୍ଲା ସଭାପତିମାନଙ୍କ ବୈଠକ ଅବସରରେ ଏହା କହିଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏଥିସହିତ ତାଙ୍କ ଖରାପ ସ୍ୱାସ୍ଥ୍ୟ ବିଷୟରେ ବଖାଣି ବିଦ୍ରୋହୀଙ୍କୁ ଭାବପ୍ରବଣ ଅପିଲ୍ କରିଥିଲେ ।

ସର୍ଜିରୀ ଯୋଗୁ ତାଙ୍କ ହାତଗୋଡରେ ଜୀବନ ନଥିଲା ଭଳି ଲାଗୁଛି, ଏହାସତ୍ତ୍ୱେ ସେ ହାର ମାନିବେ ନାହିଁ ବୋଲି କହିଥିଲେ । ତେବେ ତାଙ୍କ ଦୃଢତା ଓ ଭାବପ୍ରବଣତା ମୁଖ୍ୟମନ୍ତ୍ରୀ ଗାଦି ଓ ଶିବସେନା ଉପରେ ନିୟନ୍ତ୍ରଣ, କୌଣସି ଗୋଟିଏ ବି ବଞ୍ଚାଇ ପାରିବା ଭଳି ଲାଗୁନି । କାରଣ ଦଳୀୟ ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିବା ଏକନାଥ ସିନ୍ଦେଙ୍କର ବଢିବାରେ ଲାଗିଛି ବଳ । ଜଣଙ୍କ ପରେ ଜଣେ ବିଧାୟକ ସିନ୍ଦେ କ୍ୟାମ୍ପରେ ସାମିଲ ହେଉଛନ୍ତି । ଏହାର ପ୍ରମାଣ ଦେବାକୁ ଯାଇ ତାଙ୍କୁ ସମର୍ଥନ କରୁଥିବା ବିଧାୟକମାନଙ୍କୁ ଗୌହାଟି ହୋଟେଲରେ ପରେଡ୍ କରାଇଛନ୍ତି ସିନ୍ଦେ ।

ଏଥିସହିତ ସିନ୍ଦେଙ୍କୁ ଶିବସେନା ନେତା ଭାବେ ଗୃହରେ ମାନ୍ୟତା ଦେବା ଲାଗି ୩୭ ବିଧାୟକଙ୍କ ହସ୍ତାକ୍ଷର ସମ୍ବଳିତ ଚିଠି ଉପବାଚସ୍ପତି ନରହରି ଜିରଓ୍ୱାଲଙ୍କୁ ଦିଆଯାଇଛି । ଉପ ବାଚସ୍ପଚି, ଅଜୟ ଚୌଧୁରୀଙ୍କୁ ବିଧାନସଭାରେ ଶିବସେନା ବିଧାୟକ ଦଳର ନେତା ମାନ୍ୟତା ଦେବା ପରେ ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ସେପଟେ ଉଦ୍ଧବ ସରକାରର ପତ୍ତନ ଅବସମ୍ଭାବୀ ଜାଣି ବିଚଳିତ ହୋଇପଡିଛନ୍ତି ବରିଷ୍ଠ ନେତା ସଂଜୟ ରାଉତ୍ । ମୁମ୍ବାଇ ଫେରିଆସି ଉଦ୍ଧବଙ୍କ ସହ ସେମାନଙ୍କ ଆପତ୍ତି ଅଭିଯୋଗ ସଂପର୍କରେ ଆଲୋଚନା ପାଇଁ ପ୍ରଥମେ ବିଦ୍ରୋହୀଙ୍କୁ ଅନୁରୋଧ କରିଥିଲେ ସଂଜୟ । ତେବେ ବିଦ୍ରୋହୀ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ପରେ ଚାପ ପ୍ରୟୋଗ ଲାଗି ଦଳୀୟ ହୁଇପ୍ ଅମାନ୍ୟ କରିଥିବା ଦର୍ଶାଇ ସିନ୍ଦେଙ୍କ ସମେତ ୧୨ ବିଧାୟକଙ୍କୁ ସସ୍ପେଣ୍ଡ ପାଇଁ ଶିବସେନା ପକ୍ଷରୁ ଉପବାଚସ୍ପତିଙ୍କୁ ଚିଠି ଲେଖାଯାଇଥିଲା ।

ଏହାର ବି କିଛି ପ୍ରଭାବ ନପଡିବା ପରେ, ବିଦ୍ରୋହୀଙ୍କୁ ଭୟ ଦେଖାଇବାକୁ ଉଦ୍ୟମ କରିଛନ୍ତି ସଂଜୟ । ଶିବ ସୈନିକ ରାସ୍ତାକୁ ଓହ୍ଲାଇଲେ ବିଦ୍ରୋହୀଙ୍କ ମହାରାଷ୍ଟ୍ର ଫେରିବା ରାସ୍ତା ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଫ୍ଲୋର ଟେଷ୍ଟ ହିଁ ଏକମାତ୍ର ବିକଳ୍ପ ଓ ଉଦ୍ଧବ ସରକାର ଏଥିରେ ନିଶ୍ଚୟ ବିଜୟୀ ହେବ ବୋଲି ଦୃଢତାର ସହ କହିଛନ୍ତି । ଏପଟେ ସରକାର ବଞ୍ଚାଇବା ଲାଗି ଶିବସେନା ଓ ସହଯୋଗୀ ଏନସିପି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି ।

ସେପଟେ ମହାରାଷ୍ଟ୍ର ମହାପଲିଟିକ୍ସ ଉପରେ ଟିପ୍ପଣୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅନୈତିକ ଭାବେ କାଯର୍ୟ କରୁଥିବା କହିଛନ୍ତି ଗୋୟଲ । ଏନସିପି-ଶିବସେନା ଓ କଂଗ୍ରେସ ମହାଅଘାଡି ଅପବିତ୍ର ଗଠବନ୍ଧନ ଓ ଏହାର ପତ୍ତନ ନିଶ୍ଚିତ ଥିଲା ବୋଲି ସେ କହିଛନ୍ତି । ସେପଟେ ବିଦ୍ରୋହୀ ବିଧାୟକ ଆସାମରେ ଡେରା ପକାଇବାକୁ ନେଇ ସମାଲୋଚନା ପରେ ଉଦ୍ଧବଙ୍କୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଉଦ୍ଧବ ବି ଛୁଟି କଟାଇବାକୁ ଆସାମ ଆସନ୍ତୁ ବୋଲି ସେ ତାଚ୍ଛଲ୍ୟ କରିଛନ୍ତି ।

ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଜାରି ରହିଥିବା ବେଳେ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି ।