ଅଚାନକ ମୁଖ୍ୟମନ୍ତ୍ରୀ ହୋଇଥିଲେ ଯୋଗୀ, ଏବେ ଦଳର ଫେସ୍

ମାର୍ଚ୍ଚ 17 ତାରିଖରେ ଯୋଗୀ ଗୋରଖପୁର ଫେରିଆସିଲେ । ପରେ ଅମିତ ଶାହ ଫୋନ୍ କରି କହିଲେ, ତୁରନ୍ତ ଦିଲ୍ଲୀ ଆସ । ସନ୍ଧ୍ୟାରେ ଗୋରଖପୁରରୁ ଦିଲ୍ଲୀକୁ ଫ୍ଲାଇଟ୍ ଓ ଟ୍ରେନର ସୁବିଧା ନଥିଲା । ତା ପରଦିନ ଯୋଗୀଙ୍କୁ ନେବା ପାଇଁ ଦିଲ୍ଲୀରୁ ଚାଟର୍ଡ ବିମାନ ଆସିଲା ।

Yogi Adityanath

୨୦୧୭ ମସିହା ଫେବୃଆରୀ ୨୫ ତାରିଖ । ଉତ୍ତରପ୍ରଦେଶର ବିଧାନ ସଭା ନିର୍ବାଚନ ଚାଲିଥାଏ । ତତ୍କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ସେତେବେଳର ଗୋରଖପୁର ସାଂସଦ ଯୋଗୀ ଆଦିତ୍ୟନାଥଙ୍କୁ କହିଲେ, ସଂସଦୀୟ ଦଳର ନେତୃତ୍ୱ ନେଇ ମରିସସ୍ ଯାଅ । ସବୁ ପର୍ଯ୍ୟାୟ ଭୋଟ ଗ୍ରହଣ ସରିବା ପରେ ମାର୍ଚ୍ଚ ୬ ପରେ ଯାଇପାରିବେ ବୋଲି କହିଥିଲେ ଯୋଗୀ । ତେବେ ମାର୍ଚ୍ଚ ୧୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ କୁହାଗଲା ଯେ, ମାର୍ଚ୍ଚ ୧୧ରେ ଭୋଟ ଗଣତି ଅଛି । ତୁମକୁ ଉତ୍ତରପ୍ରଦେଶରେ ହିଁ ରହିବାକୁ ପଡିବ । ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ନିର୍ବାଚନରେ ବିପୁଳ ବିଜୟ ପରେ ମାର୍ଚ୍ଚ ୧୬ ତାରିଖରେ ବିଜେପି ସଂସଦୀୟ ବୋର୍ଡ ବୈଠକ ବସିଲା । ତତ୍କାଳୀନ ବିଜେପି ସଭାପତି ଅମିତ ଶାହା ଯୋଗୀଙ୍କୁ ଭେଟିବାକୁ ଚାହିଁଲେ । ଦୁଇଜଣଙ୍କ ମଧ୍ୟରେ ଆଲୋଚନା ବି ହେଲା । ଉତ୍ତରପ୍ରଦେଶର ରାଜନୈତିକ ସ୍ଥିତି ନେଇ ଦୁଇଜଣ ଯାକ କଥା ହେଲେ । ହେଲେ ଯୋଗୀ ଏଥିରୁ କିଛି ଠଉରେଇ ପାରିନଥିଲେ ।

ମାର୍ଚ୍ଚ ୧୭ ତାରିଖରେ ଯୋଗୀ ଗୋରଖପୁର ଫେରିଆସିଲେ । ପରେ ଅମିତ ଶାହ ଫୋନ୍ କରି କହିଲେ, ତୁରନ୍ତ ଦିଲ୍ଲୀ ଆସ । ସନ୍ଧ୍ୟାରେ ଗୋରଖପୁରରୁ ଦିଲ୍ଲୀକୁ ଫ୍ଲାଇଟ୍ ଓ ଟ୍ରେନର ସୁବିଧା ନଥିଲା । ତା ପରଦିନ ଯୋଗୀଙ୍କୁ ନେବା ପାଇଁ ଦିଲ୍ଲୀରୁ ଚାଟର୍ଡ ବିମାନ ଆସିଲା । ଯୋଗୀ ଦିଲ୍ଲୀ ଯାଇ ଅମିତ ଶାହାଙ୍କୁ ଭେଟିଲେ । ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଦଳ ଚାହୁଁଛି ବୋଲି ଅମିତ ଶାହା ଜଣାଇଦେଲେ । ତାଙ୍କୁ ପୁଣି ଲକ୍ଷ୍ନୌ ଯିବାକୁ ପରାମର୍ଶ ଦେଲେ । ଏହା ପରେ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ଘୋଶଣା କରାଯାଇଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଯୋଗୀ ଆଦିତ୍ୟନାଥ ।

ଗୋରଖନାଥ ପୀଠର ମୁଖ୍ୟ ପୂଜକ ଥିବା ଯୋଗୀଙ୍କୁ ଦଳ ଏଥର ଗୋରଖପୁର ସହରାଞ୍ଚଳ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ବିଜେପିର ଅନେକ ନେତା ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ସହ ତୁଳନା କରନ୍ତି । ୧୯୯୧ ମସିହାରେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜେପି ସେତେବେଳେ ୪୨୫ ଆସନରୁ ୨୨୧ଟି ଆସନ ଜିତିଥିଲା । ସେତେବେଳେ ରାମ ମନ୍ଦିର ଆନ୍ଦୋଳନ ଜୋରସୋରରେ ଚାଲିଥିଲା . କଲ୍ୟାଣ ସିଂହଙ୍କ ପଛରେ ଦଳର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଓ ଆରଏସଏସର ସମର୍ଥନ ଥିଲା । ୧୯୯୨ ମସିହାରେ ବାବ୍ରୀ ମସଜିଦ ଭଙ୍ଗାଯିବା ପରେ କଲ୍ୟାଣ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

୨୦୦୨ ମସିହାରେ ରାଜନାଥ ସିଂହ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ମାତ୍ର ୧୮ ମାସ ଏହି ପଦରେ ତିଷ୍ଠି ରହିପାରିଥିଲେ । ଏହା ପରେ ୨୦୧୭ ମସିହାରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବିଜେପି ଉତ୍ତରପ୍ରଦେଶରେ ୩୨୫ଟି ଆସନ ଜିତିଥିଲା । ଲୋକସଭା ସାଂସଦ ପଦ ଛାଡି ଯୋଗୀ ହୋଇଥିଲେ ମୁଖ୍ୟମନ୍ତ୍ରୀ । ପରେ ହୋଇଥିଲେ ବିଧାନ ପରିଷଦ ସଭ୍ୟ । ୨୦୦୭ ରେ ବିଜେପି ୫୧ଟି ବିଧାନସଭା ଆସନ ଓ ୨୦୧୨ରେ ୪୭ଟି ବିଧାନସଭା ଆସନ ଜିତିଥିଲା । ଏବେ ଯୋଗୀଙ୍କ ଉପରେ ଭରସା କରିଛି ଦଳ ।