• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

୬ ଜାନୁଆରୀ ୨୦୨୫, ଓଡ଼ିଶା ରାଜନୈତିକ ଇତିହାସ ପାଇଁ ଥିଲା ଏକ ଉଲ୍ଲେଖନୀୟ ଦିନ; ଭାରତୀୟ ଗଣତାନ୍ତ୍ରୀକ ଶକ୍ତିର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଥିଲା । ଦୀର୍ଘ ୨୪ ବର୍ଷ ଧରି କ୍ଷମତା ଆସନକୁ ଅଳଙ୍କୃତ କରି ଆସିଥିବା ଦଳକୁ ସେଦିନ ‘ଆନ୍ଦୋଳନସ୍ଥଳୀ’ ବା ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା । 

ୟେ ସେହି ସ୍ଥାନ ଯେଉଁଠି ନାବାଳିକା ପରୀର ମାଆ ନିଜ ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ୟେ ସେହି ଜାଗା ଯେଉଁଠି ରାଜ୍ୟର ମହିଳାମାନେ ସେମାନଙ୍କ ସୁରକ୍ଷାର ନାରା ଲଗାଉଥିଲେ । ହଜାର ହଜାର ଚାଷୀ, ଚିଟଫଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ ଗରିବ, ଜଙ୍ଗଲ ଓ ଜୀବୀକାର ସୁରକ୍ଷା ପାଇଁ ଆଦିବାସୀ, ରାଜ୍ୟର ଲକ୍ଷ ଲକ୍ଷ ବେକାରୀ ଯୁବକ ଯୁବତୀ ଯେଉଁଠି ଲୁହ ଲହୁ ଢାଳି ସରକାରଙ୍କ ସାମ୍ନାରେ ଚିତ୍କାର କରୁଥିଲେ । ହେଲେ ସେମାନଙ୍କ କଥା, ବ୍ୟଥା, ବେଦନା କ୍ଷମତାର ଉଚ୍ଚ ଅଟାଳିକାକୁ ଭେଦିପାରିଥିଲା କି ? 

ଗାଡ଼ି ପାଇଁ ବ୍ରେକ ଯେତିକି ଜରୁରୀ, ଏକ ଉତ୍କୃଷ୍ଟ ସୁଶାସନ ତଥା ସରକାର ଚଳାଇବା ପାଇଁ ସଶକ୍ତ ବିରୋଧୀଦଳର ସେତିକି ଆବଶ୍ୟକତା ରହିଛି l ମୁଖ୍ୟ ବିରୋଧୀଦଳରେ ଥିବା ବିଜେଡି ଯେତେବେଳେ ଯେଉଁ ସମୟରେ ଯେ କୌଣସି ପ୍ରସଙ୍ଗକୁ ଆଧାରକରି ବିଜେପି ସରକାର ଆଡକୁ ଗୋଟିଏ ଆଙ୍ଗୁଠି ଦେଖାଇଛି, ୪ଟି ଆଙ୍ଗୁଠି ଓଲଟି ନିଜ ଆଡକୁ ଉଠିଛି । ଓଡିଶାରେ ବିଜେପି ଶାସନର ଗଲା ୮ ମାସ ମଧ୍ୟରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି । ନବୀନ ପଟ୍ଟନାୟକ ଶାସନ କାଳରେ ସେହି ସବୁ ପ୍ରସଙ୍ଗର ଦୋଷ ଦୁର୍ବଳତାକୁ ଉଠାଇ ଶାସକଦଳ ବିଜେଡିକୁ ‘ଆଇନା’ ଦେଖାଇଛି । 

ପ୍ରସଙ୍ଗ ଯେତେ ଗୁରୁତ୍ୱପୂର୍ଣ୍ଣ ତଥା ଜନତାଙ୍କ ଗଭୀର ସମସ୍ୟା ସହିତ ଜଡିତ ଥାଉନା କାହିଁକି, ଅନେକ କ୍ଷେତ୍ରରେ ବିଜେଡିକୁ ଏଥିପାଇଁ ଅଡୁଆ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି । ଯଦିଓ ଦଳ ସଂଖ୍ୟାଗରିଷ୍ଠତାରେ ଏକ ଶକ୍ତିଶାଳୀ ବିରୋଧୀଦଳର କ୍ଷମତା ହାସଲ କରିଛି । ତେବେ ଯେହେତୁ ଶାସନ କ୍ଷମତାରେ ଥିବାବେଳେ ବିଜେଡି ଦରଦାମ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାରଙ୍କୁ ଘେରି ଆସିଛି ତେଣୁ ରାଜ୍ୟରେ ମୋହନ ମାଝୀ ସରକାର ଗଠନର ୭ ମାସ ପରେ ବିଜେଡି ପ୍ରଥମଥର ରାସ୍ତାକୁ ଓହ୍ଲାଇ ଏହାକୁ ହିଁ ମୁଖ୍ୟ ପ୍ରସଙ୍ଗ କରିଥିଲା ।

ଚାଷ, ବାସ ଏବଂ ପରିବେଶ; ଯେଉଁ ସବୁ ପ୍ରସଙ୍ଗଗୁଡିକୁ ଆଧାରକରି ଅତୀତରେ ଐତିହାସିକ ଜନଆନ୍ଦୋଳନ ଆଦି ଦେଖାଯାଇଥିଲା ଏବଂ ସେଗୁଡିକର ମୂଳଭିତ୍ତି ଯେଉଁଭଳି ଥିଲା ପ୍ରାୟ ସେହିଭଳି ସମସ୍ୟାର ଚିତ୍ର ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତିଫଳିତ ହେଉଥିଲେ ହେଁ ଏହାଦ୍ୱାରା ପ୍ରଭାବିତ ଜନତାଙ୍କ ସ୍ୱର ବା ସମ୍ପୃକ୍ତି ବିଶେଷଭାବରେ ଦୃଷ୍ଟିଗୋଚର ହୁଏ ନାହିଁ । ଯଦିଓ ସୋସିଆଲ ମିଡିଆରେ ଅନେକ ଛୋଟ ଛୋଟ ପ୍ରସଙ୍ଗରେ ବ୍ୟାପକ ପ୍ରତିବାଦ ଓ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । 

ସ୍ୱାଧୀନତ୍ତୋର ଭାରତବର୍ଷରେ ୧୯୫୧ରେ ପ୍ରଥମ ଚାଷୀଆନ୍ଦୋଳନ ଭାଗଚାଷର ଅଧିକାରକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାର ତାକରଡ଼ାଠାରେ ଘଟିଥିଲା । ଡାକରା ଥିଲା ‘ଲଙ୍ଗଳ ଯାର ଜମି ତାର’ । ୨୦୨୫ ଆଜିକା ଦିନରେ ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି । ବିଡମ୍ବନାର ବିଷୟ ହେଉଛି, ନିକଟରେ ଅଦିନିଆ ବର୍ଷା ଦ୍ୱାରା ଫସଲ କ୍ଷତିକୁ ସହିନପାରି ଯେଉଁ ଚାଷୀ ମୃତ୍ୟୁ ଖବର ଆସୁଛି ସେମାନଙ୍କ ମଧ୍ୟରେ ପ୍ରାୟ ସଭିଏଁ ଥିଲେ ଭାଗଚାଷୀ ।

ସେହିଭଳି ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରେ ‘ବାଲ୍କୋ’(ଭାରତ ଆଲୁମିନିୟମ କମ୍ପାନି)ର ବକ୍ସାଇଟ ଖଣି ପ୍ରକଳ୍ପକୁ ବନ୍ଦ କରିବା ଦାବି ନେଇ ଏକ ଦୁର୍ବାର ଜନଆନ୍ଦୋଳନ ସୃଷ୍ଟି ହୋଇଥିଲା, ଯାହାର ଚାପରେ ତତ୍କାଳୀନ ସରକାର ମୁଣ୍ଡ ନୁଆଁଇଥିଲେ ଏବଂ ପ୍ରକଳ୍ପର ଖଣି ଲିଜକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ । ବର୍ତ୍ତମାନ ସେହି ଗନ୍ଧମାର୍ଦ୍ଦନ ସୁରକ୍ଷା ଦାବୀରେ ପ୍ରତିବାଦର ସ୍ୱର ଶୁଭୁଛି । 

୧୯୬୪ର ଛାତ୍ରଆନ୍ଦୋଳନ ବିରେନ ମିତ୍ରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା । ୧୯୮୪ ଶିକ୍ଷକ ଆନ୍ଦୋଳନ ଠାରୁ ଆରମ୍ଭ କରି କଳିଙ୍ଗ ନଗର ପୋସ୍କୋ ଆନ୍ଦୋଳନ ପର୍ଯ୍ୟନ୍ତ ଅନେକ ଜନଆନ୍ଦୋଳନ ଚରିତାର୍ଥ ହୋଇଛି । ଏହାର ପରବର୍ତ୍ତୀ ସମୟରେ ୨୦୧୭ ଚାଷ ଓ ଚିଟଫଣ୍ଡ ଆନ୍ଦୋଳନ ରାଜ୍ୟରେ ମୁଣ୍ଡ ଟେକିବା ଆରମ୍ଭ କରିଥିଲା ।

ଯାହା ତତ୍କାଳୀନ ସରକାର ପାଇଁ ମୁଣ୍ଡବଥାର କାରଣ ସାଜିଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ସେଭଳି ବ୍ରଭାବୀ ଢଙ୍ଗରେ ଦେଖାଯାଇ ନାହିଁ । ଯଦ୍ୱାରା ବର୍ତ୍ତମାନ ବ୍ୟାପକ ସାମାଜିକ ଓ ପରିବେଶ ଭିତ୍ତିକ ପ୍ରସଙ୍ଗ ଥିଲେ ମଧ୍ୟ ଏହା ପ୍ରଭାବୀ ଜନଆନ୍ଦୋଳନ ଭାବେ ଦେଖିବାକୁ ମିଳୁନାହିଁ । 

 

 

OTV is now on Whatsapp

Join and get latest news update delivered to you via whatsapp

Join Now