Mohan Majhi Government
ବିଜେଡି ସରକାରରେ ଅମଲାତନ୍ତ୍ରକୁ ବିଶେଷ ଗୁରୁତ୍ୱ ବେଶ ଚର୍ଚ୍ଚାରେ ରହିଥିଲା । ପ୍ୟାରୀଙ୍କ ପରେ ପାଣ୍ଡିଆନ ଯେଭଳି ପାୱାରଫୁଲ ଥିଲେ ଏବଂ ଅମଲାଙ୍କୁ ଅତ୍ୟଧିକ କ୍ଷମତା ଦିଆଯିବା ଦୃଷ୍ଟିରୁ ବିଜେଡି ସରକାରରେ ଅଫିସରରାଜ ଚାଲିଥିବା କୁହାଯାଉଥିଲା। ଏବେ ବିଜେପି ସରକାର ଗଠନକୁ ବର୍ଷେ ବିତିଲାଣି । ବିଧାୟକ ଓ ମନ୍ତ୍ରୀଙ୍କ କଥା ଅଫିସର ଶୁଣୁନଥିବା କୁହାଯାଉଛି । ତା’ମାନେ କଣ ଏବେ ବି ପୂର୍ବ ସରକାରଙ୍କ ଅଫିସରରାଜ ଚାଲିଛି?
ଭୁବନେଶ୍ୱର ମହାନଗର ନିଗମ (ବିଏମସି)ରେ ଅଫିସରଙ୍କୁ ମାଡ ମାରିବା ଘଟଣାରେ ବରିଷ୍ଠ ବିଜେପି ନେତାଙ୍କ ସମ୍ପୃକ୍ତି ପାଇଁ ତାଙ୍କ ଗିରଫ ଦାବିରେ ଓଏଏସ୍ ସଂଘ ଚାପ ସୃଷ୍ଟି କଲା । ଆତ୍ମସମର୍ପଣ ପରେ ଗିରଫଦାରୀ ଏବଂ ୫ ଦିନ ପରେ ନେତାଙ୍କୁ ଜାମିନ ମିଳିଲା । ଏହି ତମାମ ଘଟଣା ରାଜ୍ୟ ତଥା ଦେଶରେ ଚର୍ଚ୍ଚା ସୃଷ୍ଟି କଲା । ଏହି ତମାମ ଘଟଣା ଆଗକୁ ନେତା-ଅଫିସରଙ୍କ ମଧ୍ୟରେ କିଭଳି ପ୍ରଭାବ ପକାଇବ ? ରାଜ୍ୟ ପାଇଁ ଏହାର ସନ୍ଦେଶ କଣ?
ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାରର ପ୍ରାରମ୍ଭିକ ପର୍ଯ୍ୟାୟରେ ଚର୍ଚ୍ଚା ହେଉଥିଲା ବେଣୁ-ଯୁଗଳ-ପ୍ୟାରୀ । ପରବର୍ତ୍ତୀ ସମୟରେ ଆଇଏଏସ ରାଜନେତା ପ୍ୟାରୀମୋହନ ମହାପାତ୍ର ଦୀର୍ଘ ଦିନଧରି ପାୱାରଫୁଲ ଥିଲେ ମଧ୍ୟ ଅଫିସରମାନଙ୍କ ଦବଦବା ବିଶେଷ ଦେଖାଯାଇନଥିଲା । ପାଖାପାଖି ୨୦୧୯ ବେଳକୁ ପାୱାରଫୁଲ ଆଇଏଏସ୍ ଅଫିସର ପାଣ୍ଡିଆନଙ୍କ ନା ଚର୍ଚ୍ଚାକୁ ଆସିଲା । ଯଦିଓ ପାଣ୍ଡିଆନଙ୍କ ନାଁ ପୂର୍ବରୁ ମଧ୍ୟ ଚର୍ଚ୍ଚା ହେଉଥିଲା କିନ୍ତୁ ୨୦୧୯ ନିର୍ବାଚନ ପରେ ତାଙ୍କ ‘ପାୱାର’ ଲୋକଲୋଚନକୁ ଆସିଲା । ଏହାର କାରଣ ତାଙ୍କୁ ନବୀନଙ୍କ ସଫଳତାର ସର୍ବଶ୍ରେଷ୍ଠ ସୂତ୍ରଧର ବୋଲି ଦଳୀୟ ନେତା ମାନୁଥିଲେ। ପ୍ୟାରୀ ଏବଂ ପାଣ୍ଡିଆନଙ୍କ ମଧ୍ୟରେ ଫରକ ଏତିକି ଯେ, ପ୍ୟାରୀ ଚାକିରି ପରେ ସକ୍ରିୟ ରାଜନୀତିକୁ ଆସିଥିଲେ ଏବଂ ପାଣ୍ଡିଆନ ଚାକିରିରେ ଥାଇ ମୁଖ୍ୟମନ୍ତ୍ରୀଙ୍କ ଭଳି କ୍ଷମତା ହାତକୁ ନେଇଥିଲେ । ଯାହାର ତୀବ୍ର ବିରୋଧ ଓ ବିବାଦ ପରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗଦେଲେ ।
ପାଣ୍ଡିଆନଙ୍କ ସମୟରେ ଶାସନତନ୍ତ୍ରଠାରୁ ଅମଲାତନ୍ତ୍ରକୁ ପାୱାରଫୁଲ ଧରାଯାଉଥିଲା । ମନ୍ତ୍ରୀ ଓ ବିଧାୟକଙ୍କ ଭଳି ଜନପ୍ରତିନିଧିଙ୍କ କ୍ଷମତାକୁ ଗୌଣ କରି ଅଫିସରମାନଙ୍କୁ ଅଧିକ କ୍ଷମତାଶାଳୀ କରିବାର ବହୁ ଘଟଣାରୁ ବିବେଚନା କରାଗଲା । ସରକାରଙ୍କ ଗୁଡବୁକରେ ଥିବା ଅନେକ ଅଫିସର ସ୍ୱେଚ୍ଛାକୃତ ଅବସର ନେଇ ଶାସକ ଦଳ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିଛନ୍ତି ।
ଚାକିରି କାର୍ଯ୍ୟକାଳ ସରିବା ପରେ ହେଉ ଅବା ସ୍ୱେଚ୍ଛାକୃତ ଅବସର ନେଇ ଅନେକ ବାବୁମାନେ ବିଜେଡିରେ ଯୋଗ ଦେଇଛନ୍ତି ଏବଂ ୨୦୧୯ ନିର୍ବାଚନ ଲଢିଛନ୍ତି । ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ ତାଙ୍କ ନିର୍ଦ୍ଧାରିତ କାର୍ଯ୍ୟକାଳ ମଝିରେ ଛାଡି ବିଜେଡିରେ ଯୋଗ ଦେଇ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ ।
ସେହିଭଳି ଯାଜପୁର ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କଲେ ଓଡ଼ିଶା ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଶର୍ମିଷ୍ଠା ସେଠୀ । ଓଏଏସ୍ ଅଧିକାରୀ ରମେଶ ଚନ୍ଦ୍ର ସାଏ ମଧ୍ୟ ରାଜନୀତିରେ ଯୋଗ ଦେବା ପାଇଁ ଚାକିରି ଛାଡିଥିଲେ । ସେହିଭଳି ଅମର ପଟ୍ଟନାୟକ, ଅରୂପ ପଟ୍ଟନାୟକ ଓ ଗୋପବନ୍ଧୁ ଦାଶ ମଧ୍ୟ ବିଜେଡି ପ୍ରତି ଅକୃଷ୍ଟ ହୋଇ ଦଳରେ ସାମିଲ ହୋଇଥିଲେ । ଅବଶ୍ୟ ଆଇଏଏସ୍ ଅଫିସର ଅପରାଜିତା ଷଡଙ୍ଗୀ ଏବଂ ଆଇପିଏସ୍ ଅଫିସର ପ୍ରକାଶ ଚନ୍ଦ୍ର ମିଶ୍ର ତତ୍କାଳୀନ ବିରୋଧୀ ଦଳ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ । ସେହିଭଳି ବିଜୟ ପଟ୍ଟନାୟକ ବି କଂଗ୍ରେସରେ ଯୋଗ ଦେଇଥିଲେ । ବିଜେଡି ସରକାରରେ ଯେଉଁ ଅଫିସର ନିଜକୁ ଅଡୁଆ, ଅପଡ଼ ଓ ଚାପଗ୍ରସ୍ତ ମଣୁଥିଲେ ପ୍ରାୟତଃ ସେମାନଙ୍କୁ ହିଁ ବିରୋଧୀ ଦଳରେ ସାମିଲ ହେବା ଦେଖାଯାଇଛି l
ବିଜେଡି ସରକାରରେ 'ଅଫିସରାଜ' ଯଦିଓ ଦେଖାଯାଉଥିଲା ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଇଥିବା ପ୍ରଚାର କରାଯାଉଥିଲା l ଏହି ମର୍ମରେ ବହୁ ଅଫିସର ଭିଜିଲାନ୍ସ ଦ୍ୱାରା ଧରାପଡ଼ି ଜେଲ ଯାଇଥିଲେ l ଛୋଟ ହୁଅନ୍ତୁ ବା ବଡ଼ ଅଫିସର, ଦୁର୍ନୀତି ଛାଟରୁ କେହି ବର୍ତ୍ତିନଥିଲେ l
ରାଜ୍ୟରେ ବିଜେପି ସରକାର ଶାସନ ମଙ୍ଗ ଧରିବା ପରେ ବିଧାୟକ, ମନ୍ତ୍ରୀ, ନେତାଙ୍କ ଠାରେ ଗୋଟିଏ କଥା ବ୍ୟାପକ ଶୁଣିବାକୁ ମିଳିଲା ଯେ "ଅଫିସରମାନେ ଆମ କଥା ଶୁଣୁନାହାନ୍ତି" l ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ ଯୋବ୍ରା ସ୍ଥିତ ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ ସଂସ୍ଥାକୁ ଅଚାନକ ଗସ୍ତ ବେଳେ ସଂସ୍ଥାର ଅତରିକ୍ତ ନିର୍ଦେଶକ ତାଙ୍କ ଦାବିକୁ ଅଗ୍ରାହ୍ୟ କରିବା ସହ ମନମାନୀ କରିଥିବା ଦର୍ଶାଇଲେ ସୋଫିଆ l ମୁଖ୍ୟମନ୍ତ୍ରୀଙ୍କ କଥା ବିଡିଓମାନେ ଶୁଣୁ ନଥିବା ନିଜେ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କ୍ଷୋଭ ପ୍ରକାଶ କରିଥିଲେ । ଏବେ ବି ବିଭିନ୍ନ ଅଫିସରେ 'ପାଣ୍ଡିଆନରାଜ' ବଳବତ୍ତର ରହିଥିବା କଥା ଶୁଣାଗଲା l ଆଉ ଏଭଳି ସ୍ଥିତିରେ ସାମ୍ନାକୁ ଆସିଥିବା ବିଏମସି ଅଫିସରେ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣା ରାଜ୍ୟ ତଥା ଦେଶରେ ଆଲୋଡନ ସୃଷ୍ଟି କଲା l
ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ମାରିବା ଘଟଣାରେ ମୋହନ ମାଝୀଙ୍କ ସରକାର ଦାୟିତ୍ୱପୂର୍ଣ୍ଣ ଭାବରେ ଆଚରଣ ପ୍ରଦର୍ଶନ କରି ଶେଷରେ ଗଣ୍ଡଗୋଳର ମାଷ୍ଟରମାଇଣ୍ଡ କୁହାଯାଉଥିବା ବରିଷ୍ଠ ବିଜେପି ନେତାଙ୍କୁ ଗିରଫ କରିବା ଘଟଣାରେ ପ୍ରଶଂସା ସାଉଁଟିଲା l କାରଣ ଜଗନ୍ନାଥ ପ୍ରଧାନ ଦଳର ଜଣେ ବରିଷ୍ଠ ନେତା ହୋଇଥିବାରୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ପୋଲିସ୍ ଓ ସରକାର କାର୍ଯ୍ୟାନୁଷ୍ଠାନ କରିବା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଇଥିଲା । ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ପୋଲିସ୍ ଗିରଫ କରିଥିଲେ ମଧ୍ୟ ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇନଥଲା। ।
ଏହି ଘଟଣା ପ୍ରତିବାଦରେ ରାଜ୍ୟର ଓଏଏସ୍ ଅଫିସର୍ ସଂଘ ସମୂହ ଛୁଟି ନେଇ ରାଜ୍ୟ ଶାସନରେ ଏକ ଅଚଳ ଅବସ୍ଥା ସୃଷ୍ଟି କରିଥିଲେ । ଓଏଏସ୍ ସଂଘକୁ ସମର୍ଥନ କରି ରାଜସ୍ୱ ଅଫିସର୍ ସଂଘ ଏପରିକି ଇଂଜିନିୟରିଂ ସଂଘମାନେ ମଧ୍ୟ ସମର୍ଥନ ଜ୍ଞାପନ କରିଥିଲେ । ୩ ଦିନ ପରେ ଶେଷରେ ଦଳ ଓ ସରକାରଙ୍କର ପରାମର୍ଶ କ୍ରମେ ଶ୍ରୀ ପ୍ରଧାନ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିବା ପରେ ଏହି ଘଟଣାକୁ ନେଇ ରାଜ୍ୟରେ ସୃଷ୍ଟି ହୋଇଥିବା ଶାସନଗତ ସଂକଟ ଦୂର ହେଲା। ଓଏଏସ୍ ସଂଘ ଆନ୍ଦୋଳନ ପ୍ରତ୍ୟାହାର କଲା । ଗିରଫଦାରୀର ୫ ଦିନ ପରେ ଶ୍ରୀ ପ୍ରଧାନଙ୍କୁ ଜିଲ୍ଲା କୋର୍ଟରେ ଜାମିନ୍ ମିଳିଲା ଓ ସେ ଜେଲରୁ ବାହାରିଲେ l
ଆଗକୁ ଏହି ଘଟଣା କେଉଁ ମୋଡ଼ ନେବ କି ନନେବ ତାହା ଭିନ୍ନ କଥା କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରୀ ଦାୟିତ୍ୱ ଓ ଦଳର ଭାରସାମ୍ୟକୁ ଯେଉଁଭଳି ନିୟନ୍ତ୍ରଣ କଲେ ତାହା ବେଶ ପ୍ରଶଂସନୀୟ l ତେବେ ରାଜ୍ୟରେ ଆଗକୁ ସରକାରଙ୍କ ପାଇଁ ନେତା, ଜନପ୍ରତିନିଧି ଓ ଅଫିସରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏକ ଆହ୍ୱାନ ହେବ ବୋଲି ବିବେଚନା କରାଯାଏ l
ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752144738.jpg)