ବିଧାନସଭାରେ ସଂରକ୍ଷଣ ତାତି, ଗୃହରେ ଲିଫ୍‌ ଲେଟ୍‌ ଫିଙ୍ଗିଲା କଂଗ୍ରେସ

ଆଜି ଶୂନ୍ୟକାଳ ଆରମ୍ଭରେ କଂଗ୍ରେସ ସଦସ୍ୟ ସଂରକ୍ଷଣକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଗୃହ ଭିତରେ ଲିଫ୍‌ଲେଟ୍ ଫିଙ୍ଗି ପ୍ରତିବାଦ କରିଥିଲା କଂଗ୍ରେସ ।

Assembly

ବିଧାନସଭାରେ ସଂରକ୍ଷଣ ତାତି । ବିରୋଧୀଙ୍କ ପ୍ରବଳ ତମ୍ବିତୋଫାନ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ହୋଇଛି । ଆଜି ଶୂନ୍ୟକାଳ ଆରମ୍ଭରେ OBC, SC/ST ସଂରକ୍ଷଣ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗରେ ନାରାବାଜି କରିଥିଲେ କଂଗ୍ରେସ ଓ ବିଜେଡି ବିଧାୟକ । ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

ଆଜି ଶୂନ୍ୟକାଳ ଆରମ୍ଭରେ କଂଗ୍ରେସ ସଦସ୍ୟ ସଂରକ୍ଷଣକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଗୃହ ଭିତରେ ଲିଫ୍‌ଲେଟ୍ ଫିଙ୍ଗି ପ୍ରତିବାଦ କରିଥିଲା କଂଗ୍ରେସ । ବିଜେଡି ବି ନାରାବାଜି କରିଥିଲା । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ରାଜ୍ୟରେ ଓବିସି ୫୪ ପ୍ରତିଶତ, ଏସସି/ଏସ୍‌ଟି ୪୦ ପ୍ରତିଶତ ଅଛନ୍ତି । କିନ୍ତୁ ଓବିସି ସଂରକ୍ଷଣ ୨୭ ପ୍ରତିଶତ ବଦଳରେ ଶୂନ୍ୟ କରାଯାଇଛି। ଅଧିକାର ନ ମିଳିଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି ।

ସେହିପରି ବିଜେଡି କହିଛି, ଓବିସି ବର୍ଗଙ୍କୁ ଚାକିରି ପରି ୧୧.୨୫ ପ୍ରତିଶତ ସଂରକ୍ଷଣ ଲାଗୁ କରନ୍ତୁ। ନହେଲେ ଆଗାମୀ ଦିନରେ ଓବିସି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିଜେଡି କହିଛି। ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି । ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ଦିନେ ଯିଏ ଓବିସିଙ୍କ ଚିନ୍ତା କଲେନି, ସେମାନେ ଆଜି ଠିଆ ହୋଇ ବିଧାନସଭାରେ ପ୍ରତିବାଦ କରୁଛନ୍ତି। ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଗୃହ ଚଳାଇ ନ ଦେବାକୁ ବିରୋଧୀ ଚେଷ୍ଟା କରୁଛନ୍ତି ବୋଲି ବିଜେପି କହିଛି ।

ସେପଟେ ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି । ଗୃହରେ ନିନ୍ଦା ପ୍ରସ୍ତାବ ଆଣିଲେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ । ଏହାପରେ ଗୃହ ଘଣ୍ଟାଏ ମୁଲତବୀ ହୋଇଥିଲା । କାଲି ବାଚସ୍ପତିଙ୍କ ପୋଡ଼ିୟମ ଦଖଲ କରିବାକୁ ଉଦ୍ୟମ କରିଥିଲା ବିଜେଡି । ରୋମାଞ୍ଚ ବିଶ୍ବାଳ ଓ ମାଧବ ଧଡ଼ା ପୋଡ଼ିୟମ ଉପରକୁ ଚଢ଼ି ଯାଇଥିଲେ ।