• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ପୁଣି ଏକ ମଦ ମୃତ୍ୟୁ ଘଟଣାକୁ ନେଇ ଓଡିଶାରେ ଝଡ। ୧୯ ଅଗଷ୍ଟ ସୋମବାର ଗଂଜାମ ଜିଲ୍ଲା ଚିକିଟି ଅଂଚଳରେ ବିଷାକ୍ତ ଦେଶୀ ମଦ ପିଇ ପ୍ରାୟ ୨୫ ଜଣ ଅସୁସ୍ଥ ହେବା ଖବର ଆସିଲା। ଘଟଣାର ପ୍ରାୟ ୪୮ ଘଣ୍ଟା ଭିତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଲା। ଚିକିତ୍ସାଧିନ ଅବସ୍ଥାରେ ଆଗପଛ ହୋଇ ଚାଲିଗଲେ ଜୁର ବେହେରା ଓ ଲୋକନାଥ ବେହେରା । ଏକ ସପ୍ତାହ ହେଲା ପ୍ରାୟ ୧୦ ଜଣ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି ମିଡିଆ ରିପୋର୍ଟରୁ ଜଣାପଡିଛି।

ଅପମିଶ୍ରିତ ବିଷାକ୍ତ ମଦର ଭୟଙ୍କର ପରିଣାମ ଦେଖି ଏହି ଗାଁ’ ଏକଦମ୍ ସ୍ତବ୍ଦ ପାଲଟି ଯାଇଛି। ଜଡ ପାଲଟିଯାଇଛି ଜେନାପୁର ଓ କରବାଲୁଆ। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯିବା ସହିତ ୫୦ରୁ ଅଧିକ ଅପମିଶ୍ରିତ ମଦ ଜବତ କରାଯାଇଛି। ଅବକାରୀ ଅଧୀକ୍ଷକଙ୍କୁ ବଦଳି ଏବଂ ଏସ୍ଆଇ ଓ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି।

ରାଜନୈତିକ ଝଡ଼:

ଚିକିଟି ମଦ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ରାଜନୈତିକ ଝଡ଼ ସୃଷ୍ଟି ହେଲା। କମ୍ପିଲା ବିଧାନସଭା; ସରକାରଙ୍କୁ ଘେରିଲା ବିରୋଧୀ ବିଜେଡି। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହୋହାଲ୍ଲା, ହୁଲୁସ୍ତୁଲ ଓ ଅଚଳାବସ୍ଥା ଲାଗିରହିବା ଫଳରେ ଗୃହ କାର୍ଯ୍ୟରେ ବାଧା ହେଲା। ବାରମ୍ବାର ଗୃହକୁ ବାଚସ୍ପତି ମୁଲତବୀ କଲେ। ଗୃହ ବାହାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଲା।

ଅପରପକ୍ଷେ ଶାସକ ଦଳ ମଧ୍ୟ ମଦ ନୀତି କଥା ଉଠାଇ ବିରୋଧୀ ବିଜେଡିକୁ ପାଲଟା ଆକ୍ରମଣ କଲା। ୨୪ ବର୍ଷ କ୍ଷମତାରେ ଥିବା ସରକାର ମହୁଲି ନାଁରେ ଗାଁ ଗାଁରେ ଦେଶୀ ମଦ ଭାଟି ଖୋଲିଦେଲା। ୩୦ ଟଙ୍କାରେ ଏହି ଅପମିଶ୍ରିତ ମଦକୁ ପିଉଛନ୍ତି ଗରିବ,ଖଟିଖିଆ ଶ୍ରମିକଶ୍ରେଣୀର ଲୋକ। ବିଜେଡି ସରକାର ଯେଉଁ ମଦ ନୀତି ଆଣିଥିଲା ତାହା କ’ଣ ଧନୀ ଲୋକଙ୍କ ପାଇଁ ବୋଲି ପ୍ରଶ୍ନ କଲେ ସରକାରୀ ଦଳର ସଦସ୍ୟ।

ସେପଟେ ଚିକିଟି ଗ୍ରାମରୁ ବ୍ରହ୍ମପୁର ବଡ଼ ମେଡିକାଲ ଯାଏଁ ମାଳ ମାଳ ନେତାଙ୍କ ସୁଅ ଛୁଟିଲା। ଆରୋପ ପ୍ରତ୍ୟାରୋପ, ଆକ୍ରମଣ ପ୍ରତିଆକ୍ରମଣରେ ରାଜ୍ୟ ରାଜନୀତି ହେଲା ସରଗରମ।

ଚିକିଟି ଘଟଣା ନୂଆ ନୁହେଁ:

ଗଞ୍ଜାମ ଜିଲ୍ଲାରେ ମଦମୃତ୍ୟୁ ଘଟଣା କିଛି ନୂଆ ନୁହେଁ ! ଏହା ପୂର୍ବରୁ ଜିଲ୍ଲା ଏଭଳି ଅନେକ ବିଭୀଷିକା ଦେଖିଚି। ୨୦୦୬ରେ ଗୋଲାବନ୍ଧ ଓ ରମ୍ଭାରେ ଅପମିଶ୍ରିତ ମଦ ପ୍ରାୟ ୨୬ ଜଣଙ୍କର ଜୀବନ ନେଇଥିଲା ଏବଂ ଶତାଧିକ ଆକ୍ରାନ୍ତ ହୋଇଥିଲେ। ସେହି ସମୟରେ ଏହି ଘଟଣା ରାଜନୈତିକ ଆଲୋଡନ ସୃଷ୍ଟି କରିଥିଲା ଏବଂ ଅବକାରୀ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ୧୯୯୪ରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ ଘଟିଥିବା କୁହାଯାଏ।

ଦେଶ ଦୋହଲାଇଥିଲା କଟକ ମଦମୃତ୍ୟୁ:

୧୯୯୨ ମଇ ମାସରେ ବିଷାକ୍ତ ମଦ ପିଇ କଟକ ଓ ଭୁବନେଶ୍ୱରର ଅନେକ ଲୋକ ମୃତ୍ୟୁବରଣ କରିଥିଲେ । ମେଡିକାଲରୁ ଶ୍ମଶାନ ଯାଏଁ ଦୈନିକ ବେହିସାବ ଶବ ବୁହା ଚାଲଥିଲା। ପ୍ରାୟ ହଜାରେ ଲୋକ ଏହି ଘଟଣାରେ ମୃତ୍ୟୁବାରଣ କରିଥିବେ ବୋଲି କୁହାଯାଉଥିବା ବେଳେ ସରକାରୀ ସଂଖ୍ୟା କିନ୍ତୁ ୧୩୪ କୁହାଯାଇଥିଲା। ଏହି ଭୟଙ୍କର ବିଭତ୍ସ ଲୋମଟାଙ୍କୁରା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ଏହି ଘଟଣାକୁ କେନ୍ଦ୍ର କରି ଅନେକ ଜନ ଆନ୍ଦୋଳନ ଦେଖାଦେଇଥିଲା। ସରକାର କଟକର ସମସ୍ତ ମଦ ଦୋକାନ ବନ୍ଦ କରିଦେଇଥିଲେ। କିଛି ଜନସ୍ୱାର୍ଥ ମାମଲା ମଧ୍ୟ ଦାଏର କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହିତ ବିଚାର ବିଭାଗୀୟ ତଦନ୍ତ ଏବଂ ମୃତାହତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୁଦ୍ଧରେ ରାଜ୍ୟ ସରକାର ସର୍ବୋଚ୍ଚ ଅଦାଲତଙ୍କର ଆଶ୍ରୟ ନେଇଥିଲେ। ବିଧାନସଭାରେ ଏକ ସଂକଳ୍ପ ପାରିତ କରାଯାଇ ଜଷ୍ଟିସ ବାଳକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସିଲା। କମିଶନ ୪୬୨ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ଦେଇଥିଲା।

କେବେ ଚେତିବେ ସରକାର:

୧୯୯୨ କଟକ ମଦମୃତ୍ୟୁ ମାମଲାରୁ ଏବେକାର ଚିକିଟି ଘଟଣା ପର୍ଯ୍ୟନ୍ତ, ରାଜ୍ୟ ଏଭଳି ଅନେକ ବିଭୀଷିକା ଦେଖିଚି। ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। କେତେ ଲୋକଙ୍କ ପରିବାର ଉଜୁଡିଛି ତାର ହିସାବ ନାହିଁ। ତେବେ ଆଶ୍ଚର୍ଯ୍ୟ ଓ ପରିତାପର କଥା ହେଉଛି ଏତେ ଧନଜୀବନ କ୍ଷତି ସତ୍ୱେ ସରକାର ଦେଶୀ ଅପମିଶ୍ରିତ ମଦ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ବରଂ ପୂର୍ବାପେକ୍ଷା ଏଭଳି ମଦର ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା ଦେଖାଯାଉଛି।

ବର୍ଷକ ପରେ ପୁଣି ସାଲିଆସାହି:

ଚିକିଟି ମଦମୃତ୍ୟୁ ଘଟଣା ପରେ ମୋହନ ସରକାର ତତ୍ପରତା ଦେଖାଇଛନ୍ତି। ବେଆଇନ ମଦଭାଟି ଉପରେ ବୁଲଡୋଜର ଚଳିବ ବୋଲି କଡା ଟିପ୍ପଣୀ ଦେଇଛନ୍ତି ଅବକାରୀ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭକରି ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ ଜୋରଦାର ହୋଇଛି। ଲକ୍ଷ ଲକ୍ଷ ଲିଟର ମଦ ଜବତ କରାଯିବା ସହିତ ବେଆଇନ ଭାଟିକୁ ଭଙ୍ଗାଯାଉଛି।

ଏହି ମାମଲାରେ ଅନେକଙ୍କୁ ଗିରଫ ମଧ୍ୟ କରାଯାଇଛି। କେବଳ ରାଜଧାନୀର ସଲିଆସାହିରୁ ୧୧ ହଜାରରୁ ଅଧିକ ଲିଟର ମଦ ଓ ବିଭିନ୍ନ ସାମଗ୍ରୀ ଜବତ କରାଯାଇ ୧୦ରୁ ଅଧିକ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କଲାଣି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ବର୍ଷ ଅକ୍ଟୋବର ମାସରେ ଅବକାରୀ ବିଭାଗ ଚଢ଼ାଉ କରି ସଲିଆସାହିରୁ ହଜାର ହଜାର ହଜାର ଲିଟର ରନ୍ଧା ମଦ ନଷ୍ଟ କରିବା ସହିତ ପ୍ରାୟ ୧୫ ଜଣଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସେହି ସାଲିଆ ସାହିରୁ ପୁଣି ୩ ତିନିଟି ଭାଟି ଠାବ କରାଗଲା କେମିତି? ଅବକାରୀ ବିଭାଗର କ’ଣ ଏହା ଉପରେ ନଜର ନ ଥିଲା ?

ପ୍ରଶଂସା ପାଇଥିଲା ପାଟପୁର:

ପାଟପୁର, ଗଂଜାମ ଜିଲ୍ଲାର ୟେ ହେଉଛି ସେହି ଗ୍ରାମ ଯେଉଁଠି ସ୍ଥାନୀୟ ଲୋକେ ମଦ୍ୟପଙ୍କ କାଣ୍ଡ ଓ ପରିଣାମକୁ ଉପଲବ୍ଧି କରି ସମଗ୍ର ଅଂଚଳରେ ଏକଦା ମଦବନ୍ଦ କରି ଚର୍ଚ୍ଚାକୁ ଆସିଥିଲେ। ମଦର ମହାସାଗରରେ ଏକ ଦ୍ୱିପ ଭଳି ୨୦୧୬ ଷୋଳଦଣ୍ଡ ସମୟରେ ସମଗ୍ର ଅଂଚଳକୁ ଲୋକେ 'ମଦମୁକ୍ତ ଜୋନ' ଭାବେ ଗଠନ କରିଥିଲେ। ସ୍ଥାନୀୟ ଯୁବକଙ୍କ ଏଭଳି ଉଦ୍ୟମ ଦୀର୍ଘ ଦିନ ଯାଏଁ ଏଠାରେ ମଦ୍ୟପଙ୍କୁ ଏକ ରକମ ସାବାଡ଼ କରି ରଖିଥିଲା। ଏଥିରୁ କୁହାଯାଇ ପାରିବ ଯେ, ମଦ ବିରୋଧରେ ଗାଁ ଲୋକେ ଯଦି ଏଭଳି ପଦକ୍ଷେପ ନିଅନ୍ତି ତେବେ ସ୍ଥାନୀୟ ଅଞ୍ଚଳରୁ ମଦକୁ ଦୂର କରାଯାଇ ପାରିବ।

ରାକ୍ଷୀ ବାନ୍ଧି ଶପଥ :

ସମ୍ପ୍ରତି ରାଜ୍ୟ ରାଜନୈତିକ ପୃଷ୍ଠଭୂମିକୁ ଅବଲୋକନ କଲେ ୨୦୦୬ ମସିହାର ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଟାଇଟଲଟି ମନକୁ ଆସେ। କଥା ହେଉଛି ଚଳିତ ରକ୍ଷାବନ୍ଧନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାକ୍ଷୀ ବାନ୍ଧିବାର ଚିତ୍ରକୁ ନେଇ ଯେତିକି ଆଲୋଚନା ହୋଇ ନ ଥିଲା ତା’ଠୁ ଅଧିକ ଚର୍ଚ୍ଚା ପରିସର ହୋଇଥିଲା ପରଦିନ ପ୍ରକାଶିତ ଏକ ଖବରକାଗଜର ଶିରୋନାମା- ‘ରାଖି ବାନ୍ଧି ନିଶା ନ ଛୁଇଁବାକୁ ଶପଥ ନେଲେ ମୁଖ୍ୟମନ୍ତ୍ରୀ’!

ଏହାକୁ ନେଇ ସାଧାରଣରେ ବେଶ୍ ଚର୍ଚ୍ଚା ହେଲା ।  ତେବେ ଏହାର ମାତ୍ର କେଇ ଘଂଟା ପରେ ଏକ ବଡ ଅଘଟଣ ରାଜ୍ୟରେ ଘଟିଗଲା। ଗଂଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ମୃତ୍ୟୁ ସମଗ୍ର ଓଡିଶାରେ ଚହଳ ସୃଷ୍ଟି କଲା। ବିଧାନସଭାରୁ ରାଜରାସ୍ତା; ସବୁଠି ବିରୋଧୀଙ୍କ ହୋହଲ୍ଲା, ନାରାବାଜି ଯାହାକୁ ନେଇ ମୋହନ ସରକାରଙ୍କୁ ଏକ ଅଡୁଆ ପରିସ୍ଥିତିର ସାମ୍ନା କରିବାକୁ ପଡିଲା। 

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now