Advertisment

ଗାଁ ଗାଁ ବୁଲୁଛନ୍ତି ତିନି ପ୍ରମୁଖ ଦଳର ଟାଣୁଆ ନେତା

ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ କର୍ମୀଙ୍କୁ ବି ଦେଉଛନ୍ତି ଗୁରୁମନ୍ତ୍ର

Heavyweight Leaders

Heavyweight Leaders

Advertisment

ଭୁବନେଶ୍ୱର: ପ୍ରଚାର କରୁଛନ୍ତି ହେଭିେଓ୍ୱଟ୍। ଗାଁ ଗାଁ ବୁଲି ମାଗୁଛନ୍ତି ଭୋଟ୍। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ବିଜେପି ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ସାଇକେଲ୍‌ରେ ବୁଲୁଛନ୍ତି ପ୍ରତାପ ନନା ସିଧା ଭୋଟରଙ୍କୁ ଭେଟି ରାଜ୍ୟ ସରକାର ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦୁର୍ନୀତି ସାଙ୍ଗକୁ ଅପାରଗତାରେ ଫର୍ଦ୍ଦ ଖୋଲୁଛନ୍ତି। ତୃଣମୂଳ ସ୍ତରରେ ବିଜେପି ଆସିଲେ କେମିତି ବିକାଶର ପେଡ଼ି ଖୋଲିବ ସେକଥା ଭୋଟରଙ୍କୁ ବୁଝାଉଛନ୍ତି।

Advertisment

ସେମିତି ବିଜେପି ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ୍ ମଇଦାନରେ ଆଉ ଜଣେ ହେଭିେଓ୍ୱଟ୍ ହେଲେ ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରେନ୍ଦେଶ୍ୱରୀ। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ସେ ପ୍ରଚାରରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଅପରାଗତା ବିରୋଧରେ ବର୍ଷିଛନ୍ତି। ତେବେ ଖାଲି ମଇଦାନ ନୁହେଁ ଭର୍ଚୁଆଲ୍‌ରେ ବି ଚାଲିଛି ହେଭିେଓ୍ୱଟ୍ ନେତାଙ୍କ ପ୍ରଚାର। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ଭର୍ଚୁଆଲ ରାଲିରେ କେନ୍ଦ୍ରାପଡ଼ାର ୩୨ଟି ଜୋନ୍‌ର ଜିଲ୍ଲା ପରିଷଦ ଓ ଦଳୀୟ ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ କର୍ମୀଙ୍କୁ ବି ଦେଇଛନ୍ତି ଗୁରୁମନ୍ତ୍ର। ରାଜ୍ୟ ସରକାରଙ୍କ ଦୁର୍ନୀତି ଓ କେନ୍ଦ୍ରୀୟ ଯୋଜନା ହଡ଼ପ ପ୍ରସଙ୍ଗକୁ ଲୋକଙ୍କ ପାଖେ ପହଞ୍ଚାଇବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ବୈଜୟନ୍ତ।

ବିଜେଡି ହେଭିେଓ୍ୱଟ୍ ବି ସବୁଆଡ଼େ ଚଳାଇଛନ୍ତି ହାଇଫାଇ ପ୍ରଚାର। ନବରଙ୍ଗପୁର ସାଂସଦ ରମେଶ ମାଝୀ ନିଜେ ବାଇକ୍‌ରେ ବସି ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍‌ରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରୁଥିବାବେଳେ ତାଙ୍କ ପଛରେ କିନ୍ତୁ ଲମ୍ବା ଧାଡ଼ିରେ ଦୌଡୁଛନ୍ତି ଦାମୀ ଗାଡ଼ି। ସେମିତି ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀରେ ଏକାଠି ହେଉଛନ୍ତି ମାଳ ମାଳ ତୁଙ୍ଗ ନେତା। ସମ୍ବଲପୁର ଜିଲ୍ଲା ରେଙ୍ଗାଳିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠୁ ଦଳର ସାଂଗଠନିକ ସମ୍ପାଦକଙ୍କ ଯାଏଁ ସମସ୍ତେ ରେଙ୍ଗାଳି ଦଖଲ ପାଇଁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ହିଁ ବିଜେଡି ପାଇଁ ଏଠି ବିଜୟର ଚାବିକାଠି ହେବ ବୋଲି ଦମ୍ଭୋକ୍ତି କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ତେବେ ବିଜେଡିରେ ନଥାଇ ବି ବିଜେଡି ପତାକା ଲାଗିଥିବା ଗାଡ଼ିରେ ବସି ଜଗତସିଂହପୁର ଜିଲ୍ଲା ଗାରେଇ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଧରି ପ୍ରଚାର କରୁଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉତ୍ତର, ଲୋକେ ତାଙ୍କୁ ଏଠିକି ଡାକିଛନ୍ତି। ଭଲ ପ୍ରାର୍ଥୀ ଦେଖି ଭୋଟ୍ ଦେବାକୁ ସେ ବୁଝାଉଛନ୍ତି।

Advertisment

ହେଭିେଓ୍ୱଟ୍ ପ୍ରଚାରରେ ବି ପଛରେ ପଡ଼ିନି କଂଗ୍ରେସ। ନିଜ ଅନ୍ଦାଜରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପଥପ୍ରାନ୍ତ ସଭା କରି ଭୋଟ୍ ମାଗୁଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। କେତେବେଳେ କର୍ମୀ ସମ୍ମିଳନୀ ତ କେତେବେଳେ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଡୋର୍ ଟୁ ଡୋର କ୍ୟାମ୍ପେନ୍ ଚଳାଇଛନ୍ତି ତାରା। ତାରା କହିଛନ୍ତି- ଲୋକଙ୍କ ସାଙ୍ଗରେ ଅଛୁ, ଲୋକେ ବିଚାର କରିବେ। ସେମିତି ଆଉ ଜଣେ କଂଗ୍ରେସର ଟାଣୁଆ ନେତା ବିଧାୟକ ସୁରେଶ ରାଉତରାୟ ବି ଜଟଣୀ ନିର୍ବାଚନମଣ୍ଡଳୀର ଗାଁକୁ ଗାଁ ବୁଲି ଚଳାଇଛନ୍ତି ପ୍ରଚାର। ସେ ବି ପଥପ୍ରାନ୍ତ ସଭା କରି କ୍ଷମତାସୀନ ଦଳକୁ ବିଭିନ୍ନ ପ୍ରସଙ୍ଗରେ ନିଶାନା କରୁଛନ୍ତି। ଆଉ ବାଟରେ ଭୋଟର ଇଚ୍ଛାକଲେ ସେଲ୍ଫି ବି ଦେଉଛନ୍ତି। ଏବେ ଦେଖିବାର କଥା, ପଞ୍ଚାୟତ ପ୍ରଚାର ମଇଦାନରେ ଝାଳ ବୁହାଉଥିବା ଏତେ ସବୁ ହେଭିେଓ୍ୱଟ୍ ନେତା, ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବାରେ କେତେ ସହାୟକ ହେଉଛନ୍ତି।

BJD BJP Congress Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ