• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ୍ ପାଇଁ ବଡ଼ ଚିନ୍ତା ନିଜ ଭୋଟ୍ ବଜାୟ ରଖିବା । ଗତ କିଛି ଉପନିର୍ବାଚନକୁ ଦେଖିଲେକଂଗ୍ରେସ୍ ଭୋଟ୍ ବିଭାଜନ ହୋଇ ଅନ୍ୟ ଦଳକୁ ଚାଲି ଯାଉଥିବାରୁ ଦଳୀୟ ପ୍ରାର୍ଥୀ ଅମାନତ ହରାଉଛନ୍ତି । ନିକଟରେ ଶେଷ ହୋଇଥିଲା ପଦ୍ମପୁର ଓ ଧାମନଗର ଉପନିର୍ବାଚନ । ପରେ କଂଗ୍ରେସ୍ ଭୋଟ୍ ଯେଉଁ ଦଳ ନେବ ସେ ହିଁ ଫାଇଦାରେ ରହିବ ବୋଲି ଆକଳନ କରାଯାଉଛି । ତେବେ ଏହି ଧାରାକୁ ରୋକିବା ଓ କଂଗ୍ରେସ ପ୍ରତି ପୁନଃ ସମର୍ଥନ ଯୋଗାଡ଼ ପାଇଁ ଦଳ ଆରମ୍ଭ କରିବାକୁ ଯାଉଛି ହାତକୁ ହାତ ଯୋଡ଼ ଅଭିଯାନ ।

ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହୋଇଛି ଦୁଇ ମାସ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଆଜି କଂଗ୍ରେସ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । କଂଗ୍ରେସ ପ୍ରଭାରୀ ଏ. ଚେଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଦଳର ବରିଷ୍ଠ ନେତା, ଜିଲ୍ଲା ସଭାପତି, ବିଧାୟକମାନଙ୍କ ଉପସ୍ଥିତିରେ ହୋଇଛି ବିସ୍ତୃତ ଆଲୋଚନା । କଂଗ୍ରେସ, ବିଜେପି ଓ ବିଜେଡି ସରକାର ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରି ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗାଁରେ ପହଞ୍ଚିବ । ଏଥିରେ ଯୁବ କଂଗ୍ରେସ, ମହିଳା କଂଗ୍ରେସ୍ ସାମିଲ ହେବେ । କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ସବୁ ଦଳ ନିଜ ନିଜର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଗତ ୧୫ ତାରିଖରେ ନବୀନ ନିବାସରେ ବିଜେଡି ବୈଠକ ପରେ ବିଜେପି ବି ଗତକାଲି କୋର୍ କମିଟିଠୁ ଆରମ୍ଭ କରି ଜିଲ୍ଲା ସଭାପତି, ପ୍ରଭାରୀ, ପଦାଧିକାରୀଙ୍କ ସହ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଆଲୋଚନା କରିଥିଲେ । ରାଜ୍ୟ ସରକାର ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରି ପଂଚାୟତରୁ ରାଜଧାନୀ ଯାଏଁ ଆନ୍ଦୋଳନ କରିବାକୁ ରଣନୀତି ପ୍ରସ୍ତୁତି କରିଛି ବିଜେପି ।

ସେପଟେ ଡିସେମ୍ବର ୨୬ରେ ପୁରୀରେ ବିଜେଡି ପ୍ରତିଷ୍ଠା ଦିବସର ସିଲିଭର୍ ଜୁବଲି ପାଳନ କରିବ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ନବୀନ ନିବାସରେ ଦଳର ବରିଷ୍ଠ ନେତାଙ୍କୁ ନେଇ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହା ପରେ ବର୍ଷାତମାମ ବିଭିନ୍ନ କାର୍ଯ୍ୟକ୍ରମ କରିବ ବିଜେଡି । ଆଗୁଆ ନିର୍ବାଚନ ଚର୍ଚ୍ଚା ଜୋର ଧରିବା ପରେ ରାଜନୈତିକ ଦଳଗୁଡ଼ିକର ଗତିବିଧି ମଧ୍ୟ ତେଜ୍ ହୋଇଛି । ତେଣୁ ଆଗକୁ ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି ।