ପୋଲିସ କବ୍‌ଜାରେ ସିଞ୍ଜୋଙ୍କ ହତ୍ୟାକାରୀ, ଜାପାନ ନୌସେନାର ସୈନିକ ଥିଲେ ହତ୍ୟାକରୀ ୟାମାଗାମି

ଆତତାୟୀ ଗୁଳିମାଡ଼ରେ ସିଞ୍ଜୋ ଆବେଙ୍କ ପରଲୋକ । ଆବେଙ୍କ ନିଧନରେ ମର୍ମାହତ-ନରେନ୍ଦ୍ର ମୋଦି ।

Shinzo Abe

ସ୍ତବ୍ଧ ଜାପାନ । ସ୍ତବ୍ଧ ସାରା ବିଶ୍ୱ । ଆତତାୟୀର ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ସ୍ଥାନୀୟ ସମୟ ୧୧ଟା ୩୦ । ପଶ୍ଚିମ ଜାପାନର ନାରା ସହରରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ପଛପଟୁ ଅତର୍କିତ ଭାବେ ଗୁଳି ଚଳାଇଥିଲା ଅତତାୟୀ । ଆବେଙ୍କ ଛାତି ଓ ବେକରେ ବାଜିଥିଲା ଗୁଳି । କେହି କିଛି ବୁଝିବା ଆଗରୁ ସେଇଠାରେ ହିଁ ଟଳି ପଡିିଥିଲେ ଆବେ । ହତ୍ୟାକରୀ ହେଉଛି ତେତ୍ସୁୟା ୟାମାଗାମି । ସେ ପୂର୍ବରୁ ଜାପାନ ନୌସେନାର ଜଣେ ସୈନିକ ଥିଲେ ।

ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା । ମାତ୍ର ତାଙ୍କ ଜୀବନ ବଂଚାଇବା ପାଇଁ ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ଫେଲ ମାରିଥିଲା । ଆସନ୍ତା ରବିବାର ଜାପାନର ଉଚ୍ଚ ସଦନ ପାଇଁ ନିର୍ବାଚନ ହେବ । ତାପୂର୍ବରୁ ସିଞ୍ଜୋଙ୍କୁ ଗୁଳି କରି ହତ୍ୟା ଜାପାନବାସୀଙ୍କୁ ସ୍ତବ୍ଧ କରିଦେଇଛି । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଘଟଣାକୁ ବର୍ବୋରଚିତ କହିବା ସହ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।

ଗୁଳିମାଡ଼ କରିଥିବା ୪୧ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେ ଜାପାନ ସେନାର ପୂର୍ବତନ କର୍ମଚାରୀ ସିଞ୍ଜୋଙ୍କ କାର୍ଯ୍ୟଧାରାକୁ ନେଇ ଅସନ୍ତୁଷ୍ଟ ଥିବାରୁ ସେ ଏଭଳିକାଣ୍ଡ ଭିଆଇ ଥିବା ଅନୁମାନ କରାଯାଉଛି । ତେଣେ ଜାପାନରେ ବନ୍ଧୁକ ଆଇନ ଅତି କଠୋର ହୋଇଥିବାରୁ ସେଠାରେ ଏଭଳି ଘଟଣା ବିରଳ ।

ସାଢେ ୧୨ କୋଟି ଜନସଂଖ୍ୟା ବିଶିଷ୍ଟ ଜାପାନରେ ଏଭଳି ଘଟଣା କଦବା କ୍ୱଚିତ ଦେଖାଯାଇଥାଏ । ପ୍ରାୟ ୯୦ ବର୍ଷ ତଳେ ୧୯୩୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ତୁୟୋଶୀ ଇନୁକାଇଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ବି ଜଣେ ନୌସେନା କର୍ମଚାରୀ ସଂପୃକ୍ତ ଥିଲେ ।

ସିଞ୍ଜୋ ଆବେଙ୍କ ମୃତ୍ୟୁ ଭାରତ ପାଇଁ ବିରାଟ କ୍ଷତି । କାରଣ ଦୁଇ ଦେଶର ସଂପର୍କ ମଜବୁତ କରିବାରେ ସିଞ୍ଜୋଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିଲାଗି ୨୦୨୧ରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଅତି ନିବିଡ଼ ଥିଲା । ଗତ ମେ’ ମାସ କ୍ୱାଡ୍ ବୈଠକରେ ଯୋଗଦେବାକୁ ଟୋକିଓ ଯାଇଥିବା ବେଳେ ମୋଦିଙ୍କୁ ଭେଟିଥିଲେ ଆବେ ।

ହେଲେ ଆଜି ହଠାତ୍ ଏଭଳି ଢଙ୍ଗରେ ତାଙ୍କୁ ହତ୍ୟା କରାଯିବା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୋଦି । ଟୁଇଟ୍ କରିଛନ୍ତି ଯେ, ନିଜର ଜଣେ ବନ୍ଧୁଙ୍କୁ ହରାଇ ମୁଁ ଅତ୍ୟନ୍ତ ମର୍ମାହତ । ସିଞ୍ଜୋ ଆବେଙ୍କ ପରଲୋକରେ ଆସନ୍ତାକାଲି ଦିନକ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବି ଶୋକ ପ୍ରକାଶ କରିଛନ୍ତି ।