/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747389705.jpeg)
ପଲିଟିକାଲ ଆଫେୟାର୍ସ କମିଟି
ଏଇ କିଛି ଦିନ ହେଲା ଓଡ଼ିଶା ରାଜନୀତିର ପାଣିପାଗ ଟିକିଏ ଥଣ୍ଡା ପଡ଼ିଯାଇଛି । କୌଣସି ରାଜନୈତିକ ଦଳର ସେମିତି କିଛି ବଡ଼ଧରଣର କାର୍ଯ୍ୟକ୍ରମ ନାହିଁ । ୱାକଫ୍ ସଂଶୋଧନ ବିଲ୍ ନେଇ ବିରୋଧୀ ବିଜୁ ଜନତା ଦଳ ବା ବିଜେଡ଼ିରେ ସୃଷ୍ଟି ହୋଇଥିବା ଝଡ଼ ଏକ ପ୍ରକାର ବର୍ତମାନ ପାଇଁ ପ୍ରଶମିତ ହୋଇଯାଇଥିବା ପରିଲାଗୁଛି । ଦେଖାଯାଉଛି ଯେ ଯେଉଁ ବରିଷ୍ଠ ବିଜେଡ଼ି ନେତାମାନେ ଦଳର ରାଜ୍ୟସଭା ସାଂସଦମାନଙ୍କ ଦ୍ୱାରା ହୋଇଥିବା ବିଖଣ୍ଡିତ ମତଦାନ ବା ସ୍ପ୍ଲିଟ୍ ଭୋଟିଂ ନେଇ ବିରକ୍ତି ତଥା ଅସନ୍ତୋଷ ପ୍ରକାଶ କରୁଥିଲେ, ସେମାନେ ଏବେ ଚୁପ୍ ।
କଂଗ୍ରେସ ଦଳର ମଧ୍ୟ ଅନୂରୂପ ଭାବରେ ଏବେ ତା’ର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ଧିମା କରିିଦେଇଥିବା ପରି ଲାଗୁଛି । ‘ନାରୀ ନ୍ୟାୟ’ନେଇ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଥିବା କଂଗ୍ରେସ ଏବେ କିଛି ନୂଆ ପ୍ରସଙ୍ଗ ସନ୍ଧାନରେ ଥିବା ଭଳି ପ୍ରତୀୟମାନ ହେଉଛି । ଭୁବନେଶ୍ୱର ଗାନ୍ଧିମାର୍ଗରେ ହୋଇଥିବା ‘ନାରୀ ନ୍ୟାୟ’ ଆନ୍ଦୋଳନରେ ଦଳର ବହୁକର୍ମୀ ପୋଲିସ୍ ସହିତ ସଂଘର୍ଷ କରିବା ଏବଂ ସେମାନଙ୍କ ମଧ୍ୟରୁ ଅନେକ ଗିରଫ ହେବା ଏହି ସର୍ବପୁରାତନ ଦଳ ପାଇଁ ଏକ ସାମୟିକ ସେଟ୍ବ୍ୟାକ୍ ହୋଇଛି । ତେଣୁ ଦଳ ମାପିଚୁପି ପରବର୍ତୀ ରଣନୀତି କ’ଣ ହେବ ସେ ନେଇ ବିଚାର ବିମର୍ଷ କରୁଥିବା ଜଣାଯାଇଛି ।
ଭାରତୀୟ ଜନତା ପାର୍ଟି (ବିଜେପି) ହେଉଛି ରାଜ୍ୟର ଅନ୍ୟତମ ବୃହତମ ଦଳ । ରାଜ୍ୟ ଶାସନରେ ଅଛି । ଦୀର୍ଘ ୧୫ ବର୍ଷର ସଂଘର୍ଷ ପରେ ଦଳ ରାଜ୍ୟରେ ଏକାକୀ ନିଜ ଶକ୍ତିରେ ଏକାକୀ ସରକାର ଗଠନ କରିବାକ ପାଇଁ ସମର୍ଥ ହୋଇଛି । ଆସନ୍ତା ଜୁନ୍ ୧୨ ତାରିଖ ଦିନ ଦଳ କ୍ଷମତାରେ ଏକ ବର୍ଷ ପୂରଣ କରିବା ପାଇଁ ଯାଉଛି । ଏହାରି ମଧ୍ୟରେ ସରକାରଙ୍କ ପ୍ରତ୍ୟେକ ମନ୍ତ୍ରୀ ନିଜନିଜ ବିଭାଗର ସଫଳତା ଓ ପାରଦର୍ଶିତା ଜନସାଧାରଣଙ୍କ ନିକଟରେ ରଖିବାକୁ ପ୍ରସ୍ତୁତ ହେଉଛନ୍ତି । ରାଜନୈତିକ ଦଳମାନେ କୌଣସି କାର୍ଯ୍ୟ ଫିଲ୍ଡ୍ ବା କ୍ଷେତ୍ରରେ ନକରୁଥିଲେ ମଧ୍ୟ ନିରନ୍ତର ଭାବରେ ମାନସିକ ସ୍ତରରେ ଭବିଷ୍ୟତ କାର୍ଯ୍ୟପନ୍ଥାର ନୀଳନକ୍ସା ପ୍ରସ୍ତୁତିରେ ଥାଆନ୍ତି । କିନ୍ତୁ ଏବେ ସେଭଳି କୌଣସି ଦଳରେ ଦେଖିବାକୁ ମିଳୁନାହିଁ ।
ପ୍ରଥମତଃ ରାଜ୍ୟ ଶାସନରେ ୨୪ ବର୍ଷ କାଳ ଧରି ରହିଥିବା ତଥା ଏବେକାର ବିରୋଧୀ ବିଜୁ ଜନତା ଦଳ କଥା ଆଲୋଚନା କରିବା । ପ୍ରାୟ ଏକ ବର୍ଷ ପରେ ଏହି ଦଳ ଏବେ ନିଜର ସଙ୍ଗଠନକୁ ସଜାଡ଼ିବା ପାଇଁ ଚେଷ୍ଟା କରିଛି । ନିକଟରେ ଦଳର ସାଙ୍ଗଠନିକ ପୁନର୍ବିନ୍ୟାସ କରାଯାଇଛି । ଏହି ପୁନର୍ବିନ୍ୟାସରେ ମୂଳ ସଙ୍ଗଠନରେ ସାତଜଣ ନେତାଙ୍କ ବରିଷ୍ଠ ନେତାଙ୍କୁ ବରିଷ୍ଠ ଉପସଭାପତି, ଆଠଜଣଙ୍କୁ ଉପସଭାପତି ଓ ୩୫ ଜଣଙ୍କୁ ସାଧାରଣ ସମ୍ପାଦିକ ଭାବେ ଥଇଥାନ କରାଯାଇଛି ।
ଗତ ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡ଼ିର ଶୋଚନୀୟ ପରାଜୟ ପରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ପୁନବିନ୍ୟାସ ପାଇଁ ଏକ ବଡ଼ ଚାପ ପଡ଼ିଥିଲା । ଆଶା କରାଯାଉଥିଲା ଦଳର ଯେଉଁ ପୁନର୍ବିନ୍ୟାସ ହେବ ସେଥିରେ ପ୍ରକୃତ, ଦକ୍ଷ, ଅଭିଜ୍ଞ ଓ ଦଳ ପ୍ରତି ସମର୍ପିତ ବ୍ୟକ୍ତିମାନେ ସ୍ଥାନ ପାଇବେ । କିନ୍ତୁ, ଯାହା ଦେଖାଗଲା ବରିଷ୍ଠମାନଙ୍କୁ ସଙ୍ଗଠନରେ ଉପସଭାପତି ଭାବେ ନିଆଯାଇଥିଲେ ମଧ୍ୟ ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବ୍ୟାପାର କମିଟି ବା ପଲିଟିକାଲ ଆଫେୟାର୍ସ କମିଟିରେ (ପିଏସି) ନିଆଯାଇନାହିଁ । ଦଳର ପ୍ରତିଷ୍ଠାତା ସଭ୍ୟ ଯଥା ପ୍ରସନ୍ନ ଆଚାର୍ଯ୍ୟ ଓ ଅନଙ୍ଗ ଉଦୟ ସିଂହଦେଓ ପ୍ରଭୃତି ଏହି କମିଟିରେ ସ୍ଥାନ ପାଇନାହାଁନ୍ତି ।
ରାଜନୈତିକ ବ୍ୟାପାର କମିଟି ସଦସ୍ୟମାନଙ୍କ ନାମକୁ ଦେଖିଲେ ଏଥିରେ ଗୋଟିଏ କଥା ଦେଖାଯାଏ । ତାହା ହେଲା ‘ପି’ ବା ‘ପ’ ଫ୍ୟାକ୍ଟରର ପ୍ରଭାବ । କ’ଣ ଏହି ‘ପି’ ବା ‘ପ’ ଫ୍ୟାକ୍ଟର? ନବୀନଙ୍କର ଡାକ ନାମ ପପୁ । ରାଜନୈତିକ ବ୍ୟାପାର କମିଟିରେ ତାଙ୍କ ଅନୁଗତ ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ୍, ନିରଜଂନ ପୂଜାରୀ ପ୍ରମୁଖ ସ୍ଥାନ ପାଇଛନ୍ତି । ଏକଦା ନବୀନଙ୍କ ପରାମର୍ଶ ଦାତା ପ୍ୟାରୀମୋହନ ମହାପାତ୍ର ଥିଲେ । ତାଙ୍କର ନାମ ‘ପ’ ଅକ୍ଷରୁ ଆରମ୍ଭ । ତାଙ୍କର ଏକାନ୍ତ ଅନୁଗତ ଭାବେ ଜଣା ସଞ୍ଜୟ ଦାସବର୍ମା ଓ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଏହି କମିଟିରେ ସ୍ଥାନ ପାଇଛନ୍ତି ।
ସେହିପରି ଆଉ ଜଣେ ‘ପ’ ଅକ୍ଷରଧାରୀ ବ୍ୟକ୍ତି ହେଲେ ପାଣ୍ଡିଆନ୍ ବା ଭି.କେ.ପାଣ୍ଡିଆନ) । ପାଣ୍ଡ୍ରିଆନ୍ ବାବୁଙ୍କ କ୍ୟାମ୍ପର ପ୍ରଣବ ପ୍ରକାଶ ଦାସ, ସସ୍ମିତ୍ ପାତ୍ର ଓ ସନ୍ତୃପ୍ତ ମିଶ୍ର ଏହି ପିଏସିିରେ ସ୍ଥାନ ପାଇଛନ୍ତି । ଏହି ବ୍ୟକ୍ତିମାନେ ନବୀନଙ୍କ ‘ହଁ’ରେ ‘ହଁ’ ଭରିବା ବ୍ୟତୀତ ଅଧିକ କିଛି କରିପାରିବେ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୁଏ । ବିଜେଡ଼ି ରାଜନୀତିରେ ନୂଆ ପିଢିରୁ ନିଜର ରାଜନୈତିକ ଉତ୍କର୍ଷତା ଦେଖାଇଥିବା ଅତନୁ ସବ୍ୟସାଚୀ ନାୟକ କିମ୍ବା ପ୍ରତାପ କେଶରୀ ଦେବ ଏହି କମିଟିରେ ସ୍ଥାନ ନପାଇବା ରାଜନୈତିକ ମହଲରେ ବେଶ୍ କୌତୁହଳ ସୃଷ୍ଟି କରିଛି ।
ଏମାନଙ୍କୁ କମିଟିରେ ନେଇଥିଲେ ନବୀନଙ୍କୁ ସେମାନଙ୍କର ଅନ୍ତଦୃଷ୍ଟି ଅନୁସାରେ କିଛିଟା କାର୍ଯ୍ୟ କରିବା ଲାଗି ପଡ଼ିଥାନ୍ତା ବୋଲି ରାଜନୀତି ବିଶାରଦମାନେ ମନେ କରନ୍ତି । ଏବେ ଦେଖିବାର କଥା ଧୂରୀଣ ଅତନୁ ଓ ପ୍ରତାପ ଦେବ କିଭଳି ତାଙ୍କ ଠାରୁ ଅପେକ୍ଷାକୃତ କମ୍ ଅଭିଜ୍ଞତା ସମ୍ପନ୍ନ ସଦସ୍ୟମାନଙ୍କ ସହିତ ନିଜକୁ ଖାପଖୁଆଉଛନ୍ତି । ଏବେ ଭାରତ ଓ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି।
ଏହି ସମୟରେ କେହି ଖୋଲାଖୋଲି ରାଜନୀତି କରିବେ ନାହିଁ । ଯେଉଁମାନେ ଏହି ସମୟରେ ରାଜନୀତି କଥା କହିବେ ବା ରାଜନୈତିକ କାର୍ଯ୍ୟକ୍ରମ କରିବେ, ଜନସାଧାରଣ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିବେ । ଉତ୍ତେଜନା ଥମିଲା ପରେ ଓଡ଼ିଶାର ତିନି ପ୍ରମୂଖ ରାଜନୈତିକ ଦଳମାନଙ୍କର ପ୍ରକୃତ ଆଭିମୁଖ୍ୟ କ’ଣ ଅଛି ଜଣାପଡ଼ିବ । ଆଉ ଦେଢ଼ ବର୍ଷ ପରେ ପଂଚାୟତ ନିର୍ବାଚନ । ଏବେ ଠାରୁ ଆଭିମୁଖ୍ୟ ସ୍ପଷ୍ଟ ନକଲେ ଲୋକମାନେ ଭ୍ରମରେ ରହିବେ । ଆଉ ମିଳିବା ଫଳ ମିଳିପାରିବ ନାହିଁ । ଏବେ ଅପେକ୍ଷା କରାଯାଇପାରେ ଯେ କେତେ ଶୀଘ୍ର ସ୍ୱାଭାବିକତା ଫେରୁଛି ଓ ରାଜନୈତିକ ଦଳମାନେ ସେମାନଙ୍କ ତାଳ ଓ ଲୟକୁ ଫେରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)