• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତିର୍ତ୍ତୋଲ, କୁଜଙ୍ଗ, ବାଙ୍କୀ, କଣାସ । ମହାନଦୀ ବନ୍ୟାରେ ରାଜ୍ୟର ୧୩ ଜିଲ୍ଲାର ୭୩ ବ୍ଲକ ପ୍ରଭାବିତ ହୋଇଥିଲେ ବି ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ମଧ୍ୟରେ ରହିଛି ଏହି ଚାରି ବ୍ଳକ୍ । ଧୀରେ ଧୀରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି । କିନ୍ତୁ ଅନେକ ଗାଁରୁ ଏବେ ବି ପାଣି ଛାଡିନି । ଏଇ ଯେମିତି କୁଜଙ୍ଗ ବ୍ଲକ୍‌ର ସାହାରିଡିହା ଗାଁ, ବିନା ଡଙ୍ଗାରେ ଗାଁକୁ ଯିବା ସମ୍ଭବ ନୁହେଁ । ଠିକ୍ ସେଭଳି ଭାବେ ତିର୍ତ୍ତୋଲରୁ ତାର୍ତ୍ତୋଲକୁ ସଂଯୋଗ କରୁଥିବା ରାସ୍ତା ବନ୍ୟା ପାଣିରେ ଧୋଇ ହୋଇଯାଇଛି । ପିଚୁ ରାସ୍ତାରେ ଖାଲ ଖମା ହୋଇଥିବାରୁ ବାଲି ବସ୍ତା ପକାଇ ଅସ୍ଥାୟୀ ଭାବେ ତାକୁ ମରାମତି କରାଯାଇ ଯାତାୟତ ଚାଲିଛି ।

ସେପଟେ କଟକ ଜିଲ୍ଲା ବାଙ୍କିରେ ସ୍ଥିତି ବେହାଲ । ଭଙ୍ଗି ଯାଇଛି ବହୁ ମାଟିଘର । ପାଣି ଛାଡ଼ିବା ପରେ ଘରକୁ ଲିପାପୋଛା କରି ସଜାଡିବାରେ ବ୍ୟସ୍ତ ବିପନ୍ନ । ପୁରୀ କଣାସ ବ୍ଲକ୍‌ର ବି ବିପନ୍ନଙ୍କ ଦୟନୀୟ ସ୍ଥିତି । ଆଜି ବି ଗାଁ ଦାଣ୍ଡରେ ଚାଲିଛି ପାଣି, ବୁଡିଯାଇଛି କେଶରପୁର ପୋଷ୍ଟ ଅଫିସ୍ ।

ସେପଟେ ମହାନଦୀରେ ଆସିଥିବା ବଡ଼ ବନ୍ୟାର ସଠିକ୍ ପରିଚାଳନାକୁ ନେଇ ଉଠିଛି ପ୍ରଶ୍ନ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ରିପୋର୍ଟ ମାଗିଛି ଜଳସଂପଦ ବିଭାଗ । ଛତିଶଗଡ଼ ସହ ଉତ୍ତମ ସମନ୍ୱୟ ରଖି, ସଠିକ୍ ଜଳ ପରିଚାଳନା କରାଯାଇଥିଲେ ହୁଏତ ବଡ଼ ବନ୍ୟା ବିଭୀଷିକାକୁ ଏଡ଼ାଯାଇ ପାରିଥାନ୍ତା ବୋଲି କୁହାଯାଇଛି । ତେଣୁ ୨୦୧୧ ହୋଇଥିବା ବନ୍ୟା ସହ ତୁଳନା କରି ଏକ ରିପୋର୍ଟ ଦେବାକୁ କୁହଯାଇଛି ।

ସେପଟେ ମହାନଦୀରେ ଆସିଥିବା ବନ୍ୟା ମନୁଷ୍ୟକୃତ ଓ ବନ୍ୟା ପରିଚଳନାରେ ସରକାର ଫେଲ୍ ମାରିଥିବା ପୁଣିଥରେ ଅଭିଯୋଗ କରିଛି ବିଜେପି । ବନ୍ୟା ପ୍ରଭାବିତ ଅଂଚଳରୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା । ହୀରାକୁଦ ଡ୍ୟାମ୍‌ର ରୁଲ୍ କର୍ଭ ଉଲ୍ଲଂଘନ ହୋଇଛି ଓ ବିପନ୍ନଙ୍କ ପାଖରେ ରିଲିଫ୍ ଠିକ୍‌ରେ ପହଞ୍ଚୁ ନାହିଁ ବୋଲି ଦଳ ଅଭିଯୋଗ କରିବା ସହିତ ରାଜ୍ୟ ସରକାର କ୍ଷମା ମାଗନ୍ତୁ ବୋଲି ଦାବି କରିଛି । ସେପଟେ ବନ୍ୟା ସମୟରେ ରିଲିଫ୍ ଅବ୍ୟବସ୍ଥା ନେଇ ବର୍ଷିଛି କଂଗ୍ରେସ ।