• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ୧୬ଟି ଜିଲ୍ଲାର ୫୯ଟି ସିଟ୍ ପାଇଁ ଭୋଟିଂ ଚାଲିଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ନିର୍ବାଚନ କମିସନରଙ୍କ ଗାଇଡଲାଇନ୍‌ର ଧଜ୍ଜିଆ ଉଡ଼ାଇଛନ୍ତି ମେୟର । କାନପୁର ମେୟର ପ୍ରମିଳା ପାଣ୍ଡେ ଭୋଟ୍ ଦେବା ସମୟର ଫଟୋ ସେୟାର କରିଛନ୍ତି । ତେବେ ଏନେଇ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ଏହାସହ ଅନ୍ୟ ଜଣେ ନେତା ମଧ୍ୟ ତାଙ୍କ ପରେ ECଙ୍କ ନିୟମକୁ ଅଣଦେଖା କରିଛନ୍ତି ।

ମେୟର ପ୍ରମିଳା ପାଣ୍ଡେ ଆଜି କାନପୁର ସହରର ହଡସନ ମତଦାନ କେନ୍ଦ୍ରକୁ ଭୋଟ୍ ଦେବାପାଇଁ ଯାଇଥିଲେ । ଆଉ ଇଭିଏମରେ ଭୋଟ୍ ଦେବାବେଳେ ସେ ନିଜର ଫଟୋ ନେଇଥିଲେ, ଯାହାକୁ ସେ ସେୟାର କରିଛନ୍ତି । ନିର୍ବାଚନ ଆୟୋଗର ନିୟମକୁ ଖଣ୍ଡନ କରି ସେ କେଉଁ ଦଳକୁ ଭୋଟ୍ ଦେଉଛନ୍ତି ତାହା ମଧ୍ୟ ସେୟାର କରିଛନ୍ତି। ଭୋଟ୍ ସମୟରେ ଇଭିଏମର ଫଟୋ ନନେବା ପାଇଁ କଡା ବାରଣ କରାଯାଇଥିଲେ ସୁଦ୍ଧା ସେ ତାଙ୍କର ମନମାନୀ କରିଛନ୍ତି । ମେୟର ପ୍ରମିଲା ପାଣ୍ଡେ ନିର୍ବାଚନ ଆୟୋଗର ଗାଇଡଲାଇନକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ଏ ସମ୍ପର୍କରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି ଏବଂ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିବା କହିଛନ୍ତି କାନପୁର ଜିଲ୍ଲାପାଳ ନେହା ଶର୍ମା । ହଡସନ ସ୍କୁଲ ମତଦାନ କେନ୍ଦ୍ରରେ ଭୋଟ୍ ଦେବା ସମୟରେ ଗୋପନୀୟତା ଉଲ୍ଲଂଘନ କରିଥିବା ଅଭିଯୋଗରେ କାନପୁରରେ ମେୟର ପ୍ରମିଳା ପାଣ୍ଡେଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଥିବା ସେ ଟ୍ୱିଟ୍ କରିଛନ୍ତି ।

ସେହପରି ବିଜେପି ଭାଜୟୁମୋର ପୂର୍ବତନ ସହର ସଭାପତି ନବାବ ସିଂ ବୁଥ ଭିତରକୁ ମୋବାଇଲ୍ ନେଇଯାଇଥିଲା ଏବଂ ଇଭିଏମରେ ଭୋଟ୍ ଦେବାବେଳେ ଏକ ଭିଡିଓ ମଧ୍ୟ ସୁଟ୍ କରିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।