• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜନୀତିରେ ସବୁକିଛି ସମ୍ଭବ । କେତେବେଳେ ଭାଇ ଭାଇ ମଧ୍ୟରେ ଲଢେଇ ତ କେତେ ବେଳେ ବାପା ପୁଅ ଗୋଟିଏ ପଦବୀ ଲାଗି କରୁଛନ୍ତି ପ୍ରତିଦ୍ୱନ୍ଦିତା । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ରୋଚକ ଦୃଶ୍ୟ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଡୁଙ୍ଗମାଳ ସିଟି ପଞ୍ଚାୟତ ଏବଂ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପିପିଲିମାଲ ପଂଚାୟତରେ ଲଢ଼େଇ ହେବ ନିଆରା ।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଡୁଙ୍ଗମାଳ ସିଟି ପଞ୍ଚାୟତର ସରପଞ୍ଚ ପଦବୀ ଲାଗି ରଣାଙ୍ଗନାକୁ ଓହ୍ଲାଇଛନ୍ତି ଦୁଇ ଭାଇ ଗଣେଷ ସ୍ୱାଇଁ ଓ ଗୋବିନ୍ଦ ସ୍ୱାଇଁ । କ୍ୟାମ୍ପେନିଂ ହାତ ଜୋଡ଼ି ଜନତା ଜନାର୍ଦ୍ଦନଙ୍କୁ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ରାଜନୀତିରେ ଏପରି ଲଢେଇକୁ କିନ୍ତୁ ତାଙ୍କ ବାପା ପସନ୍ଦ କରିନଥିବା ବେଳେ ସଂପର୍କ ତା ବାଟରେ ଆଉ ରାଜନୀତି ତା ବାଟରେ ବୋଲି କହିଛନ୍ତି ଦୁଇ ଭାଇ । ଲୋକଙ୍କ ସେବା ଲାଗି ଦୁଇ ଭାଇ ରାଜନୀତିକୁ ଆସିଥିବା ପ୍ରାର୍ଥୀ କହିଛନ୍ତି ।

ସେପଟେ ଝାରସୁଗୁଡ଼ା ଜିଲ୍ଲା ପିପିଲିମାଲ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ବାପା ଓ ପୁଅ । ରୋଚକ କଥା ହେଉଛି ଜ୍ୟୋତିଷଙ୍କ ଭବିଷ୍ୟତବାଣୀ ଯୋଗୁଁ ପୁଅକୁ ମୈଦାନକୁ ଓହ୍ଲାଇଛନ୍ତି । ସରପଞ୍ଚ ପଦବୀ ଲାଗି ବାପା ଜନ୍ମଜେୟ ଓ ପୁଅ ଘନଶ୍ୟାମ ହୋଇଛନ୍ତି ପ୍ରାର୍ଥୀ । ପ୍ରଥମେ ବାପା ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ, ହେଲେ ଜ୍ୟୋତିଷଙ୍କ ସହ କଥା ହେବା ପରେ ପୁଅକୁ ପ୍ରାର୍ଥୀ ପତ୍ର ନାମଙ୍କନ ଲାଗି କହିଥିଲେ ।

ଶେଷରେ ଅସୁସ୍ଥତା କାରଣରୁ ଜନ୍ମଜେୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରିପାରିବାରୁ ଏବେ ବାପା ପୁଅଙ୍କ ମଧ୍ୟରେ ହେବ ଲଢେଇ । ଆଉ ପୁଅର ବିଜୟ ପାଁ ବାପା ପ୍ରଚାର କରିବେ ବୋଲି କହିଛନ୍ତି । କେତେ ବେଳେ ଅନ୍ଧବିଶ୍ୱାସ ତ କେତେବେଳେ ନିଜର ପତିଆର ବୃଦ୍ଧି କରିବା ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ସଂପର୍କୀୟ । ଏବେ ଅପେକ୍ଷା ନିର୍ବାଚନ ପରର ଦୃଶ୍ୟକୁ ।

ସେପଟେ ଗାଁର ବିକାଶ ଓ କୃଷିର ଉନ୍ନତିର ନାରା ନେଇ ଚଳିତ ପଂଚାୟତ ନିର୍ବାଚନ ମଇଦାନରେ ଏମ୍ଏ ପଢୁଆ ସରପଞ୍ଚ ପ୍ରାର୍ଥୀ । କଟକ ଜିଲ୍ଲା କଂଟାପଡା ବ୍ଲକ ବ୍ରାହ୍ମଣବାଟି ପଂଚାୟତର ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ସଂଜୟ କୁମାର ରାଉତରାୟ । ସଞ୍ଜୟ ଇକୋଲୋଜି ଆଣ୍ଡ ଏନଭିରମେଣ୍ଟ୍ ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ନିଜକୁ ସମାଜ ସେବାରେ ନିୟୋଜିତ କରିଛନ୍ତି । ଏବେ ଲୋକଙ୍କ ସେବା ପାଇଁ ନିର୍ବାଚନକୁ ମାଧ୍ୟମ କରିଥିବା କହିଛନ୍ତି ନିଜ ପଂଚାୟତ କୃଷିବହୁଳ ଅଞ୍ଚଳ ହୋଇଥିବାରୁ ଆଗକୁ ସେ ଜଳସେଚନ, ଶୀତଳଭଣ୍ଡାର ଓ କୃଷି ଉତ୍ପାଦର ମାର୍କେଟିଂ ବ୍ୟବସ୍ଥା କରାଇବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ ଶକ୍ତି ପ୍ରସାଦ ମହାପାତ୍ର ଓ ଝାରସୁଗୁଡ଼ାରୁ ଭାଗିରଥୀ ସାହୁଙ୍କ ରିପୋର୍ଟ