• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ରକତ ଗାର ଏ ନୁହଇ ମାଆଲୋ

ଏ'ତ ମୋ ମଥାର ଟୀକା ,

ରଣଜିତ ସିଂହ କହିଲେ ଆବେଗେ

ଦେଲୁ ମୋତେ ମହାଶିକ୍ଷାl

ଗତ ଏକ ସପ୍ତାହରୁ ଅଧିକ ଦିନ ଧରି ଆଲୋଡନ ସୃଷ୍ଟି କରିଥିବା "ଆମ୍ବ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ" ଘଟଣାକୁ ଯିବାବେଳେ ଆମ ପିଲା ଦିନେ ପଢିଥିବା ଉପରୋକ୍ତ ‘ଦେଲୁ ମୋତେ ମହାଶିକ୍ଷା’ କବିତାଟିର ମର୍ମକୁ ଉପସ୍ଥାପନ କରିବାର ଗୁରୁତ୍ୱ ବହନ କରେ ।

ଥରେ ରାଜା ରଣଜିତ ସିଂହ ମନ୍ତ୍ରୀ ପରିଷଦ ସହିତ ପରିଭ୍ରମଣରେ ଗଲାବେଳେ ଅଚାନକ ଟେକା ଟିଏ ଆସି ତାଙ୍କ ମୁଣ୍ଡରେ ବାଜି ଧାର ଧାର ରକ୍ତ ବୋହିବାଲା । କ୍ରୋଧରେ ଜର୍ଜରିତ ସୈନ୍ୟବାହିନୀ “କିଏ ଏଭଳି ଦୁଃସାହସ କଲା” ବୋଲି ଚାରିଆଡେ ଖେଦିଗଲେ ଆଉ ଜଣେ ମହିଳାଙ୍କୁ ଖୋଜି ଆଣି ରାଜାଙ୍କ ସମ୍ମୁଖରେ ଠିଆ କଲେ । କଙ୍କାଳ କାୟ ଶରୀର, ନାରୀଟିର କରୋଡ ଭିତରକୁ ଆଖି ପଶିଯାଇ ଧାର ଧାର ଲୁହ ଝରୁଥାଏ । ତା’ର ଏଭଳି ଦୟନୀୟ, ଦୁର୍ବଳ, ଅସହାୟ ଅବସ୍ଥା ଦେଖି ରାଜାଙ୍କ ସଚିବ ଆଶ୍ଚର୍ଯ୍ୟ ହୋଇ ପଚାରିଲେ- “ତୁ ଏ କ’ଣ କଲୁ, ରାଜା ରଣଜୀତଙ୍କୁ ଚିହ୍ନିପାରିଲୁ ନାହିଁ?” ।

ଅଧିକ ପଢ଼ନ୍ତୁ: ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ

ଅତ୍ୟନ୍ତ କାକୁତି ମିନତି ହୋଇ ନାରୀ ନିଜ ଗୁହାରୀ ଜଣାଇଲେ, “୩ ଦିନ ହେଲା ଖାଇବାକୁ ନପାଇ ପିଲା ମୋର କତରାରେ ଗଡୁଛି । ବୁଲି ବୁଲି ମାଗି ଜାଚି ଖୁଦ ଚାଉଳ ମୁଠାଏ କେଉଁଠୁ ପାଇଲି ନାହିଁ । କିଛି ଫଳ ମୂଳ ପାଇବା ଆଶାରେ ଏ ଜଙ୍ଗଲକୁ ଆସିଥିଲି । ଗଛରେ ଫଳ ଦେଖି ଟେକାଟିଏ ଫିଙ୍ଗିଲି । ହେଲେ ସେ ଫଳ ହିଁ ମୋ କାଳ ହେଲା; ଟେକାଟି ଆସି ରାଜାଙ୍କ ମଥାରେ ବାଜିଲା ।”

ମହିଳାଙ୍କ ବେଦନା ଶୁଣି ଉଦାର ରାଜାଙ୍କ ଆଖି ଖୋଲିଗଲା । “ମୁଠାଏ ଅନ୍ନ ପାଇଁ ପ୍ରଜା ଯେଉଁଠି ନିଜ ଜୀବନ ହାରିଦିଅନ୍ତି; ଦେଶର ମାଆ, ଶିଶୁ ଅସହାୟରେ ଟଳିପଡନ୍ତି, ସେ ରାଜ୍ୟରେ ଏ ରାଜପଣର ଅର୍ଥ କଣ? ତେଣୁ ମୁଁ ଏ ଦୁନିଆରେ ସବୁଠାରୁ ବଡ ଅପରାଧୀ” ବୋଲି ରାଜା ନିଜକୁ ଧିକ୍କାର କରିବା ସହିତ ରାଜ୍ୟରେ ଅନାହାର, ଅସହାୟ କିଏ କେଉଁଠି ଅଛନ୍ତି ତୁରନ୍ତ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଲେ ।

ବଦଳୁଛି ସରକାର, ବଦଳୁନି ଭାଗ୍ୟ:

କବିଙ୍କ ଦୂରଦୃଷ୍ଟି ସମ୍ପନ୍ନ ବହୁ ପୁରାତନ ଏହି କବିତାଟି ଆଜି ବି ସ୍ମୃତିକୁ ସତେଜ କରୁଛି ଯେତେବେଳେ ଖାଦ୍ୟାଭାବରୁ ଆମ୍ବଟାକୁଆ ଜାଉ ଖାଇ ଲୋକେ ମୃତ୍ୟୁ ମୁଖରେ ପଡିବା ଘଟଣା ସାମ୍ନାକୁ ଆସିଛି । କେବଳ କନ୍ଧମାଳ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଲଜ୍ଜାଜନକ ଘଟଣା ବହୁବାର ଆସିବା ସତ୍ୱେ ସରକାର ନିଜ ଦୋଷ ଦୁର୍ବଳତା ଘୋଡାଇବାକୁ ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି ।

ଯେତେବେଳେ ଆର୍ଥିକ ବିକାଶର ଧାରା ଦ୍ରୁତ ବେଗରେ ଦୌଡୁଥିଵା ନାରା ଦିଆଯାଉଥିଲା ସେତେବେଳେ ଅପପୃଷ୍ଟିର ଆର୍ତ୍ତନାଦ ଦେଖିଥିଲା ଓଡ଼ିଶା l ମୁଠାଏ ଖାଦ୍ୟ ପାଇଁ, ଟୋପାଏ ପିଇବା ପାଣି ପାଇଁ ଆଜି ବି ରାଜ୍ୟର କେଉଁଠି ନାଁ କେଉଁଠି ଚିତ୍କାର ଶୁଭୁଛି! ଏହାରି ଭିତରେ ହିଁ ଆମ୍ବଟାକୁଆ ଖାଇ ମୃତ୍ୟୁ ମୁଖରେ ପଡ଼ିବାର ଚିତ୍ର ଆସେ l ସରକାର ବଦଳୁଛି ହେଲେ ଲୋକଙ୍କ ଭାଗ୍ୟ ବଦଳୁନି l

ପୁନଶ୍ଚ ‘ଆମ୍ବଟାକୁଆ’:

୨୦୦୧ରେ ରାୟଗଡା ଜିଲ୍ଲା କାଶୀପୁରରେ ଆମ୍ବଟାକୁଆ ଜାଉ ଖାଇ ୨୪ ଜଣ ଆଦିବାସୀ ପ୍ରାଣ ହରାଇଥିଲେ । ସେତେବେଳେ ବିଜେପି ଓ ବିଜେଡି ମିଳିତ ସରକାରେ ମୁଖ୍ୟମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ । ବିଧାନସଭାରୁ ପାର୍ଲ୍ୟାମେଂଟ, ଓଡିଶାରୁ ଦିଲ୍ଲୀ, ସମଗ୍ର ଭାରତବର୍ଷରେ ଏହି ଘଟଣା ଝଡ ସୃଷ୍ଟି କରିଥିଲା । ୧୫ ବର୍ଷ ପରେ ପୁଣି ୨୦୧୬ରେ ସେହି କାଶୀପୁରରୁ ୨ ଜଣଙ୍କ ଜୀବନ ନେଇଥିଲା ଆମ୍ବଟାକୁଆ ଜାଉ । ସେହିଭଳି ୨୦୧୨ ଓ ୨୦୧୩ରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏକାଧିକ ଏବଂ ୨୦୧୮ରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଂଚଳରୁ ୩ଜଣଙ୍କର ମୃତ୍ୟୁ ଘଟିଥିଲା । ନବୀନ ସରକାରଙ୍କ ଅମଳରେ ତିନିଟି ଘଟଣା ଘଟିଛି । ବିଜେପି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଲା । ଦଳର ଜଣେ ବରିଷ୍ଠ ନେତା କହିଲେ, “ଚାଉଳ, ଅଟା, ଡାଲି, ତେଲ କିଣି ଖାଇପାରିବା ଭଳି ଲୋକଙ୍କ ପାଖରେ କ୍ଷମତା ନାହିଁ । ଏ ସରକାର ଲୋକଙ୍କୁ ରୋଜଗାର ଯୋଗାଇପାରିଲେ ନାହିଁ ।” ବିଧାନସଭାରେ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଲେ । ଆଉ ଏବେ ବିଜେପି ସରକାର କ୍ଷମତାକୁ ଆସିବାର ୫ ମାସ ନପୁରୁଣୁ କନ୍ଧମାଳ ଘଟଣାର ପୁନଃରାବୃତ୍ତି ଘଟିଛି । ଅକ୍ଟୋବର ୩୦ ତାରିଖ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ୨ ମହିଳାଙ୍କ ମୃତ୍ୟୁ ଏବଂ କଟକ ଓ ବ୍ରହ୍ମପୁର ବଡମେଡିକାଲରେ ଗୋଟିଏ ପରିବାରର ୬ଜଣ ଚିକିତ୍ସିତ ହେବା ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ପୂର୍ବ ଘଟଣାରେ ବିଜେଡି ସରକାରଙ୍କ ପ୍ରତିକ୍ରିୟା ଯାହା ଥିଲା, ସମାନ ପ୍ରତିକ୍ରିୟା ବିଜେପି ସରକାରରେ ପ୍ରକାଶ ପାଇଛି- ‘ଆମ୍ବ ଟାକୁଆ ଆଦିବାସୀଙ୍କ ପ୍ରିୟ ପାରମ୍ପରିକ ଖାଦ୍ୟ ।’

ତିରୋଟ ବେଳେ ଟାକୁଆ ଜାଉ:

ପାହାଡ ଓ ଜଙ୍ଗଲ ଘେରା ଦୁର୍ଗମ ଅଂଚଳରେ ଦିନ କାଟୁଥିବା ଆଦିବାସୀମାନଙ୍କ ଜୀବନ-ଜୀବୀକା ହେଉଛି ବନ୍ୟଜାତ ଦ୍ରବ୍ୟ । ଜଙ୍ଗଲରୁ ସଂଗୃହିତ ବିଭିନ୍ନ ଫଳ, ମୂଳ, ଫୁଲ, ଫଳ ଆଦି ଖାଦ୍ୟ ଭାବେ ସେମାନେ ଗ୍ରହଣ କରନ୍ତି । ଆମ୍ବ ସେଥିରୁ ମୁଖ୍ୟ ଉପାଦାନ । ଆମ୍ବରୁ ଆମ୍ବୁଲ, ଆମ୍ବଶଢା ଆଦି ପ୍ରସ୍ତୁତ କରି ଖାଇବା ସହିତ ନିକଟ ସାପ୍ତାହିକ ହାଟରେ ବିକି ଚାଉଳ, ଡାଲି, ତେଲ ଆଦି ସଉଦା କିଣିଥାନ୍ତି । ତେବେ ଆମ୍ବ ଟାକୁଆକୁ ସାଇତି ରଖିଥାନ୍ତି । ବର୍ଷା ଦିନେ ସେଥିରୁ କିଛି ଟାକୁଆ ନେଇ ଜଙ୍ଗଲରେ ଫିଙ୍ଗିଦେଉଥିଲେ ଯାହାକୁ "ଟାକୁପର୍ବ" ବୋଲି କହିଥାନ୍ତି। ଯାହାଦ୍ୱାରା ସେଗୁଡିକ ଗଛ ହୋଇ ଆଦିବାସୀଙ୍କ ଉତ୍ତର ପିଢିକୁ ମଧ୍ୟ ଖାଦ୍ୟ ଓ ଜୀବୀକା ଯୋଗାଇପାରିବ ବୋଲି ସେମାନଙ୍କ ବିଶ୍ୱାସ ରହିଛି l ତେବେ ଆଉ କିଛି ଆମ୍ବ ଟାକୁଆ ଶୁଖାଇ ସାଇତି ରଖୁଥିଲେ ବର୍ଷା ଋରୁରେ, ତିରୋଟ ବା ନଅଣ୍ଟ, ଅଭାବ ଅନଟନ ସମୟରେ ଏହାକୁ ଜାଉ କରି ଖାଇବାକୁ। ତେବେ ବର୍ଷା ଦିନେ ପ୍ରାୟତଃ ଟାକୁଆ ବା କୋଇଲିଗୁଡିକ ଫିମ୍ପି ମାଡିଯାଇଥାଏ ଯାହାକୁ ଖାଇ ଲୋକେ ଗୁରୁତର ଅସୁସ୍ଥ ଏବଂ ମୃତ୍ୟୁ ମୁଖରେ ପଡିଥାନ୍ତି । କୋଇଲି/ ଟାକୁଆ ଫଙ୍ଗସ ହେବାର ଆଉ ଏକ କାରଣ ହେଉଛି ସେମାନଙ୍କର ଝାଟି-ମାଟିର ଘର; ଯାହା ଅଧିକାଂସ ସମୟ ସନ୍ତସନ୍ତିଆ ରହିଥାଏ । ତେଣୁ ଆମ୍ବଟାକୁଆ ଜାଉ ଆଦିବସୀଙ୍କ ଆଦର ଓ ପାରମ୍ପରିକ ସଉକ ବୋଲି କହିବା କେତେ ଠିକ୍ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଅଖାଦ୍ୟ ନୁହେଁ ଆମ୍ବଟାକୁଆ:

ଏକଦା ଗ୍ରାମାଂଚଳର ଗରିବ ଆଦିବାସୀମାନଙ୍କ ଖାଦ୍ୟ କୁହାଯାଉଥିବା ମାଣ୍ଡିଆ ଜାଉ ଆଜି ଏକ ମିଶନରେ ପରିଣତ ହୋଇଛି । ମାଣ୍ଡିଆରୁ ପ୍ରସ୍ତୁତ ନାନାଦି ରକମର ଖାଦ୍ୟ ଜାତୀୟ, ଆନ୍ତର୍ଜାତୀୟ ବଜାରର ଚାହିଦା ପୁରଣ କରୁଛି । ଆମ୍ବଟାକୁଆ ଚାଉଳ, ଗହମ ଆଦି ଭଳି ମୁଖ୍ୟସ୍ରୋତର ଖାଦ୍ୟ ନହେଲେ ମଧ୍ୟ ଏହାକୁ ଅଖାଦ୍ୟ ବୋଲି କୁହାଯାଇପାରିବ ନାହିଁ । ଆମ୍ବଟାକୁଆ ପୁଷ୍ଟିକର ବୋଲି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ରହିଛି । ନିକଟରେ ବଦୋଦରାର ପାରୋଲ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଆମ୍ବଟାକୁଆ ଜୁସ୍ ଫର୍ମୁଲାକୁ କେନ୍ଦ୍ର ସରକାର ପେଟେଣ୍ଟ ପ୍ରଦାନ କରିଛନ୍ତି । ଏଥିରେ ପ୍ରଚୁର ପରିମାଣର ଭିଟାମିନ ବି-୧୨ ଥିବା ଗୁଜରାଟର ପରୋଲ ବିଶ୍ୱବିଦ୍ୟାଳୟ ଦାବୀ କରିଛି । ଗୁଜୁରାଟର ୨୭ ପ୍ରତିଶତ ଶାକାହାରୀଙ୍କ ମଧ୍ୟରେ ଦେଖାଯାଉଥିବା ବି-୧୨ର ଆବଶ୍ୟକତାକୁ ଏହି ଆମ୍ବଟାକୁଆ ରସ ପୂରଣ କରିପାରିବ ବୋଲି କୁହାଯାଏ । ଏ ସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆମ୍ବ ଟାକୁଆକୁ ଖାଦ୍ୟ ଦ୍ରବ୍ୟ ରୂପେ ପ୍ରକ୍ରିୟାକରଣର କରିବାର ବ୍ୟବସ୍ଥା ନକଲେ ମଧ୍ୟ ଏହାକୁ ଖାଦ୍ୟ ଯୋଗ୍ୟତା ନେଇ ଆଦିବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିଲେ ନାହିଁ l

ରାଜତନ୍ତ୍ର ଓ ରାଜନେତା:

ଉପସ୍ଥାପିତ ଉପରୋକ୍ତ କବିତାଟିରେ ରାଜା ରଣଜୀତ ସିଂହଙ୍କୁ ବାଦ୍ ଦେଲେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ରଙ୍କ ଠାରୁ ଆରମ୍ଭ କରି ଛତ୍ରପତି ଶିବାଜୀଙ୍କ ପର୍ଯ୍ୟନ୍ତ ଅନେକ ରାଜା ରାଜୁଡା ଛଦ୍ମବେଶରେ ପ୍ରଜାଙ୍କ ଭଲମନ୍ଦ ବୁଝିବାକୁ ସେମାନଙ୍କ ଗହଣକୁ ଯାଉଥିଲେ । ମହାରାଜା ଶିବାଜୀ ଭିକ୍ଷୁକ ବେଶରେ ରାଜ୍ୟବାସୀଙ୍କ ସ୍ଥିତି ପାରଖୁଥିଲେ l ସେମାନଙ୍କ ଭଳି ରାଜା ଜନତାଙ୍କ ପ୍ରତି ଦରଦି, ଉଦାର ଓ ଐକ୍ୟବଦ୍ଧ ରହୁଥିବା ବେଳେ ଏକ ଗଣତାନ୍ତ୍ରିକ ସରକାର ଠାରୁ ଆମର ଆଶା ଓ ଦୃଷ୍ଟିକୋଣ କିଭଳି ରହିବ?

ଅଧିକ ପଢ଼ନ୍ତୁ: ‘ଓଡିଆ ଅସ୍ମିତା’ କେବଳ ରାଜନୈତିକ ସ୍ଲୋଗାନ ନ ହୋଇ ବିଶ୍ୱାସ ଓ ଭରସାର ବାର୍ତ୍ତା ହେଉ

ଆମ୍ବଟାକୁଆ ଘଟଣାର ବାର୍ତ୍ତା:

ଭାରତ ବିଶ୍ୱର ପଞ୍ଚମ ଅର୍ଥନୈତିକ ସ୍ଥାନରୁ ଅତିଶୀଘ୍ର ତୃତୀୟ ଅର୍ଥନୀତିରେ ପରିଣତ ହେବାର ଲକ୍ଷ୍ୟରେ ଅଗ୍ରସର ହେଉଥିବା ସ୍ଥିତିରେ 'କନ୍ଧମାଳ ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ' ଘଟଣା ଦେଇଥିବା ବାର୍ତ୍ତାକୁ ବୁଝିବାକୁ ହେବ l ବିଗତ ବର୍ଷ ବର୍ଷ ଧରି ଯେଉଁ ପ୍ରଗତିଶୀଳ ଓଡ଼ିଶାର ଚିତ୍ର ଉପସ୍ଥାପନ କରାଯାଉଥିଲା ତାହାର ବାସ୍ତବିକତାକୁ ଦେଖିବାକୁ ହେବ l ସମ୍ପୃକ୍ତ ଘଟଣାରେ ସେମାନଙ୍କୁ ସରକାରୀ ଚାଉଳ ନମିଳିବା ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ଏଭଳି ଦୁର୍ବଳ ଯେ ବଜାରରୁ ଚାଉଳ କିଣି ଖାଇବାର ଅସମର୍ଥ ହେବା ଦର୍ଶାଉଛି ରାଜ୍ୟର ବିକାଶ ଅନେକଙ୍କ ପାଖରେ ପହଞ୍ଚି ପାରିନାହିଁ ! ସେମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବାରେ ବ୍ୟବସ୍ଥା ଅନେକ ପଛରେ ରହିଯାଇଛି l ଓଡ଼ିଶା ମାଟି ତାଡି ଲକ୍ଷ ଲକ୍ଷ କୋଟିର ଖଣି ଖାଦାନ ବିକ୍ରି ସତ୍ୱେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି ? ତେଣୁ କନ୍ଧମାଳ ଆମ୍ବାଟାକୁଆ ଖାଇ ମୃତ୍ୟୁ ଘଟଣାକୁ ସରକାର ଏକ 'ମହାଶିକ୍ଷା' ଭାବରେ ବିବେଚନା କରି ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ରାଜ୍ୟବାସୀଙ୍କ ପ୍ରକୃତ ବିକାଶ ପାଇଁ ବିଶ୍ୱାସ ଓ ପ୍ରତିବଦ୍ଧତା ପ୍ରକାଶ କରିବାର ସମୟ ଆସିଛି l

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now