• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶିବସେନା ମୁଖପାତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘନିଷ୍ଠ ସଂଜୟ ରାଉତଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡିର ଚଢ଼ଉ । ସକାଳେ ଇଡିର ଏକ ଟିମ୍ ସଝ୍ୟଙ୍କ ମୁମ୍ବାଇ ବାସଭବନରେ ପହଞ୍ଚିଥିଲେ । ପାତ୍ର ଚଲ୍ ଦୁର୍ନୀତି ନେଇ ସଞ୍ଜୟଙ୍କୁ ପଚରାଉଚରା କରିବା ସହ ଯାଞ୍ଚ କରିଛନ୍ତି । ପୂର୍ବରୁ ଦୁର୍ନୀତିରେ ସଂପୃକ୍ତି ନେଇ ଅଭିଯୋଗ ଆସିବା ପରେ ହାଜର ହେବା ପାଇଁ ସଞ୍ଜୟଙ୍କୁ ସମନ କରାଯାଇଥିଲା । ହେଲେ ସଞ୍ଜୟ ବିଭିନ୍ନ ଆଳ ଦେଖାଇ ହାଜର ନ ହେବାରୁ ଆଜି ଇଡି ପକ୍ଷରୁ ଚଢ଼ଉ କରାଯାଇଛି ।

ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତଙ୍କ ସହିତ ସଂଜୟଙ୍କ ସଂପର୍କ ଓ ବ୍ୟବସାୟ ତଥା ବିଭିନ୍ନ ଡିଲ୍‌ରେ ସଂଜୟଙ୍କ ପତ୍ନୀଙ୍କ ସଂପୃକ୍ତିକୁ ନେଇ ଇଡି ଜେରା କରୁଥିବା ଜଣାପଡ଼ିଛି । ଇଡି ସହିତ ସିଆର୍ପିଏଫ୍ ମଧ୍ୟ ସାଙ୍ଗରେ ରହିଛି । ପୂର୍ବରୁ ସଞ୍ଜୟଙ୍କୁ ସମନ କରାଯାଇଥିଲେ ବି ସଂସଦର ଅଧିବେଶନ ଥିବା କହି ହାଜର ହୋଇନଥିଲେ । ପରେ ପୁଣି ଜୁଲାଇ ୨୭ରେ ହାଜର ପାଇଁ ଇଡି ନୋଟିସ କରିଥିଲା ।ଏହାପରେ ବି ସେ ହାଜର ନ ହେବାରୁ ଆଜି ଇଡି ପକ୍ଷରୁ ଚଢ଼ଉ କରାଯାଇଛି ।

ଆଜିର ଚଢ଼ଉ ପରେ ସଞ୍ଜୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଟକ ରଖିଛି । ପାତ୍ର-ଚଲ ଜମି ଦୁର୍ନୀତି ମାମଲାରେ ସଞ୍ଜୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ ଅଟକ ରଖିଛନ୍ତି । ଏହାପରେ ତାଙ୍କୁ ମୁମ୍ବାଇ ଅଫିସ ନିଆଯିବ ବୋଲି ସୂଚନା ମିଳିଛି । ଦୁର୍ନୀତି ମାମଲାରେ ବାରମ୍ବାର ସମନ ପରେ ହାଜର ନ ହେବାରୁ ଆଜି ସକାଳୁ ତାଙ୍କ ଘରେ ଚଢ଼ଉ କରାଯାଇଥିଲା।

ତେବେ ସଞ୍ଜୟ ରାଉତ ଇଡ଼ିର ଚଢ଼ଉକୁ ତୀବ୍ର ସମାଲୋଚନା କରିଥିଲେ । ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସୁଛି, ତାହା ସଂପୂର୍ଣ୍ଣ ମିଛ ଓ ସେ କୌଣସି ବେଆଇନ କାର୍ଯ୍ୟ କରିନାହାନ୍ତି ବୋଲି ସଞ୍ଜୟ କହିଥିଲେ । କେବଳ ରାଜନୈତିକ ହୀନ ଉଦ୍ଦେଶ୍ୟ ରଖି ତାଙ୍କୁ ହଇରାଣ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଭଳି ଚଢ଼ଉ କରୁଛି ବୋଲି ମଧ୍ୟ ସଞ୍ଜୟ କହିଥିଲେ ।

ସଞ୍ଜୟ ଆହୁରି ମଧ୍ୟ କହିଥିଲେ ଯେ, ଯଦି ସେ ମରି ଯାଆନ୍ତି, ତଥାପି ସେ ଆତ୍ମ ସମର୍ପଣ କରିବେ ନାହିଁ । ଏପରିକି ଶିବସେନା ଛାଡ଼ିବେ ନାହିଁ ବୋଲି ସଞ୍ଜୟ କହିଛନ୍ତି । ‘ଶିବସେନା ପ୍ରତିଷ୍ଠାତା ବାଲାସାହେବ ଥାକରେଙ୍କ ନାଁରେ ଶପଥ କରି କହୁଛି ଯେ, କୌଣସି ଦୁର୍ନୀତି ସହ କିଛି ବି ସଂପର୍କ ନାହିଁ’ ବୋଲି ସଞ୍ଜୟ କହିଛନ୍ତି । ବାଲାସାହେବ ତାଙ୍କୁ ଲଢ଼ିବା ଶିଖାଇଛନ୍ତି । ଆଉ ସେ ଶିବସେନା ପାଇଁ ଲଢ଼େଇ ଜାରି ରଖିବେ ବୋଲି ସଞ୍ଜୟ ଟ୍ୱିଟ କରି କହିଛନ୍ତ ।

ସେପଟେ ସଞ୍ଜୟଙ୍କୁ ଟାର୍ଗେଟ କରିଛି ବିଜେପି । ଯଦି ସଞ୍ଜୟ କିଛି ଭୁଲ୍ କରିନାହାନ୍ତି କି ତାଙ୍କର ଦୁର୍ନୀତି ସହ କୌଣସି ସଂପର୍କ ନାହିଁ, ତା ହେଲେ କଣ ପାଇଁ ସମନକୁ ଅଣଦେଖା କରି ହାଜର ହେଉନଥିଲେ ବୋଲି ବିଜେପି ନେତା କହିଛନ୍ତି । ପ୍ରେସ କନଫରେନ୍ସ କରି ବିବୃତ୍ତି ଦେବାକୁ ତାଙ୍କ ପାଖରେ ସମୟ ଅଛି ହେଲେ ଇଡି ଅଫିସରେ ହାଜର ହେବାକୁ ତାଙ୍କ ପାଖରେ ସମୟ ନାହିଁ ବୋଲି ବିଜେପି ନେତା କହିଛନ୍ତି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ଉ ପ୍ରତିବାଦରେ ସଞ୍ଜୟଙ୍କ ବାସଭବନ ଆଗରେ ଶିବସେନା କର୍ମୀଙ୍କ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଞ୍ଜୟଙ୍କ ବାସଭବନ ଆଗରେ ଶହ ଶହ ଶିବସେନା କର୍ମୀ ବସି ଧାରଣା ଦେବା ସହ ଇଡି ବିରୋଧରେ ନାରାବାଜି କରିଛନ୍ତି । ଏହାସହ ସମଗ୍ର ଘଟଣା ପାଇଁ ବିଜେପିକୁ ଦାୟୀ କରି ସ୍ଳୋଗାନ ଦେଇଥିଲେ ଶିବସେନା କର୍ମୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ଉ କେବଳ ଶିବସେନାକୁ ନଷ୍ଟ କରିବା ପାଇଁ କରାଯାଇଛି ବୋଲି ଶିବସେନା ନେତା କହିଛନ୍ତି ।