Advertisment

ଶୂନ୍ୟରୁ ଶିଖର, ଓ୍ୱାର୍ଡ କାଉନସିଲରରୁ ଦେଶର ସୁପ୍ରିମ କମାଣ୍ଡର

ଅଭିଭାଷଣରେ ଭୀମଭୋଇଙ୍କ ପଂକ୍ତି ଗାଇ କିଣିନେଲେ ଦେଶବାସୀଙ୍କ ମନ

author-image
Prangyan Parimita
special report

special report

ଦେଶ ପାଇଛି ନୂଆ ରାଷ୍ଟ୍ରପତି ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଏକ ନିପଟ ଆଦିବାସୀ ଗାଁର ମହିଳାଟିଏ ବି ଅଳଙ୍କୃତ କରିପାରେ ଭାରତ ଭଳି ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରର ସର୍ବୋଚ୍ଚ ପଦବୀ, ତାହା ଆଜି ପ୍ରମାଣିତ ହୋଇଛି । ତେବେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ନିଜ ସାରଗର୍ଭକ ପ୍ରଥମ ଅଭିଭାଷଣରେ ଦ୍ରୌପଦୀ, ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସନ୍ଥ ଭୀମଭୋଇଙ୍କ ଲିଖିତ ପଂକ୍ତି ଗାଇ କିଣି ନେଇଛନ୍ତି ସାରା ଦେଶବାସୀଙ୍କ ମନ ।

Advertisment

ଆଜି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ନେବା ପରେ ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ପଞ୍ଚଦଶ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପୂର୍ବରୁ ଆଜି ପ୍ରଥମେ ଦ୍ରୌପଦୀ ମୁର୍ମୁ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀ ସମାଧୀ ସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେଠାରୁ ସିଧା ଯାଇଥିଲେ ରାଷ୍ଟ୍ରପତି ଭବନ, ସେଠି ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦ୍ରପଦୀଙ୍କୁ ସ୍ୱାଗତ ଜଣାଇ ନର୍ଥ କୋର୍ଟକୁ ପାଛୋଟି ନେଇଥିଲେ । ମୁର୍ମୁ ଓ କୋବିନ୍ଦ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅଙ୍ଗରକ୍ଷୀମାନେ ଜାତୀୟ ସାଲ୍ୟୁଟ୍‌ ପ୍ରଦାନ କରିଥିଲେ ।

ପରେ ସେଠାରୁ ଉଭୟେ ସଂସଦର ସେଣ୍ଟ୍ରାଲ ହଲ୍ ଅଭିମୁଖେ ବାହାରିଥିଲେ । ସେମାନଙ୍କୁ ସ୍ୱାଗତ ପାଇଁ ଅପେକ୍ଷା କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ, ଲୋକସଭା ବାଚସ୍ପତି ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପ୍ରମୁଖ । ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଶପଥ ଗ୍ରହଣ ଉତ୍ସବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍ ଭି ରମନ୍ନା, ନୂଆ ରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଭବ୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍, ସମସ୍ତ କେନ୍ଦ୍ରମନ୍ତ୍ରୀ, ସାଂସଦ, ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Advertisment

ଶପଥ ଗ୍ରହଣ ପରେ ନୂଆ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ଜୁହାରରୁ ଆରମ୍ଭ ପ୍ରଥମ ଅଭିଭାଷଣ ଥିଲା ବେଶ୍ ସାରଗର୍ଭକ ଓ ହୃଦୟସ୍ପର୍ଶୀ । ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ନିଜ ଜୀବନଯାତ୍ରାର ଅୟମାରମ୍ଭ କଥା ବଖାଣି କେମିତି ସେ ହିଁ ଗାଁର ପ୍ରଥମ କଲେଜ୍ ପଢୁଆ ଝିଅ ଥିଲେ ତାହା ଭାଷଣରେ ଉଲ୍ଲେଖ କରିଥିଲେ । ଦ୍ରୌପଦୀ କହିଥିଲେ, ଜଣେ ଓ୍ୱାର୍ଡ କାଉନସିଲରରୁ ରାଷ୍ଟ୍ରପତି ହେବାର ସୌଭାଗ୍ୟ ତାଙ୍କୁ ମିଳିଛି । ତେଣୁ ଦେଶର ଗରିବ ଲୋକଟିଏ ବି ସ୍ୱପ୍ନ ଦେଖିବା ସହ କେମିତି ତାକୁ ସାକାର କରିପାରିବ, ତାହା ତାଙ୍କ ରାଷ୍ଟ୍ରପତି ହେବା କଥାକୁ ପ୍ରମାଣିତ କରିଛି । ତାସହ କହିଛନ୍ତି ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ମହିଳାଙ୍କ ହିତ ସାଧନ ହେବ ତାଙ୍କର ସବୋର୍ଚ୍ଚ ପ୍ରାଥମିକତା । ତେବେ ଭାଷଣର ଶେଷ ଭାଗରେ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସନ୍ଥ କବି ଭୀମ ଭୋଇଙ୍କ ଦ୍ୱାରା ଲିଖିତ ପଂକ୍ତି ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉର ଆବୃତ୍ତି କରି ସମସ୍ତଙ୍କ ମନ କିଣି ନେଇଥିଲେ ଦ୍ରୌପଦୀ ।

ଦେଶର ପଞ୍ଚଦଶ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବାପରେ ଦ୍ରୌପଦୀ ମୁର୍ମୁଙ୍କର ବଦଳିଛି ପରିଚୟ, ବଦଳିଛି ଠିକଣା । ସେ ଏବେ ମହାମହିମ, ମ୍ୟାଡାମ୍ ପ୍ରେସିଡେଣ୍ଟ ଦେଶର ତିନି ସେନାର ସୁପ୍ରିମ କମାଣ୍ଡର । ଶପଥ ନେବା ପରେ ଅଙ୍ଗରକ୍ଷୀଙ୍କ ଗହଣରେ ପହଞ୍ଚିଥିଲେ ରାଷ୍ଟ୍ରପତି ଭବନ । ଯେଉଁଠି ତିନି ସେନା ପକ୍ଷରୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର । ଏହା ପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଦାୟିତ୍ୱ ନେଇଥିଲେ ଦ୍ରୌପଦୀ । ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହେବା ପରେ ପରମ୍ପରା ମୁତାବକ ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କୁ ନିଜେ ସାଙ୍ଗରେ ନେଇ ତାଙ୍କ ନୂଆ ନିବାସ ସ୍ଥଳରେ ବିଦାୟ ଦେଇ ଆସିଥିଲେ ଦ୍ରୌପଦୀ ମୁର୍ମୁ ।

Draupadi Murmu
Advertisment
Advertisment