/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755507783.jpg)
Regional Party
ନିକଟରେ ଭୁବନେଶ୍ୱର ରେ ଏକ ଗରୁତ୍ୱପୂର୍ଣ୍ଣ ରାଜନୈତିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବରିଷ୍ଟ ସମ୍ବାଦିକ ରାଜେଶ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା ‘ସଂଘୀୟ ବ୍ୟବସ୍ଥାରେ ଆଞ୍ଚଳିକ ଦଳଗୁଡିକର ଭୂମିକା’ । ବିଷୟଟି ଥିଲା ବେଶ୍ ତାତ୍ତ୍ୱିକ ଓ ସମୟୋଯୋଗୀ ମଧ୍ୟ । କାରଣ ଏବେ ଯାହା ଦେଖାଯାଉଛି ଆଞ୍ଚଳିକ ଦଳଗୁଡିକ ଧିରେଧିରେ ଦୂର୍ବଳ ହେବାରେ ଲାଗିଛନ୍ତି ଏବଂ ରାଷ୍ଟ୍ରୀୟ ଦଳଗୁଡିକ ଅଧିକ ବଳଶାଳୀ ହେବାରେ ଲାଗିଛନ୍ତି ।
ଏହି ଆଲୋଚନାଚକ୍ରରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବରିଷ୍ଠ ସମ୍ବାଦିକ ରବି ଦାସ ପ୍ରମୂଖ ଯୋଗଦେଇଥିଲେ । ଆଲୋଚନା ଆଗକୁ ବଢିଲା । ସମସ୍ତେ ସମସ୍ୱରରେ ଗୋଟିଏ କଥାରେ ସହମତ ହେଲେ ଯେ ସଂଘୀୟ ଗଣତନ୍ତ୍ରକୁ ଜୀବନ୍ତ ତଥା ଋଦ୍ଧିମନ୍ତ କରି ରଖିବାକୁ ହେଲେ ଆଞ୍ଚଳିକ ଦଳଗୁଡିକୁ ବଞ୍ଚି ରହିବାକୁ ପଡ଼ିବ । ସେମାନଙ୍କ ସ୍ଥିତି ବଜାୟ ରହିଲେ ଗଣତନ୍ତ୍ର ଅକ୍ଷୂର୍ଣ୍ଣ ରହିବ ।
ଆଲୋଚନା ଚକ୍ରରେ ବକ୍ତାମାନେ ଗୋଟିଏ କଥାରେ ଉଦ୍ବେଗ୍ ପ୍ରକାଶ କରିଥିଲେ । ଆଞ୍ଚଳିକ ଦଳଗୁଡିକ ଯେଉଁ ନୀତି, ଆଦର୍ଶ ଓ ବିଚାରଧାରା ନେଇ ଜନ୍ମ ନେଉଛନ୍ତି, ସେଗୁଡ଼ିକ କିଛି ଦିନ ପରେ ଜଳାଞ୍ଚଳି ଦେବା ପରେ ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସ ହରାଉଛନ୍ତି ।
ବିଜୁ ଜନତା ଦଳ (ବିଜେଡି) ଓ ତୃଣମୂଳ କଂଗ୍ରେସ ଭଳି ଅନେକ ଆଞ୍ଚଳିକ ଦଳ କେନ୍ଦ୍ର ସରକାରଙ୍କ ଉପେକ୍ଷା ଆଳରେ ଜନ୍ମ ନିଅନ୍ତି । ତେଲୁଗୁ ଦେଶମ ପାର୍ଟି (ଟିଡିପି), ତେଲଙ୍ଗନା ରାଷ୍ଟ୍ର ସମିତି (ଟିଆରସ୍), ୱାଇଏସ୍ଆର କଂଗ୍ରେସ, ଏଆଇଡିଏମ୍କେ ଓ ଡିଏମ୍କେ ଭଳି ଆଉ କିଛି ଭାଷା ଓ ଆଞ୍ଚଳିକତାବାଦ ଭାବନାରୁ ଜନ୍ମ ହୁଅନ୍ତି । ଠିକ୍ ସେହିଭଳି ଜାତିବାଦକୁ ନେଇ ବହୁଜନ ସମାଜ ପାର୍ଟି (ବିଏସ୍ପି) ଓ ସମାଜବାଦୀ ପାର୍ଟି (ଏସ୍ପି) ଭଳି ଆଞ୍ଚଳିକ ଦଳଗୁଡିକର ଜନ୍ମ ହୋଇଥାଏ ।
ଆଞ୍ଚଳିକ ଦଳର ଜନ୍ମ ଯେ ଏବେକାର କଥା ତାହା ନୁହେଁ । କିନ୍ତୁ ୧୯୯୦ ଦଶକରୁ ଦେଶର ରାଜନୀତିରେ ଆଞ୍ଚଳିକ ଦଳମାନଙ୍କର ଅଖଣ୍ଡ ପ୍ରଭାବ ବିଭିନ୍ନ ରାଜ୍ୟ ସମେତ କେନ୍ଦ୍ର ରାଜନୀତିରେ ଦେଖିବାକୁ ମିଳିଲା । ବିଶେଷ କରି କେନ୍ଦ୍ର ସରକାର ଭଙ୍ଗା ଓ ଗଢାରେ ଏମାନଙ୍କର ପ୍ରମୂଖ ଭୂମିକା ରହିବାରୁ ଏହାର ମୁଖିଆମାନେ ଆବଶ୍ୟକତା ଠାରୁ ଅଧିକ ଶକ୍ତିଶାଳୀ ହୋଇ ଗଣତନ୍ତ୍ରର ମୂଲ୍ୟବୋଧକୁ କ୍ଷୁର୍ଣ୍ଣ କରିବାକୁ ଲାଗିଲେ । ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ, ବିଏସ୍ପି ନେତ୍ରୀ ମାୟାବତୀ ଓ ଏଆଇଡିଏମ୍କେ ନେତ୍ରୀ ଜୟଲଳିତାଙ୍କ ଆର୍ମଟୁଇଷ୍ଟିଂ ବା ଜୋର ଜବରଦସ୍ତି ରାଜନୀତି ଦେଶବାସୀ ଦେଖିଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଗଠିତ ମିଳିତ ସରକାରଙ୍କୁ ଏମାନେ ପ୍ରତିଦିନ ପାଣି ପିଆଇବା ଦେଖାଯାଉଥିଲା । ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ବି କିଛି କମ୍ ନଥିଲେ ବା ଏବେ ବି କମ୍ ନାହାନ୍ତି । ବାଜପେୟୀଙ୍କ ସରକାର ସମୟରେ ଓଡ଼ିଶାର ବିଜେଡ଼ି ଏକ ଅଂଶୀଦାର ଦଳ ହୋଇଥିଲେ ମଧ୍ୟ ଏହା ବିଜେପିର ଏକାନ୍ତ ଅନୁଗତ ତଥା ବିଶ୍ୱସ୍ତ ସହଯୋଗୀ ଦଳ ରୂପେ ନିଜକୁ ଉପସ୍ଥାପିତ କରିଥିଲା । ଯେଉଁ ସମୟରେ ଅନ୍ୟ ସହଯୋଗୀମାନେ ନିଜର ସହଯୋଗ ପ୍ରତିବଦଳରେ ସ୍ୱତନ୍ତ୍ର ପ୍ୟାକେଜ୍ମାନ ବାଜପେୟୀ ସରକାରଙ୍କ ଠାରୁ ଆଦାୟ କରୁଥିଲେ, ସେହି ସମୟରେ ବିଜୁ ଜନତା ଦଳ ନିଜର ପ୍ରମୂଖ ଦାବି ‘ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମର୍ଯ୍ୟାଦା’କୁ ଜଳାଞ୍ଚଳି ଦେଇ ବିଜେପିର ଏକାନ୍ତ ଅନୁଗତ ପରିଚୟ ଦେଇ ବଞ୍ଚିବାକୁ ଚାହିଁଲା ।
ପ୍ରଥମରୁ ଆଲୋଚନା କରିଛେ ଯେ ବିଜୁ ଜନତା ଦଳ ଗଠନର ଆରମ୍ଭ କେନ୍ଦ୍ରୀୟ ଅବହେଳା ଭାବନାରୁ ହୋଇଥିଲା । ଏହି ରାଜ୍ୟରେ ସମସ୍ତ ସମ୍ପଦ ଥାଇ ମଧ୍ୟ ଏହାର ଲୋକ ଗରିବ । ବିଜୟ ମହାପାତ୍ର, ରାମକୃ୍ଷ୍ଣ ପଟ୍ଟନାୟକ, ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ, ବ୍ରଜକିଶୋର ତ୍ରିପାଠୀ, ପ୍ରସନ୍ନ ଆଚାର୍ଯ୍ୟ ଓ ଏୟୁ ସିଂହଦେଓ, ପ୍ରଭାତ ତ୍ରିପାଠୀ, ପ୍ରଦୀପ ମହାରଥୀ, ସୁଜ୍ଞାନ କୁମାରୀ ଦେଓଙ୍କ ଭଳି ବରିଷ୍ଠ ନେତା ଓ ନେତ୍ରୀ ଏହି ଦଳକୁ ତିଆରି କରିଥିଲେ । ଏମାନଙ୍କର ଭାବନା ଓ ଦର୍ଶନରୁ ତିଆରି ହୋଇଥିବା ଦଳ କିନ୍ତୁ ଧିରେଧିରେ ସେତେବେଳ ପର୍ଯ୍ୟନ୍ତ ଓଡ଼ିଶା ପାଣିପବନ ବିଷୟରେ ଧାରଣା ନଥିବା ଦଳର ସଭାପତିଙ୍କ ଖିଆଲ୍ ବା ହ୍ୱିମ୍ସ୍ରେ ଚାଲିଲା । ନବୀନଙ୍କ ସ୍ୱାର୍ଥ ଆଗରେ ବଳି ପଡ଼ିଲେ ଜଣଙ୍କ ପରେ ଜଣେ ପ୍ରତିଷ୍ଠାତା ସଦସ୍ୟ । ତାଙ୍କୁ ସହାୟତା କରିବା ପାଇଁ ପ୍ୟାରୀମୋହନ ମହାପାତ୍ର ଓ ଭି କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ଭଳି ଚରିତ୍ରମାନଙ୍କର ଆବିର୍ଭାବ ହେଲା । ଦେଶର ଅନ୍ୟ ଆଞ୍ଚଳିକ ଦଳମାନଙ୍କର ଠିକ୍ ଏହି ସମୟରେ ଅଧଃପତନ ହେଉଥିଲା । ସେମାନେ ମଧ୍ୟ ଅନୂରୂପ ଭାବରେ ଦଳୀୟ ନେତାମାନଙ୍କୁ ନ୍ୟୁନ କରି ନିଜର ସନ୍ତାନସନ୍ତତିମାନଙ୍କୁ ପୃଷ୍ଟପୋଷକତା କରିବାକୁ ଲାଗିଲେ । ଓଡ଼ିଶାରେ ମଧ୍ୟ ଏହି ଧାରା ଆରମ୍ଭ ହେଲା । ଅବିବାହିତ ନବୀନ ଅନେକ ନେତା ଭାଗବତ ବେହେରା, ରାମକୃ୍ଷ୍ଟ ପଟ୍ଟନାୟକ, ଅରୁଣ ପଟ୍ଟାୟକ, ବେଦ ପ୍ରକାଶ ଅଗ୍ରୱାଲ, ରବି ଜେନା, ସୁବଳ ସାହୁ, ସୁଦାମ ମାର୍ଣ୍ଡି, ରବି ନନ୍ଦ, କିଶୋର ଦାସଙ୍କ ନେତାମାନଙ୍କ ପତ୍ନୀଙ୍କୁ ଟିକେଟ୍ ଦେଲେ । ସେହିପରି ପ୍ରଫୁଲ ଘଡ଼ାଇ, କାଳିନ୍ଦୀ ବେହେରା, କଳ୍ପତରୁ ଦାସ, ଅଶୋକ ଦାସ, ମହେଶ୍ୱର ମହାନ୍ତି, ପ୍ରଦୀପ ମହାରଥୀ, ବିଷ୍ଣୁ ଦାସ, ପ୍ରତାପ ଜେନା, ବିଜୟ ମହାପାତ୍ର, ବିଜୟଶ୍ରୀ ରାଉତରାୟ, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ପର୍ଶୁରାମ ପାଣିଗ୍ରାହୀ, ଅଦ୍ୱୈତ ପ୍ରସାଦ ସିଂ, ଦାମୋଦର ରାଉତ, ପ୍ରଦୀପ ମହାରଥୀ ଓ ଆନନ୍ଦ ଆଚାର୍ଯ୍ୟଙ୍କ ପୁତ୍ରଙ୍କୁ ଦଳରେ ସଂସ୍ଥାପିତ କଲେ । ଅନୂରୂପ ଭାବରେ ନବ ଦାସ ଓ ବିଜୟ ରଂଜନ ସିଂହ ବରିହାଙ୍କ କନ୍ୟାମାନଙ୍କୁ ମଧ୍ୟ ଦଳରେ ଟିକେଟ୍ ଦିଆଯାଇ ଧିରେ ଧିରେ ଏକ ଗଣତାନ୍ତ୍ରିକ ଆଞ୍ଚଳିକ ଦଳକୁ ପରିବାରବାଦ ତଥା ବ୍ୟକ୍ତିକୈନ୍ଦ୍ରିକ ଦଳରେ ପରିଣତ କରିଦିଆଗଲା ।
ନବୀନଙ୍କ କାର୍ଯ୍ୟଶୈଳୀ ମଧ୍ୟରେ ବହୁ ଜନନେତାଙ୍କ ଭାବନା ଓ ଜନଚେତନାରୁ ଏକ ବିପ୍ଳବ ରୂପେ ଜନ୍ମ ନେଇଥିବା ବିଜେଡ଼ି ଏହା ମଧ୍ୟରେ ଧିରେଧିରେ ନିଜର ରାଜନୈତିକ ଚରିତ୍ର ହରାଇ ଜନସାଧାରଣଙ୍କ ନିକଟରୁ ଦୂରେଇ ଯାଉଥିଲା । ନିଜର ନୀତି ଓ ଆଦର୍ଶ ସହିତ ସାଲିସ୍ କରିବାର ଫଳ ଏହି ଦଳକୁ ୨୦୨୪ରେ ଭୋଗିବାକୁ ପଡ଼ିଲା । ଦଳକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କଲେ ଏବଂ ଦଳ ଶାସନରୁ ବିଦା ହେଲା ।
ଗୀତିଗୋବିନ୍ଦ ସଦନ ବୈଠକରେ ଅନେକ ମତବ୍ୟକ୍ତ କଲେ ଯେ ଯଦି ବିଜେଡ଼ି ଭଳି ଦଳ ବଞ୍ଚି ରହିବାକୁ ଚାହେଁ, ତେବେ ତାହାକୁ ନିଜକୁ ପୁନଃ ଆବିଷ୍କାର କରିବା ପାଇଁ ପଡ଼ିବ । ଏହି ପୁନଃ ଆବିଷ୍କାର କ’ଣ ଏବଂ ଏହାର ରୂପରେଖ କିପରି? ବିଜେଡ଼ି ଯେଉଁ ଜନ ଆନ୍ଦୋଳନରୁ ଜନ୍ମ ନେଇଥିଲା, ନବୀନ ସେହି ଜନ ଆନ୍ଦୋଳନର ଚରିତ୍ର ଦଳକୁ ଫେରାଇ ଦେଇ ପାରିବେ କି ? ଦଳକୁ ପରିବାରବାଦରେ ଉବୁଟୁବୁ କରିସାରିଥିବା ନବୀନ ପୁଣି ଥରେ ଏହାକୁ ଗଣତାନ୍ତ୍ରିକ ମନ୍ତ୍ରରେ ଦୀକ୍ଷିତ କରିପାରିବେ ତ? କଂଗେସ୍ର ଦୁର୍ନୀତି ତଥା ପ୍ରିୟାପ୍ରୀତି ବିରୋଧୀ ଭାବନାରୁ ବିଜେଡ଼ି ସୃଷ୍ଟି ହୋଇଥିଲା । ନବୀନଙ୍କ ଦଳ ବିରୋଧରେ ଏହି ଅଭିଯୋଗ ବ୍ୟାପକ ଭାବରେ ଆସିଲା ଓ ତାହା ଦଳ ପାଇଁ ଘାତକ ସାବସ୍ତ ହେଲା ।
ବିଏସ୍ପି, ଟିଆରଏସ୍ (ଏବେ ବିଆରଏସ୍), ୱାଇଏସ୍ଆର ଓ ସମାଜବାଦୀ ପାର୍ଟି ଇତ୍ୟାଦି ଏବେ ସେମାନଙ୍କର ଆଦର୍ଶ, ନୀତି ଓ ନୈତିକତା ସ୍ଖଳନ ଯୋଗୁ ଲୋକପ୍ରିୟତାରେ ହ୍ରାସ ପରିଲକ୍ଷିତ ହେଉଛି । ଆଗାମୀ ଦିନରେ ଯେତେବେଳେ କୌଣସି ଆଞ୍ଚଳିକ ଦଳ ପ୍ରତିଷ୍ଠା ହେବ ସେତେବେଳେ ପ୍ରଥମ ଗ୍ୟାରେଣ୍ଟି ଯଦି ସେମାନଙ୍କୁ ଦେବାକୁ ପଡ଼ିବ ତାହା ହେଲା ଦଳ ନିଜର ରାଜନୈତିକ ଚରିତ୍ର ବଜାୟ ରଖିବ ଏବଂ ଏହାକୁ ବ୍ୟକ୍ତିକୈନ୍ଦ୍ରିକ କରିବ ନାହିଁ ।
ଗତ ୨୫ ବର୍ଷ ମଧ୍ୟରେ ବିଜେଡ଼ି ବ୍ୟତୀତ ବିଜୟ ମହାପାତ୍ରଙ୍କ ‘ଓଡ଼ିଶା ଗଣ ପରିଷଦ,’ ସୌମ୍ୟ ପଟ୍ଟନାୟକଙ୍କ ‘ଆମ ଓଡ଼ିଶା,’ ବ୍ରଜ କିଶୋର ତ୍ରିପାଠୀଙ୍କ ‘ସମତା କ୍ରାନ୍ତି ଦଶ ଓ ଯତୀଶ ମହାନ୍ତିଙ୍କ ‘ସମୃଦ୍ଧ ଓଡ଼ିଶା’ ଆଞ୍ଚଳିକ ଦଳ ଭାବେ ଜନ୍ମ ନେଇଛନ୍ତି । ହେଲେ ସେମାନେ ବିଜେଡ଼ି ଭଳି ସେତେଟା ସଫଳତା ପାଇପାରିନାହାଁନ୍ତି । ଏବେ ଦେଖିବାର କଥା ଆଗାମୀ ଦିନରେ ଓଡ଼ିଶାରେ ଆଉ ନୂଆ ଆଞ୍ଚଳିକ ଦଳ ଜନ୍ମ ନେଉଛନ୍ତି ନା ନାହିଁ ।
ବି.ଦ୍ର. – ଏହା ଲେଖକଙ୍କ ନିଜସ୍ୱ ମତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)