କାଶୀପୁରରେ ଝାଡ଼ାବାନ୍ତି ନା ହଇଜା ? କମ୍ପିଲା ବିଧାନସଭା, ନରସିଂହ କହିଲେ ସରକାର ସ୍ପଷ୍ଟ କରନ୍ତୁ

କାଶୀପୁର ଘଟଣାକୁ ନେଇ କଂଗ୍ରେସର ଉଦବେଗ୍ । ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ରଙ୍କ ଟାଗେର୍ଟ ।

narasingha

ଗୃହରେ ଉଠିଲା କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ । କାଶୀପୁର ଘଟଣାକୁ ନେଇ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଟାଗେର୍ଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଝାଡ଼ାବାନ୍ତି ହୋଇଥିବା କହିଥିଲେ ହେଲେ ଜିଲ୍ଲାପାଳ କହୁଛନ୍ତି କଲେରା ହୋଇଛି । ଉଭୟଙ୍କ ସୂଚନାରେ ତାଳମେଳ ନାହିଁ । କାଶୀପୁରରେ କଣ ହୋଇଛି ସେନେଇ ସ୍ପଷ୍ଟତା ଆଣନ୍ତୁ ବୋଲି ନରସିଂହ ଗୃହରେ ଦାବି କରିଛନ୍ତି । କାଶୀପୁରରେ ଆମ୍ବ ଟାକୁଆ, ବିଷାକ୍ତ ପାଣି, ମଦ ପିଇ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । କିନ୍ତୁ ମନ୍ତ୍ରୀ କେବଳ ଦୂଷିତ ପାଣି କଥା କହୁଛନ୍ତି, ଯାହା ଦୁର୍ଭାଗ୍ୟଜନକ ବୋଲି ବିଧାନସଭାରେ କହିବା ସହ ଉଦବେଗ୍ ପ୍ରକାଶ କରିଛନ୍ତି ନରସିଂହ ।

ତେବେ ରାୟଗଡା ଜିଲ୍ଲାର କାଶୀପୁର ଅଞ୍ଚଳରେ ବ୍ୟାପିଥିବା ଝାଡାବାନ୍ତି ହଇଜାର ରୂପ ନେଇଛି । ଦୂଷିତ ପାଣିରୁ ହଇଜା ବ୍ୟାପିଛି । ୧୪ଟି ରୋଲ ସ୍ୱାବ୍ ଏବଂ ବିଭିନ୍ନ ସ୍ଥାନରୁ ପ୍ରାୟ ୭ରୁ ୮ଟି ଜଳ ଉତ୍ସରୁ ନମୁନା ନିଆଯାଇଥିଲା । ୩ଟି ଜଳ ନମୁନା ଏବଂ ୭ଟି ରୋଲ ସ୍ୱାବ ନମୁନାରୁ ହଇଜା ବ୍ୟାକ୍ଟେରିଆ ମିଳିଛି । ଏଭଳି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ବର୍ତ୍ତମାନ ସୁଦ୍ଧା ୯୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥିତି ନିୟନ୍ତ୍ରଣ ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ ଘରେ ଘରେ ବୁଲୁଛନ୍ତି । ମେଡିକାଲ ଟିମ୍ ମଧ୍ୟ ମୁତୟନ କରାଯାଇଛି । ଉତ୍କଳ ଆଲୁମିନା ହସ୍ପିଟାଲରେ ୫୦ଟି ବେଡ୍‌କୁ ନେଇ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏପଟେ ଗତ ୫ ଦିନ ଧରି ଜାରି ରହିଥିବା ଅନୁଧ୍ୟାନ ପରେ ଏବଂ ନମୂନା ପରୀକ୍ଷଣ କରି RMRC ରିପୋର୍ଟ ଦେଇଛି । ଏହାକୁ ଭିବ୍ରିଓ କୋଲେରା ବୋଲି ରିପୋର୍ଟରେ ଦର୍ଶାଇଛି RMRC । ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଥିଲା ରାୟଗଡ଼ା ଜିଲ୍ଲା ପ୍ରଶାସନ । ଝାଡ଼ାବାନ୍ତିକୁ ଭିବ୍ରିଓ କଲେରା ବୋଲି ସ୍ପଷ୍ଟ କରିଥିଲେ ରାୟଗଡ଼ା CDMO ଲାଲମୋହନ ରାଉତରାୟ । RMRC ଲାବୋରେଟାରୀକୁ ଆକ୍ରାନ୍ତଙ୍କ ସାମ୍ପଲ ପଠାଯାଇଥିଲା । ପରେ ଏହା ଜଣାପଡ଼ିଥିଲା ।

ତେବେ ଭିବ୍ରିଓ କଲେରାକୁ ମାରାତ୍ମକ ବୋଲି କହିଥିଲେ CDMO । ୨୦୦୭ରେ ଏହି ରୋଗ କାଶୀପୁରରେ ପ୍ରଥମେ ଚିହ୍ନଟ ହୋଇଥିଲା । ଦୂଷିତ ପାଣି ବ୍ୟବହାର ଦ୍ୱାରା ଏହି ରୋଗ ବ୍ୟାପିଥାଏ ବୋଲି ସେ କହିଛନ୍ତି । ଏଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ ବୋଲି ଗତକାଲି କହିଛନ୍ତି ଜିଲ୍ଲାପାଳ । ଏନେଇ ହେଲ୍ପ ଲାଇନ୍ ନମ୍ବର ଓ ମୋବାଇଲ ନମ୍ବର ଜାରି କରାଯିବା ସହ ୨ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଥିବା କୁହାଯାଉଛି ।