Advertisment

ନେତା ବାଛିଲା ଧାମନଗର, ଇଭିଏମ୍‌ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ମତଦାନ କେନ୍ଦ୍ରରେ ଦିନ ତମାମ ଦେଖିବାକୁ ମିଳିଥିଲା ଭୋଟରଙ୍କ ଭିଡ଼।

ଅଦ୍ୟତନ ହୋଇଛି
undefined

Dhamnagar Bypoll

Advertisment

ପୋଲିସ-ପବ୍ଲିକ ଠେଲାପେଲା, ଭୋଟର-ପୋଲିଂ ଅଧିକାରୀ ହାତାହାତି। ଆଉ ଦଳ-ଦଳ ଏବଂ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ପିଟାପିଟି।  ବିଶୃଙ୍ଖଳା, ଏକାଧିକ ଗଣ୍ଡଗୋଳ ଓ ବହୁ ଉତ୍ତେଜନା ଭିତରେ ସରିଛି ଧାମନଗର ଉପନିର୍ବାଚନ। ବହୁ ଚର୍ଚ୍ଚିତ ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ। ତେବେ ଶାନ୍ତିପୂର୍ଣ୍ଣ ମତଦାନର କିଛି ସମୟ ପରେ ବିଭିନ୍ନ ସ୍ଥାନରୁ ଆସିଥିଲା ଗଣ୍ଡଗୋଳ ଓ ଉତ୍ତେଜନାର ଚିତ୍ର।

Advertisment

ଧାମନଗର ବ୍ଲକ୍ କଟସାହି ପଞ୍ଚାୟତର ୨୨ ନମ୍ବର ବୁଥ। ଏଠି ବୁଥ୍ ରିଗିଂ ଅଭିଯୋଗ ପରେ ପ୍ରବଳ ଉତ୍ତେଜନା ଦେଖାଇଦେଇଥିଲା। ଗେଟ୍ ବାହାରେ ପୋଲିସ ଓ ଜନତା ଠେଲାପେଲା ହୋଇଥିବା ବେଳେ ଭିତରେ ମତଦାତା ଓ ପୋଲିଂ ଅଧିକାରୀ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ସେହିଭଳି ଦଳାଙ୍ଗ ପଞ୍ଚାୟତ ୧୬୯ ଓ ୧୭୦ ନମ୍ବର ବୁଥ୍‌ରେ ଦେଖିବାକୁ ମିଳିଥିଲା ଚରମ ବିଶୃଙ୍ଖଳା। ଏଠି କଥା କଟାକଟିକୁ ନେଇ ବିଜେଡି ଓ ବିଜେପି ମଧ୍ୟ ପ୍ରବଳ ମାରପିଟ ହୋଇଥିଲା।

ସେପଟେ ଗୁଆମାଳ ପଞ୍ଚାୟତର ୩୯ ନମ୍ବର ବୁଥ୍‌ରେ ଜଣେ ଯୁବକଙ୍କୁ ଜୋର ଜବରଦସ୍ତି ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ଆସିଛି। ଯୁବକ ଜଣକ ନମାନିବାରୁ ତାଙ୍କ ଉପରେ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ। ସେହିଭଳି କୋଠାର ପଞ୍ଚାୟତ ୧୯୧ ନମ୍ବର ବୁଥ ବାହାରେ ବି ବିଜେପି ଓ ବିଜେଡି ମଧ୍ୟରେ ଗଣ୍ଡଗୋଳ ପାଇଁ ଜଣଙ୍କର ମୁଣ୍ଡ ଫାଟିଛି। ତେଣେ କାଁ ପଡ଼ାର ୭୫ ଓ ୭୭ ନମ୍ବର ବୁଥକୁ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ତାଙ୍କ ଗାଡ଼ିରେ ପ୍ରଚାର ପୋଷ୍ଟର ଲଗାଇ ଆସିଥିବାରୁ ଏହାକୁ ନେଇ ବି ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଭୋଟିଂ ମତଦାନକୁ ନେଇ ଧାମନଗରବାସୀଙ୍କ ମଧ୍ୟରେ ଆରମ୍ଭରୁ ଦେଖିବାକୁ ମିଳିଥିଲା ଉତ୍ସାହ। ମତାଧିକାର ସାବ୍ୟସ୍ତ ପାଇଁ କିଏ ହ୍ବିଲ ଚେୟାରର ଆସିଥିଲା ତ ଆଉ କିଏ ଅନ୍ୟର ସାହାରା ନେଇ ଆସିଥିଲା ମତଦାନ କେନ୍ଦ୍ର। ମହିଳା ଭୋଟରଙ୍କ ପାଇଁ କିଛି ସ୍ଥାନରେ ପିଙ୍କ୍ ବୁଥର ବି ଆୟୋଜନ ହୋଇଥିଲା। କିଛି କିଛି ମତଦାନ କେନ୍ଦ୍ରରେ ଦିନ ତମାମ ଦେଖିବାକୁ ମିଳିଥିଲା ଭୋଟରଙ୍କ ଭିଡ଼।

ଆଉ କିଛି ସ୍ଥାନରେ ଇଭିଏମରେ ତ୍ରୁଟି ପାଇଁ ମତଦାନ ବିଳମ୍ବ ହେବାରୁ ଭୋଟରଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ସେପଟେ ମତଦାନ ବ୍ୟବସ୍ଥାର ସମୀକ୍ଷା ଲାଗି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ବୁଲୁଥିଲେ ନିଜେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ। ସେପଟେ ସାଧାରଣ ଲୋକଙ୍କ ଭଳି ନିର୍ବାଚନ ଲଢୁଥିବା ବିଜେଡିର ଅବନ୍ତୀ ଦାସ, ସ୍ୱାଧିନ ପ୍ରାର୍ଥୀ ରାଜେନ୍ଦ୍ର ଦାସ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ନିଜ ନିଜ ଅଞ୍ଚଳରେ ଭୋଟ ଦେଇଥିଲେ। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଶୀଙ୍କ ଭୋଟର ତାଲିକା ଭଦ୍ରକରେ ଥିବାରୁ ସେ ଭୋଟ୍ ନଦେଇ କେବଳ ବୁଥ୍ ବୁଲି ମତଦାନର ତଦାରଖ କରିବା ବେଳେ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଝାଡ଼ିଥିଲେ।

Advertisment

ମତଦାନ ବେଳେ ଆଜି କାଁ ପଡ଼ା ମତଦାନ କେନ୍ଦ୍ରକୁ ଆସି ମତାଧିକାର ସାବ୍ୟସ୍ତ କରିଥିଲେ ୯୦ ବର୍ଷୀୟ ପୂର୍ବତନ ବିଧାୟକ ଗଙ୍ଗାଧର ଦାସ। ଏହି ଅବସରରେ ସେବେକାର ଆଉ ଏବେକାର ଭୋଟିଂ ବ୍ୟବସ୍ଥା ଉପରେ ରଖିଥିଲେ ମତ। ଧାମନଗର ଉପନିର୍ବାଚନ ଲାଗି ୨ ଲକ୍ଷ ୩୮ ହଜାର ଭୋଟରଙ୍କ ପାଇଁ ମୋଟ ୨୫୨ ବୁଥ ହୋଇଥିବା ବେଳେ ଏହା ଭିତରୁ ୧୨୬ଟି ଉତ୍ତେଜନାପ୍ରବଣ ଚିହ୍ନଟ ହୋଇଥିବାରୁ ଏସବୁ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ