ଦିଲ୍ଲୀରେ ଭୁଶୁଡିଲାଣି ଆପ୍ ଗଡ଼ । ଶାସକ ଦଳର ବଡ଼ ବଡ଼ ହେଭିୱେଟଙ୍କୁ ସଫା କରି ୨୭ ବର୍ଷ ପରେ ସତ୍ତାକୁ ଫେରିବାକୁ ଆଗେଇ ଚାଲିଛି ବିଜେପି । ବର୍ତ୍ତମାନ ଟ୍ରେଣ୍ଡକୁ ଦେଖିଲେ ଏକଜିଟ୍ ପୋଲ ଯେ ଏକଜାଟ୍ ପୋଲ ହେବ, ତାହା ଧୀରେ ଧୀରେ ସ୍ପଷ୍ଟ ହେଲାଣି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ସତ୍ତାରୂଢ ଆମ୍ ଆଦମୀ ପାର୍ଟିର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ସାମାଜିକ କର୍ମୀ ଆନ୍ନା ହଜାରେ । କେଜ୍ରିୱାଲ ତାଙ୍କ କଥା ନ ଶୁଣିବାରୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଥିବା ସେ ବୟାନ ଦେଇଛନ୍ତି ।
ନ୍ୟୁଜ ଏଜେନ୍ସି ପିଟିଆଇକୁ ଆନ୍ନା ହଜାରେ କହିଛନ୍ତି ଯେ, ମୁଁ ସବୁବେଳେ କହିଆସିଛି ପ୍ରାର୍ଥୀଙ୍କ ବ୍ୟବହାର, ବିଚାର ଶୁଦ୍ଧ ହେବା ଉଚିତ୍ । ଜୀବନ ନିଷ୍କଳଙ୍କ ହେବା ଓ ତ୍ୟାଗ ରହିବା ଉଚିତ୍ । ପ୍ରାର୍ଥୀଙ୍କର ଏହିସବୁ ଭଲ ଗୁଣ ଥିଲେ ମତଦାତାଙ୍କ ବିଶ୍ୱାସ ବଢେ । ମୁଁ ଏକଥା ତାଙ୍କୁ ( ଅରବିନ୍ଦ କେଜ୍ରିୱାଲ) କହିଥିଲି କିନ୍ତୁ ସେ ଏହା ବୁଝିପାରିଲେ ନାହିଁ । ସେମାନେ କେବଳ ମଦକୁ ଫୋକସ କଲେ । ସେମାନେ ସତ୍ତାବଳରେ ଖୁସି ଥିଲେ ।
ଅଧିକ ପଢନ୍ତୁ: ‘ଆମ ପାଇଁ ଟ୍ରିପଲ ; ଦିଲ୍ଲୀବାସୀଙ୍କ ପାଇଁ ଡବଲ ସରକାର’
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୧ ଦୁର୍ନୀତି ବିରୋଧୀ ଆନ୍ଦୋଳନର ଚେହେରା ଥିଲେ ଆନ୍ନା ହଜାରେ, ଯାହା କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟିକୁ ଜନ୍ମ ଦେଇଥିଲା । ସେତେବେଳେ ଆନ୍ନା ହଜାରେ ଥିଲେ ଦେଶରେ ଦୁର୍ନୀତି ବିରୋଧୀ ଚେହେରା । କ୍ଷମତାକୁ ଆସିବା ପରେ କେଜରିୱାଲ୍ ଆନ୍ନା ହଜାରେଙ୍କୁ ଦୂରେଇ ଦେଇଥିଲେ ।
ମଦ ଦୁର୍ନୀତି ନେଇ ଆପ୍ ତାଙ୍କର ଚେତାବନୀ ଶୁଣିଲାନି । ବିଶେଷକରି ନୂଆ ଅବକାରୀ ନୀତିକୁ ନେଇ ତାଙ୍କ କଥା ପ୍ରତି ଧ୍ୟାନ ଦେଲା ନାହିଁ ବୋଲି ଆନ୍ନା ହଜାରେ ଆଜି ବୟାନ ଦେଇଛନ୍ତି ।
ଏବେ ସୁଦ୍ଧା ଦିଲ୍ଲୀ ବିଧାନସଭାର ସମୁଦାୟ ୭୦ ଆସନରୁ ବିଜେପି ୪୮ରୁ ଅଧିକ ଆସନରେ ଆଗୁଆ ରହିଛି । ଆପ୍ ମାତ୍ର ୨୨ଟି ଆସନରେ ଲିଡ୍ କରୁଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସହ ମନୀଷ ସିସୋଦିଆ ପରାସ୍ତ ହୋଇଛନ୍ତି ।
ଅଧିକ ପଢନ୍ତୁ: ଦିଲ୍ଲୀ ନିର୍ବାଚନ: ବିଜେପି ମାଡ଼ରେ କଂଗ୍ରେସ ଚିତ୍ପଟାଙ୍ଗ