ନିଯୁକ୍ତିର ନାଁ ଗନ୍ଧ ନାହିଁ, ଓଡ଼ିଶାରେ କିନ୍ତୁ ଧାଏଁ ଧାଏଁ ଖସୁଛି ବେକାରୀ ହାର

CMIE ସର୍ଭେ ରିପୋର୍ଟରେ ଆସିଛି ଗୋଲାପି ତଥ୍ୟ । ବିରୋଧୀ କହିଲେ ପ୍ରାୟୋଜିତ ରିପୋର୍ଟ, ଜବାବ ରଖିଲା ବିଜେଡି ।

Unemployment

ଓଡ଼ିଶାରେ ଅସଲରେ ବେକାରୀ ସଂଖ୍ୟା କେତେ ? ସତରେ କଣ ରାଜ୍ୟରେ ଆଖି ପିଛୁଳାକେ କମିଗଲା ବେକାରୀ ହାର ? ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି, CMIEର ସର୍ଭେ ରିପୋର୍ଟରେ ଗୋଟେ ତଥ୍ୟ ତ ରାଜ୍ୟସଭାରେ କେନ୍ଦ୍ର ଶ୍ରମ ବିଭାଗର ଆଉ ଗୋଟେ ତଥ୍ୟକୁ ନେଇ ଏବେ ଦ୍ୱନ୍ଦ୍ୱ । ସିଏମଆଇଇ ସର୍ଭେ କହୁଛି ରାଜ୍ୟରେ କମିଛି ବେକାରୀ ହାର । ଡିସେମ୍ବର ତଥ୍ୟ ଅନୁସାରେ, ଏକ ପ୍ରତିଶତ ତଳକୁ ଖସି ଏବେ ଦଶମିକ ୯ରେ ପହଞ୍ଚିଛି, ହେଲେ ମାତ୍ର ମାସକ ତଳେ ନଭେମ୍ବରରେ ଓଡିଶା ରେ ବେକାରୀ ହାର ୧.୧ ପ୍ରତିଶତ ଥିଲା । ଏଥିରେ ହଠାତ୍ ଦଶମିକ ୨ ପ୍ରତିଶତ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ତେଣେ ଦେଶରେ ବେକାରୀ ହାର କିନ୍ତୁ ବୃଦ୍ଧି ପାଇ ୮.୩ ପ୍ରତିଶତରେ ପହଞ୍ଚିଲାଣି । ଡିସେମ୍ବର ୮ରେ ରାଜ୍ୟସଭାରେ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ବେକାରୀ ସଂପର୍କିତ ପ୍ରଶ୍ନର ଉତ୍ତରରେ ମିଳିଥିବା ତଥ୍ୟ ଦେଖିଲେ ଦେଶରେ ବେକାରୀ ସ୍ଥିତି ୪.୨ ପ୍ରତିଶତ ଥିବା ବେଳେ ଓଡିଶାରେ ଏହା ୫.୩ ପ୍ରତିଶତ । ଅର୍ଥାତ୍ ଜାତୀୟ ହାରଠୁ ବି ରାଜ୍ୟରେ ଅଧିକ । ଖାଲି କେନ୍ଦ୍ର ସରକାର ନୁହଁନ୍ତି ନିଜେ ରାଜ୍ୟ ସରକାର ମଧ୍ୟ ବିଧାନସଭାରେ ମାନିଛନ୍ତି, ରାଜ୍ୟରେ ୮ ଲକ୍ଷ ୮୦ ହଜାର ୧୭୫ ଜଣ ଯୁବକ ଯୁବତୀ ଏମ୍ପଲଏମେଣ୍ଟ ଏକ୍ସଚେଞ୍ଜରେ ନାଁ ପଞ୍ଜୀକରଣ କରି ଚାକିରି ଅପେକ୍ଷାରେ ଅଛନ୍ତି । ଅର୍ଥନୀତି ବିଶାରଦଙ୍କ ମତରେ ବେକାରୀଙ୍କୁ ନେଇ ମାସିକିଆ ସର୍ଭେ ରିପୋର୍ଟ ଆକଳନ ବି ଅସମ୍ଭବ । ହେଲେ ନିଯୁକ୍ତିରେ ଢେର ପଛୁଆ ଓଡ଼ିଶାରେ ହଠାତ୍ କେମିତି କମିଗଲା ବେକାରୀ ହାର, ତାକୁ ନେଇ ଏବବେ ବଡ଼ ପ୍ରଶ୍ନ ।

ତେଣେ ରାଜ୍ୟରେ ବେକାରୀ ହ୍ରାସ ସର୍ଭେ ରିପୋର୍ଟ ଆସିବା ପରେ ତାକୁ ଧରି ପ୍ରଚାରରେ ମାତିଛନ୍ତି ନବୀନ ସରକାର । ସୋସିଆଲ ମିଡିଆ ରେ ଜୋରସୋରରେ ୟାକୁ ଧରି ପ୍ରଚାର କରି ବାଃ ବାଃ ବି ଗୋଟାଉଛନ୍ତି । ହେଲେ ବିରୋଧୀ କିନ୍ତୁ ୟାକୁ ମାନିବାକୁ ନାରାଜ । ବିଜେପି କହିଛି ରାଜ୍ୟରେ ବେକାରୀ ସ୍ଥିତି ଉତ୍କଟ, ଆଉ ରାଜ୍ୟ ସରକାର ଯେଉଁ ଗୋଲାପି ଚିତ୍ର ଦେଖାଉଛନ୍ତି ତାହା ସମ୍ପୂର୍ଣ୍ଣ ପ୍ରାୟୋଜିତ । ତେଣେ କଂଗ୍ରେସର ଅଭିଯୋଗ-ଭୁଲ୍ ତଥ୍ୟ ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଇଏ ଗୋଟେ ନୂଆ ପ୍ରୟାସ । ଜବାବରେ ବିଜେଡି କହିଛି-ରାଜ୍ୟରେ ପୁଞ୍ଜିନିବେଶ ବଢିଥିବାରୁ ବେକାରୀ ସଂଖ୍ୟା କମିଛି ।

ଅଧିକ ପଢ଼ନ୍ତୁ: ରାଜ୍ୟରେ କେତେ ହ୍ରାସ ପାଇଛି ବେକାରୀ ? ସର୍ଭେ ରିପୋର୍ଟକୁ କଟାକ୍ଷ କଲେ ବିରୋଧୀ

ନିଯୁକ୍ତିକୁ ଚାହିଁ ବସିଛନ୍ତି ଲକ୍ଷ ଲକ୍ଷ ଆଶାୟୀ, ହେଲେ ବେକାରୀ ସଂଖ୍ୟା କମୁଛି ବୋଲି ରାଜ୍ୟ ସରକାରଙ୍କ ଥିଓରିକୁ ନେଇ ଚାକିରି ଆଶାୟୀଙ୍କ ମଧ୍ୟରେ ବି ବେଶ୍ ଚର୍ଚ୍ଚା ।