• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭିଡିଓ କନଫରେନସିଂ ଜରିଆରେ ଭୁବନେଶ୍ୱର-ରାଉରକେଲା ବିମାନସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ପରେ ଭୁବନେଶ୍ୱର ଏୟାର ପୋର୍ଟରେ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ବିମାନ ଉଡ଼ାଣ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ଉପସ୍ଥିତି ଥିଲେ ଭୁବନେନଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ।

ହେଲେ ବିମାନ ଉଡ଼ୁ ଉଡ଼ୁ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ରାଉରକେଲାକୁ ବିମାନ ଉଡ଼ିବା ପଛରେ କାହାର ଅଛି ଅଧିକ ଅବଦାନ? କେନ୍ଦ୍ର ନା ରାଜ୍ୟ ସରକାରଙ୍କର? ବିମାନ ସେବାର ଶ୍ରେୟ ନେବାକୁ ଆଜି ସବୁ ଖବରକାଗଜରେ ଫୁଲ୍ ପେଜ୍ ବିଜ୍ଞାପନ ଦେଇଥିଲେ ରାଜ୍ୟ ସରକାର । ବାଣିଜ୍ୟ ଓ ପରିବହନ ବିଭାଗ ଦେଇଥିବା ଏହି ବିଜ୍ଞାପନରେ ରହିଥିଲା କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ । ସେହିପରି ଭୁବନେଶ୍ୱର ବିମାନବନ୍ଦରରେ ଲାଗିଥିବା ହୋର୍ଡିଂରେ ବି ଥିଲା କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ । ଏସବୁ ଦେଖିବା ପରେ ଉଦଘାଟନୀ ଉତ୍ସବର ଭିଡିଓ କନଫରେନ୍ସିଂ ଚାଲିଥିବା ବେଳେ ମଞ୍ଚ ଉପରେ ହିଁ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର ।

କହିଥିଲେ, ଉଡାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍କିମ୍ ରାଉରକେଲାକୁ ବିମାନ ଉଡ଼ାଣ ଲାଗି କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ତେଣୁ ଉଭୟ ପ୍ରଧାନମନ୍ତ୍ରୀ ଓ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବାର ଥିଲା । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ରାଉରକୋଲା ସହରରେ ବି ଦେଖିବାକୁ ମିଳିଥିଲା ଶ୍ରେୟ ରାଜନୀତିର ଚିତ୍ର । ବିମାନସେବା ଆରମ୍ଭ ପଛର ବାହାବା ନେବାକୁ ରାଉରକେଲା ବିମାନବନ୍ଦରରେ ନିଜ ଉପସ୍ଥିତି ଜାହିର କରିଥିଲେ ବିଜେପିର ତିନି ବିଧାୟକ ଶଙ୍କର ଓରାମ, କୁସୁମ ଟେଟେ ଓ ଭବାନୀ ଭୋଇ ଏବଂ ବିଜେଡିର ଦୁଇ ବିଧାୟକ ସାରଦା ନାଏକ ଓ ସୁବତ୍ର ତରାଇ ।

ବିମାନ ବନ୍ଦର ବାହାରେ ଉଭୟ ବିଜେପି ଓ ବିଜେଡିର କର୍ମୀମାନେ ନିଜ ନିଜ ଦଳର ନାରାବାଜି ଜରିଆରେ ନିଜର ପତିଆରା ଦେଖାଇବାକୁ ଏକ ପ୍ରକାର ପ୍ରତିଯୋଗିତା କରିଥିଲେ । ସେପଟେ ଧର୍ମେନ୍ଦ୍ର ଓ ଅପରାଜିତାଙ୍କ ସିଧାସଳଖ ଆକ୍ରମଣ ପରେ ନିଜ ଟୁଇଟର୍ ହ୍ୟାଣ୍ଡେଲ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ବିରୋଧୀଙ୍କ କାମ ଅଭିଯୋଗ କରିବା ହେଲେ ଏନେଇ ମୁହଁ ଖୋଲିବାକୁ ଉଚିତ ମଣି ନ ଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ।

ଭୁବନେଶ୍ୱର-ରାଉରକେଲା ବିମାନସେବା ଆସନ୍ତା ୧୨ ତାରିଖରୁ ନିୟମିତ ଚାଲିବ ଆଲିୟାନ୍ସ ଏୟାର । ଚଲାଇବାକୁ ଥିବା ଏହି ବିମାନରେ ଏକକାଳୀନ ୭୨ ଯାତ୍ରୀ ଯାତ୍ରା କରିପାରିବେ । ବିମାନ ପ୍ରତିଦିନ ଅପରାହ୍ଣ ୨ଟା ୫୫ରେ ଭୁବନେଶ୍ୱର ଛାଡ଼ି ୩ଟା ୫୦ରେ ରାଉରକେଲାରେ ପହଞ୍ଚିବ । ସେହିପରି ୪ଟା ୧୫ରେ ରାଉରକେଲା ଛାଡ଼ି ୫ଟା ୧୦ରେ ଭୁବନେଶ୍ୱରରେ ପହଞ୍ଚିବ । ପ୍ରାରମ୍ଭିକ ଭାବେ ଭୁବନେଶ୍ୱରରୁ ରାଉରକେଲା ବିମାନ ଭଡ଼ା ୨ ହଜାର ୮୦୩ ଟଙ୍କା ଓ ରାଉରକେଲାରୁ ଭୁବନେଶ୍ୱର ଭଡ଼ା ୨ ହଜାର ୭୨୧ ଟଙ୍କା ରହିଛି ।