କୋଭିଡ୍‌ ନିୟମ ଭାଙ୍ଗି ପଟୁଆରରେ ଆସିଲେ ବିଜେଡି ପ୍ରାର୍ଥୀ

ଶତାଧିକ ଦଳୀୟ କର୍ମୀଙ୍କ ଗହଣରେ ବିଜେଡିର ଆଗଧାଡ଼ିର ନେତାମାନେ ଆସି ନିଜର ଦବଦବା ପ୍ରଦର୍ଶନ କରିଥିଲେ ।

BJD Nomination

କେନ୍ଦୁଝରରେ ଉଡ଼ିଲା କୋଭିଡ ଗାଇଡ୍‌ଲାଇନ୍‌ର ଧଜିଆ । ବିଜେଡି ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ମୋହନ ମାଝୀ । ଆଜି ପଂଚାୟତ ର୍ନିବାଚନ ନମାଙ୍କନର ଶେଷ ଦିବସରେ ବିଜୁ ଜନତା ଦଳର ଏକାଧିକ ଜିଲାପରିଷଦ ପାର୍ଥି ନାମଙ୍କନ ପତ୍ର ଦାଖଲ କରିବାକୁ ଏକ ବିରାଟ ପଟୁଆରରେ କେନ୍ଦୁଝର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଶତାଧିକ ଦଳୀୟ କର୍ମୀଙ୍କ ଗହଣରେ ବିଜେଡିର ଆଗଧାଡ଼ିର ନେତାମାନେ ଆସି ନିଜର ଦବଦବା ପ୍ରଦର୍ଶନ କରିଥିଲେ ।

ଏହି ସମୟରେ ଖୋଦ ଟାଉନ ଥାନା ଅଧିକାରୀ ଉପସ୍ଥିତ ମଧ୍ୟ ଥିଲେ । ହେଲେ ସେ ଦାରୁଭୂତ ମୁରାରୀ ସାଜିଥିଲେ । ନା କିଛି ଦେଖୁଥିଲେ ନା କିଛି ଶୁଣୁଥିଲେ ନା କିଛି କହୁଥିଲେ । ପୋଲିସ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଏହାକୁ ବିଜେପି ବିଧାୟକ ତଥା ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କଡା ଭାଷାରେ ନିନ୍ଦା କରିଛନ୍ତି । ରାଲି ପଟୁଆର କରିବାକୁ ସମସ୍ତେ ସମର୍ଥ । କିନ୍ତୁ ଏସଓପି ଭଙ୍ଗ କରି ଏପରି ପଟୁଆର କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୋହନ ମାଝୀ ।

ତେବେ ଏହା ପଟୁଆର ନୁହଁ ବରଂ ସମର୍ଥକ ମାନେ ଆପେ ଆପେ ଆସିଛନ୍ତି ବୋଲି ବିଜେଡିର ୬ ନମ୍ବର ଜୋନର ପ୍ରାର୍ଥୀ ଆଶିଷ ଚକ୍ରବର୍ତ୍ତୀ କହିଛନ୍ତି । ଏତେ ବଡ ରାଲିକୁ ପୋଲିସ କିପରି ଅନୁମତି ଦେଲା ସେ ନେଇ ଟାଉନ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିଲେ ।

ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ଶେଷ ହୋଇଛି । ବାକି ଥିବା ପ୍ରାର୍ଥୀ ନିଜ ନିଜ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କ ନିକଟରେ ନୋମିନେସନ୍ ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ଆସନ୍ତାକାଲି ମନୋନୟନ ପତ୍ର ଯାଞ୍ଚ ହେବ । ୨୫ ପର୍ଯ୍ୟନ୍ତ ପ୍ରାର୍ଥୀ ଚାହିଁଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ସେହିଦିନ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ରେ ଭୋଟ୍ ହେବ ।