• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ନେତାଙ୍କ ‘ବିବେକ’ ବା ‘ଅନ୍ତରଆତ୍ମା’ର ଧ୍ୱନି ରାଜନୀତିରେ ଏକ ନିଆରା ଭୂମିକା ନିର୍ବାହ କରିଆସିଛି । ରାଜ୍ୟସଭା ନିର୍ବାଚନ ହେଉ ବା ରାଷ୍ଟ୍ରପତି ନିର୍ବାଚନ କିମ୍ବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ପଦ ‘ପ୍ରତ୍ୟାଖ୍ୟାନ’ ପ୍ରସଙ୍ଗରେ; ‘ବିବେକ’ ବା ‘ଅନ୍ତରଆତ୍ମା’ ସ୍ୱର ସବୁବେଳେ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛି । ବର୍ତ୍ତମାନ ୱକଫ ସଂଶୋଧତ ବିଲ ପ୍ରସଙ୍ଗରେ ବିଜେଡି ଦେଇଥିବା ‘ବିବେକ’ର ବାର୍ତ୍ତା ଏହି ଚର୍ଚ୍ଚାକୁ ପୁନରଜୀବୀତ କରିଛି । ଏକଦା ୧୯୬୯ ରାଷ୍ଟ୍ରପତି ନିର୍ବାଚନରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଇଥିବା ଅନ୍ତରଆତ୍ମାର ସ୍ୱର ଆଜି ବି ରାଜନୈତିକ ପୃଷ୍ଠଭୂମିରେ ଗୁଂଜରିତ ହେଉଛି । ତେବେ ନେତାଙ୍କ ‘ବିବେକ’ର ନିଷ୍ପତ୍ତି କେତେବେଳେ ସାଧାରଣରେ ପ୍ରଶଂସା ସାଉଁଟିଛି ତ ଆଉ କେଉଁଠି ରାଜନୈତିକ ସ୍ୱାର୍ଥ ସାଧନର ଧାରଣା ସୃଷ୍ଟି କରିଛି ।

ରାଜ୍ୟସଭାରେ ୱାକଫ ସଂଶୋଧତ ବିଲକୁ ବିବେକ ଅନୁସାରେ ଭୋଟ ଦେବା ସମ୍ପର୍କରେ ସାଂସଦ ଡ.ସସ୍ମିତ ପାତ୍ର ଟ୍ୱିଟ କଲା ପରେ ବିଜେଡିରେ ବିଦ୍ରୋହ ଦେଖାଦେଇଛି । ଘଟଣାକୁ ପ୍ରାୟ ୧୦ ଦିନ ବିତିଗଲାଣି । ଏହାରି ଭିତରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଲ ଗୃହିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇସାରିଲାଣି । ହେଲେ ବିଜେଡିରେ ବିଦ୍ରୋହର ଝଡ ଲଘୁଚାପର ଆକାର ଧାରଣ କରିବାରେ ଲାଗିଛି । ସ୍ଥିତି ଏଭଳି ହେଲାଣି ଯେ ଦଳ ଭାଙ୍ଗିବାର ପ୍ରକ୍ରିୟା ଆଡକୁ ଗତି କରୁଥିବା ଦେଖାଦେଇଛି ।

ବିଜେଡି ଶାସନ କ୍ଷମତାରେ ଥିବାବେଳେ କେନ୍ଦ୍ରର ବିଭିନ୍ନ ବିଲକୁ ସମର୍ଥନ ଦେଇ ଆସିଛି । ତେବେ ୨୦୨୪ ନିର୍ବାଚନରେ ଦଳ କ୍ଷମତାଚ୍ୟୁତ ହେବା ପରେ ବିଜେଡି ମୁଖ୍ୟ ବିରୋଧୀଦଳ ଭୂମିକା ନିର୍ବାହ କରୁଛି । ଏହି ଦୃଷ୍ଟିରୁ ୱକଫ ସଂଶୋଧତ ବିଲକୁ ବିଜେଡି ଦୃଢ ବିରୋଧ କରିବ ବୋଲି ଏକାଧିକ ଥର ଦଳ ନିଷ୍ପତ୍ତି ନେଇଥିଲା । ଏଭଳି କି ଗୃହରେ ବିଲ୍ ଆଗତ ହେବା ବେଳେ ମଧ୍ୟ ଦଳର ସାଂସଦମାନେ ବିଲ୍ ବିରୋଧରେ ମତ ରଖିଥିଲେ । 

Also Read

ତେବେ ଅଚାନକ ଅନ୍ତିମ ମୁହୂର୍ତ୍ତରେ ଦଳ ମତ ବଦଳାଇଲା । ଦଳ ଏସମ୍ପର୍କରେ ହ୍ୱିପ ଜାରି କରିବ ନାହିଁ, ନିଜ ନିଜ ବିବେକ ଅନୁସାରେ ସାଂସଦମାନେ ବିରୋଧ କିମ୍ବା ସମର୍ଥନରେ ଭୋଟ ଦେବେ ବୋଲି ଡ. ପାତ୍ରଙ୍କର ଟ୍ୱିଟ ପ୍ରକାଶ ପାଇଲା । ଆଉ ଏହାକୁ କେନ୍ଦ୍ରକରି ନେତାମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ, ଅସନ୍ତୋଷ ଓ ବିଦ୍ରୋହ ଦଳ ବିଭାଜନ ସ୍ଥିତି ସୃଷ୍ଟି ହେଲା । ତେବେ ଅନ୍ତିମ ସମୟରେ ଏଭଲି ନିଷ୍ପତ୍ତି ନେଲା କିଏ ଓ କାହିଁକି? ତାକୁ ନେଇ ଉଠିଥିବା ଝଡ ଥମିବାର ନା ଧରୁନି ।

ଏହି ପ୍ରସଙ୍ଗରେ ବିଜେଡି ସାଂସଦ ମୁଜିବୁଲ୍ଲା ଖାନ ବା ମୁନ୍ନା ଖାନ ଏବେ ଓଡିଶା ରାଜନୀତିରେ ଚର୍ଚ୍ଚାରେ ଅଛନ୍ତି । ସେ ୱାକଫ ସଂଶୋଧତ ବିଲ ବିରୋଧରେ ଭୋଟଦେଇ କେବଳ ନିଜ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସହିତ ଠିଆ ହୋଇଛନ୍ତି ତାନୁହେଁ ବରଂ ଅନ୍ତିମ ପର୍ଯ୍ୟାୟରେ ଦଳର ମତ ପରିବର୍ତ୍ତନକୁ ନେଇ ବିଜେଡି ସୁପ୍ରିମୋଙ୍କୁ ପ୍ରଶ୍ନ କରିଛନ୍ତି ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । 

ସେହିଭଳି ୨୦୨୨ ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତା ତଥା ତତ୍କାଳୀନ ବିଧାୟକ ମହମ୍ମଦ ମୋକିମଙ୍କ ଅନ୍ତରଆତ୍ମାର ଡାକ କେବଳ ଓଡିଶା କାହିଁକି ଦେଶ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଥିଲା । ୟଶୱନ୍ତ ସିହ୍ନାଙ୍କୁ କଂଗ୍ରେସ ରାଷ୍ଟପତି ପ୍ରାର୍ଥୀ କରିଥିଲେ ମଧ୍ୟ ଦଳ ବିରୋଧରେ ମତ ରଖି ଏନ୍ଡିଏ ପ୍ରାର୍ଥୀ ତଥା ଓଡିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେଇଥିଲେ । ଦଳ ବିରୋଧରେ ଯାଇଥିବା ଦର୍ଶାଇ ତାଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । 

ଗତ ବର୍ଷ ଫେବୃଆରୀରେ ଦେଶର ୧୫ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା । ହିମାଚଳପ୍ରଦେଶରେ ୧, କର୍ଣ୍ଣାଟକରେ ୪ ଏବଂ ଉତ୍ତରପ୍ରଦେଶରେ ୧୦ଟି ଆସନ ପାଇଁ ମତଦାନ ହୋଇଥିଲା । ତେବେ ୟୁପିର ୭ ଜଣ ବିଧାୟକ ‘ଅନ୍ତରଆତ୍ମା’ର ସ୍ୱର ଶୁଣି ସମାଜବାଦୀ ପାର୍ଟିର ନିଷ୍ପତ୍ତି ବିରୋଧରେ ବିଜେପିକୁ ଭୋଟ ଦେବା ଜାତୀୟ ରାଜନୀତିରେ ସେହି ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା । କେବଳ ୟୁପିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ‘ଅନ୍ତରଆତ୍ମା’ର ଡାକ ଜାତୀୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା ।

୨୦୦୪ରେ ଯେତେବେଳେ ଦଳ ଶ୍ରୀମତୀ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସିବା ପାଇଁ ନିବେଦନ କରିଥିଲା ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ସେ ଏହାକୁ ନିଜ ଅନ୍ତରଆତ୍ମାର ସ୍ୱର ବୋଲି କହିଥିଲେ । ଶ୍ରୀମତୀ ଗାନ୍ଧୀଙ୍କ ଏହି ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ପ୍ରଧାନମନ୍ତ୍ରୀ ଆସନରେ ତାଙ୍କୁ ଦେଖିବାକୁ ଚାହୁଁଥିବା ତାଙ୍କ ପ୍ରଶଂସକଙ୍କୁ ଏକଥା ସ୍ତବ୍ଦ କରିଦେଇଥିଲା । ଏହା ପରେ ଡ. ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ରାଜନୈତିକ ପୃଷ୍ଠଭୂମିରେ ଯେତେବେଳେ ବିବେକ ବା ଅନ୍ତରଆତ୍ମାର କଥା ଆସେ ନେତାଙ୍କ ନୀତି, ନୈତିକତା ଓ ନିଷ୍ପତ୍ତି ଉପରେ ରହିଥାଏ ଲୋକଙ୍କ ନଜର ।