ବିଜେପି ନେତାମାନେ ନିର୍ବାଚନ ପୂର୍ବରୁ ଯେଉଁ ଦୁର୍ଗନ୍ଧ ଓ ଡମ୍ପିଂୟାର୍ଡ ସ୍ଥାନାନ୍ତର ପ୍ରସଙ୍ଗରେ ବିଜେଡି ସରକାରକୁ ନାକେଦମ୍ କରି ଥିଲେ; ଦଳର ପୁରୁଖା ନେତାମାନେ ମାସେ କାଳ ଧରି ସୈନିକ ସ୍କୁଲ ସାମ୍ନାରେ ସତ୍ୟାଗ୍ରହ କରି ନବୀନ ସରକାରଙ୍କ ନିଦ ହଜାଇ ଦେଇଥିଲେ, ସେମାନେ କ୍ଷମତାକୁ ଆସିବା ପରେ ଯେମିତି ମୁହଁ ଲୁଚାଇଲେଣି । ପଦକ୍ଷେପ ନେବା କଥା ତେଣିକି ଥାଉ, ବିଧାନସଭାରେ ପ୍ରଶ୍ନ ପଚାରିଲେ ବି ସିଧା ଉତ୍ତର ମିଳୁନି! ଏବେ ସେଇ ପ୍ରସଙ୍ଗକୁ କଂଗ୍ରେସ ଅସ୍ତ୍ର କରି ବିଜେପି ସରକାରକୁ ଘେରୁଛି । ବର୍ଷ ବର୍ଷ ଧରି ରାଜନୈତିକ ପଶାପାଲିରେ ଏହି ପ୍ରସଙ୍ଗ ଏପଟ ସେପଟ ହେଉଛି ସିନା ପ୍ରଦୂଷଣ ଓ ଦୁର୍ଗନ୍ଧରୁ କିନ୍ତୁ ଲୋକଙ୍କୁ ମୁକ୍ତି ମିଳୁନି ।
୨୦୧୨ର ସତ୍ୟପାଠ ଅକାମୀ!
Also Read
ରାଜଧାନୀ ଭୁବନେଶ୍ୱରର ଗାଡକଣ ମୌଜା ସୈନିକ ସ୍କୁଲ ନିକଟରେ ଆଜି ଯେଉଁ କୃତ୍ରିମ ଆକାଶ ଛୁଆଁ ଆବର୍ଜନାର ପାହାଡ ଦେଖାଯାଉଛି ପ୍ରାୟ ୨୦ ବର୍ଷ ତଳେ ଠିକ ସେତିକି ଗଭୀରର ଏକ ପୋଖରୀ ଦେଖାଯାଉଥିଲା । ସେହି ସ୍ଥାନକୁ ଖୋଳି, ପଥର କାଟି ନେଇଯିବା ଫଳରେ ବିରାଟ ଖାଲ ହେବା ଏବଂ ବର୍ଷାପାଣି ଜମା ହୋଇ ପୋଖରୀର ରୂପ ନେଇଥିଲା । ପରବର୍ତ୍ତୀ ସମୟରେ ଏଠାରେ ଆଖପାଖ ଅଂଚଳର ଆବର୍ଜନା ଏବଂ ବିଏମ୍ସିର ଅଳିଆଗାଡି ଲାଗିଲା । କାଳକ୍ରମେ ଅଳିଆ ଆବର୍ଜନାର ପରିମାଣ ବଢିବା ଦ୍ୱାରା ଆଖ ପାଖ ଅଂଚଳକୁ ଦୁର୍ଗନ୍ଧ ଅଧିକ ବଢିବାରେ ଲାଗିଲା ।
ସ୍ଥାନୀୟ ଲୋକେ ଏହା ବିରୋଧରେ ବିଏମ୍ସିରେ ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା; ଯାହାଦ୍ୱାରା ବାଧ୍ୟ ହୋଇ କୋର୍ଟଙ୍କ ଆଶ୍ରୟ ନେଇଥିଲେ । ସୈନିକ ସ୍କୁଲ ନିକଟରେ ଅଳିଆ ନ ପକାଇବାକୁ ୨୦୧୨ ସେପ୍ଟେମ୍ବରରେ ହାଇକୋର୍ଟ ଦ୍ୱିତୀୟବାର ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ସ୍ଥାନରେ ଆଉ ଆବର୍ଜନା ପକାଯାଉ ନାହିଁ ବୋଲି ବିଏମ୍ସି ସେହି ସମୟରେ ଏକ ସତ୍ୟପାଠ ଦାଖଲ କରିଥିଲା । କିନ୍ତୁ ବାସ୍ତବରେ ଏହା ବନ୍ଦ ହୋଇନଥିଲା! ଆବର୍ଜନାରେ ସେହି କୃତ୍ରିମ ପୋଖରୀ ପୋତି ହୋଇ ଏବେ ସେଠାରେ ବିଶାଳ ପାହାଡର ଆକାର ଧାରଣ କରିଛି । ଯାହା ସ୍ଥାନୀୟ ଆଖପାଖ ଅଂଚଳ ପାଇଁ ଚିନ୍ତାର କାରଣ ପାଲଟିଛି ।
ଦୈନିକ ୫ଶହ ଟନର ଆବର୍ଜନା
ରାଜଧାନୀର ବିଭିନ୍ନ ୱାର୍ଡରୁ ଦୈନିକ ପ୍ରାୟ ୮୦୦ ଟନ ବର୍ଜ୍ୟବସ୍ତୁ ବାହାରୁଥିବାବେଳେ ସେଥିରୁ ୫୦୦ ଟନ ବର୍ଜ୍ୟ ସୈନିକ ସ୍କୁଲ ଡମ୍ପିଂୟାର୍ଡ ବା ଅସ୍ଥାୟୀ ଟ୍ରାଂଜିଟ ଷ୍ଟେସନ (ଟିଟିଏସ) ଭିତରକୁ ଯାଉଛି । ଟେରେକ୍ସ ଓ ଟ୍ରୋମେଲ ମେସିନ ମାଧ୍ୟମରେ ଏଠାରେ ବର୍ଜ୍ୟ ବସ୍ତୁ ସବୁ ପୃଥକୀକରଣ ସହିତ ପ୍ରକ୍ରିୟାକରଣ କରାଯାଉଛି । ବର୍ଷା ସମୟରେ ଆବର୍ଜନା ସବୁ ଓଦା ହେଲେ ଏବଂ ଖରା ଦିନେ ପବନ ହେଲେ ଏହାର ଦୁର୍ଗନ୍ଧ ସମଗ୍ର ଅଂଚଳକୁ ବ୍ୟାପିବା କାରଣରୁ ସ୍ଥାନୀୟବାସିନ୍ଦା କବାଟ ଝରକା ବନ୍ଦ କରି ଘରେ ରୁହନ୍ତି । ଭିଏସ୍ଏସ୍ ନଗର, ଗାଡକଣ, ରଙ୍ଗମାଟିଆ, ରେଲୱେ କଲୋନୀ, ଆଦିମାତା କଲୋନୀ, କେନ୍ଦ୍ରୀୟ ବିଦ୍ୟାଳୟ ଓ ସୈନିକ ସ୍କୁଲ ଆଦି ଅଂଚଳ ପ୍ରଭାବିତ ହେବା ସହିତ ଏହି ସଲଂଗ୍ନ ରାସ୍ତା ଅତିକ୍ରମ କଲାବେଳେ ନାକ ବନ୍ଦ କରିବାକୁ ପଡୁଛି ।
ଅଳିଆ ହଟାଇବାକୁ ବିଜେପି ଦେଇଥିଲା ପ୍ରତିଶ୍ରୁତି
ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବାବେଳେ ଏ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ନବୀନ ସରକାରଙ୍କୁ ଘେରି ଆସିଥିଲେ । ତେବେ ଆନ୍ଦୋଳନକୁ ବ୍ୟାପକ ଓ ଅଧିକ ପ୍ରଭାବୀ କରିଥିଲା ବିଜେପି । ସୈନିକ ସ୍କୁଲ ଫାଟକ ସମ୍ମୁଖରେ ପ୍ରାୟ ଏକ ମାସ ଧରି ସତ୍ୟାଗ୍ରହ କରିଥିଲା ବିଜେପି । ଦଳର ପୁରୁଖା ଓ ରାଜ୍ୟର ଶୀର୍ଷ ନେତାମାନେ ପର୍ଯ୍ୟାୟକ୍ରମେ ସତ୍ୟାଗ୍ରହରେ ସାମିଲ ହୋଇ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ ଏବଂ ବିଜେପି କ୍ଷମତାକୁ ଆସିଲେ ଡମ୍ପିଂୟାର୍ଡ ହଟାଇବାକୁ ପ୍ରତିଶୃତି ଦେଇଥିଲେ । ଏପରିକି ପ୍ରତିକ୍ରିୟା ଦେଇ କହିଥିଲେ, ଆମେ କ୍ଷମତାକୁ ଆସିବାର ୭୨ ଘଣ୍ଟା ମଧ୍ୟରେ ଅଳିଆ ଏଭଳି ପୋଛିନେବୁ ଖୋଜିଲେ ଗୋଟିଏ ଗ୍ରାମ୍ ବି ମିଳିବ ନାହିଁ । ଦଳର ଅନେକ ବଡ ବଡ ନେତା ସତ୍ୟାଗ୍ରହରେ ଅନେକ ପ୍ରତିଶୃତି ଦେଇଥିଲେ । ଏବେ ୨୦୨୪ ନିର୍ବାଚନ ସରି ୫ ମାସ ବିତିଗଲାଣି । ହେଲେ ନା ଆବର୍ଜନା ହଟିଛି ନା ଲୋକଙ୍କୁ ଦୁର୍ଗନ୍ଧରୁ ମୁକ୍ତି ମିଳିଛି ।
ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିରୋଧୀ
ଗତ ସେପ୍ଟେମ୍ବର ୩ ତାରିଖରେ ଏହି ପ୍ରସଙ୍ଗରେ ବିଧାନସଭାରେ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ । ତାଙ୍କ ପ୍ରଶ୍ନ ଥିଲା କେବେ ସୁଦ୍ଧା ସମ୍ପୃକ୍ତ ସ୍ଥାନରୁ ଅଳିଆଗଦା ସ୍ଥାନାନ୍ତର ହେବ? ତେବେ ଏହାର ସିଧା ଉତ୍ତର ବଦଳରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, ୱିଣ୍ଡୋ ପଦ୍ଧତି ମାଧ୍ୟମରେ ଲାଇନ ଟ୍ରୋମେଲ ମେସିନ ଓ ଅନ୍ୟ ଯାନ୍ତ୍ରିକ ଉପକରଣରେ ଦୈନିକ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଉଛି । ନନ୍ ରିସାଇକ୍ଲେବୁଲ ବର୍ଜ୍ୟ ବସ୍ତୁକୁ ରାଇରଙ୍ଗପୁର ସିମେଣ୍ଟ କାରଖାନାକୁ ପଠାଯାଉଛି । ସରକାରକୁ ଆସିବାର ଗତ ୫ ମାସ ଭିତରେ ସରକାର ଅନେକ ନିଷ୍ପତ୍ତି ଓ ପଦକ୍ଷେପ ନେଇଛନ୍ତି । ଏଭଳି କି ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ଜଳବାୟୁ ପରିବର୍ତ୍ତନ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ସରକାର । ତେବେ ଯେଉଁ ଆବର୍ଜନା ଗଦା ପାଇଁ ମାସେକାଳ ସତ୍ୟାଗ୍ରହ କରିଥିଲେ ସେ ବାବଦରେ ବିଜେପି କିମ୍ବା ସରକାର ଯେମିତି ପୂରା ନୀରବ ଥିଲା ପରି ମନେ ହେଉଛି ।
କଂଗ୍ରେସ ହାତରେ ପ୍ରସଙ୍ଗ
ସୈନିକ ସ୍କୁଲ ନିକଟ ଡମ୍ପିଂୟାର୍ଡ ସ୍ଥାନାନ୍ତର ପ୍ରସଙ୍ଗକୁ ଏବେ କଂଗ୍ରେସ ଅସ୍ତ୍ର କରୁଛି । ପୂର୍ବରୁ ବିଧାନସଭାରେ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି ବିଜେପି ସରକାରକୁ ଏହି ପ୍ରସଙ୍ଗରେ ଘେରିଥିବାବେଳେ ଗତ ନଭେମ୍ବର ୨୦ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଯୁବ ଓ ଛାତ୍ରନେତା ଆବର୍ଜନାସ୍ଥଳୀ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛାତ୍ରନେତାମାନେ କହିଛନ୍ତି, ବିଜେପି ରାଜନୀତି କରିବା ଜାଣିଛି, ଲୋକଙ୍କ ସମସ୍ୟାର ସମାଧାନ କରିବା ନୁହଁ । ଏହାର ପ୍ରତିକାର ନହେଲେ ଆଗାମୀ ଦିନରେ ତୀବ୍ର ପ୍ରତିବାଦ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି ।
ରାଜ୍ୟସାରା ଆବର୍ଜନାର କ୍ୟାନ୍ସର
କେବଳ ରାଜଧାନୀର ଏହି ଅଳିଆ ପାହାଡ ନୁହେଁ, ପୁରୀ ବଳିଆପଣ୍ଡା ଆବର୍ଜନା ହେଉ କିମ୍ବା ବ୍ରହ୍ମପୁର, ରାଉରକେଲା ମହାନଗରରୁ ଏନ୍ଏସି ଏଭଳି କି ଗ୍ରାମାଂଚଳକୁ ବ୍ୟାପିଲାଣି ଆବର୍ଜନାର କ୍ୟାନ୍ସର । ପ୍ଲାଷ୍ଟିକ, ପଲିଥିନରେ ପୋତି ହୋଇଯାଉଛି ନଦୀ, ପୋଖରୀ ଆଉ ଦୁର୍ଗନ୍ଧରେ ଫାଟି ପଡୁଛି ରାସ୍ତାଘାଟ । ଏହାର ପରିଚାଳନା ପାଇଁ ସରକାର ପାଣିଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଲୋକଙ୍କୁ ଏଥିରୁ ମୁକ୍ତି ମିଳିବ କଣ ସମସ୍ୟା ବଢି ବଢି ଚାଲିଛି । ପରିବେଶ ପ୍ରଦୂଷଣ, ସ୍ୱାସ୍ଥ୍ୟ ସମସ୍ୟା ତଥା ଆର୍ଥିକ କ୍ଷତି ହେବାରେ ଲାଗିଛି । ଏକ୍ଷେତ୍ରରେ ରହିଥିବା କଟକଣା ଓ ଆଇନଗୁଡିକୁ କଡାକଡି କରାଯିବା ଉଚିତ । ଏହା ସହିତ ବ୍ୟାପକ ସଚେତନତା କରାଯିବା ମଧ୍ୟ ଆବଶ୍ୟକ ।
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)