ମୁଖ୍ୟମନ୍ତ୍ରୀ-ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର, କହିଲେ ଗୃହ ବିଭାଗ ଛାଡ଼ନ୍ତୁ ନବୀନ

ନରସିଂହ ଉଭୟ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କୁ କାଠଗଡ଼ାକୁ ଟାଣିଛନ୍ତି ।

Narsingh Mishra

ନବ ଦାସ ମୃତ୍ୟୁର ତଦନ୍ତ ପ୍ରକ୍ରିୟାକୁ ନେଇ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ SIT ତଦନ୍ତ ନିହାତି ଜରୁରୀ । SIT ତଦନ୍ତ ସପକ୍ଷରେ ପୁଣି ମତବ୍ୟକ୍ତ କରିଛନ୍ତି ନରସିଂହ ମିଶ୍ର । ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ୱାବଧାନରେ SIT ଗଠନ କରିବାକୁ ସେ ଦାବି କରିଛନ୍ତି । ଏହାସହ ଓଡ଼ିଶା ପୋଲିସର ତଦନ୍ତ ଉପରେ ତାଙ୍କର ବିଶ୍ୱାସ ନଥିବା କହିଛନ୍ତି ।

ଖାଲି ସେତିକି ନୁହେଁ 'ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନାଁରେ ବିଭିନ୍ନ ଅଭିଯୋଗ ଆସୁଥିବା କହିଛନ୍ତି ନରସିଂହ । ଚିଟ୍‌ଫଣ୍ଡ ଆଦି ମାମଲାରେ CBI ତଦନ୍ତରୁ କ’ଣ ଫଳ ମିଳିଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । 'ନବ ଦାସ ହତ୍ୟା ମାମଲାରେ CBI ତଦନ୍ତ କଲେ ବି କିଛି ମିଳିବନି' । 'ନବ ଦାସ ହତ୍ୟା ମାମଲାରେ ସମସ୍ତେ ଚାହାନ୍ତି ନିରପେକ୍ଷ ତଦନ୍ତ' ବୋଲି କହିଛନ୍ତି ନରସିଂହ ।

ଅନ୍ୟପଟେ ‘ଯେଉଁ ତଦନ୍ତରେ ଲୋକେ ସନ୍ତୁଷ୍ଟ ନୁହଁନ୍ତି, ସେଭଳି ତଦନ୍ତ ଉଚିତ ନୁହେଁ । ‘ପୋଲିସ ଡିଜିଙ୍କ କର୍ତ୍ତବ୍ୟ ହେଉଛି ଘଟଣାକୁ ସ୍ପଷ୍ଟ କରି ଜଣାଇବା । ଓଡ଼ିଶାର ଜଣେ ପୋଲିସ ଡିଜି ଥିବା ଭଳି ମନେ ହେଉନି । ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ।’ ଏଭଳି କହି ନରସିଂହ ଉଭୟ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କୁ କାଠଗଡ଼ାକୁ ଟାଣିଛନ୍ତି ।

ଏହାସହ ନରସିଂହ ଆହୁରି କହିଛନ୍ତି ଯେ, ଏଠି ଗୃହ ବିଭାଗ ମୁଖ୍ୟ ନିଦାବିଷ୍ଣୁ ସାଜିଛନ୍ତି । ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଗୃହ ବିଭାଗ ଛାଡ଼ନ୍ତୁ । ଜଣେ ଦକ୍ଷ ଲୋକଙ୍କୁ ଗୃହ ବିଭାଗ ଦାୟିତ୍ୱ ଦେଇ ପଦ ଛାଡ଼ନ୍ତୁ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ନରସିଂହ ।