Congress Has Insulted the Constitution
ରାହୁଲ ଗାନ୍ଧୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ଉପରେ ବର୍ଷିଲା ବିଜେପି। ଏହା ସମ୍ବିଧାନ ବଞ୍ଚାଓ ଅଭିଯାନ ନୁହେଁ, କଂଗ୍ରେସ ବଞ୍ଚାଅ ଅଭିଯାନ। ପ୍ରେସମିଟରେ ବିଜେପି କହିଛି, କଂଗ୍ରେସ ଆକ୍ଷେପ ଦର୍ଶାଉଛି ରାଜ୍ୟରେ କଂଗ୍ରେସ ଆଜି ବି ହତାଶା ଭିତରେ ରହିଛି। ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି। କଂଗ୍ରେସ ଗଣତନ୍ତ୍ରର କଥା କହିବା, ନିଜେ କାଚଘରେ ରହି ଅନ୍ୟକୁ ପଥର ଫୋପାଡିବା ସହ ସମାନ।
ଏଥିସହ ବିଜେପି ଅଭିଯୋଗ କରିଛି, ଗଣତନ୍ତ୍ରକୁ ହତ୍ୟା କରିଛି କଂଗ୍ରେସ। ତାଙ୍କ ଦଳରେ ଅଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ। ନେହେରୁଙ୍କ ସମୟରେ ବାପା-ଝିଅ ଓ ଇନ୍ଦିରା ଗାନ୍ଧୀଙ୍କ ସମୟରେ ମାଆ, ପୁଅ ଓ ଏବେ ମାଆ-ପୁଅ-ଝିଅ-ଜ୍ୱାଇଁଙ୍କ ଦଳ ହେଇକି ଅଛି। ଅନ୍ୟ ସମସ୍ତେ ଆୟ ରାମ ଗୟା ରାମ। ଗଣତନ୍ତ୍ର କଥା କହୁଥିବା କଂଗ୍ରେସ ପ୍ରଥମେ ସମ୍ବିଧାନକୁ ସଂଶୋଧନ କରିଥିଲା। କଂଗ୍ରେସ ଅସ୍ତଗାମୀ ରାଜନୈତିକ ଦଳ। ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବାରୁ ଓଡିଶା ମାଟିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଭୁଲ୍ ମାଗନ୍ତୁ ବୋଲି ବିଜେପି କହିଛି। ଅନ୍ୟପଟେ ବିଜେପିର ଅଭିଯୋଗ ଉପରେ କଂଗ୍ରେସର ପ୍ରତିକ୍ରିୟା ମିଳି ପାରିନି।
ଅଧିକ ପଢ଼ନ୍ତୁ :ଆଜି ଆସୁଛନ୍ତି ରାହୁଲ ଗାନ୍ଧି, ବରମୁଣ୍ଡାରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ
ତେବେ ଆଉ କିଛି ସମୟ ପରେ ଓଡ଼ିଶାରେ ପହଞ୍ଚିବେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଭୁବନେଶ୍ୱର ବରମୁଣ୍ଡା ହାଇସ୍କୁଲ୍ ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ମହାସମାବେଶରେ ଯୋଗଦେବେ। ସାଢେ ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ରାହୁଲ ଗାନ୍ଧୀ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଗସ୍ତ ପାଇଁ ଚଳଚଞ୍ଚଳ କଂଗ୍ରେସ କ୍ୟାମ୍ପ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ତେଣୁ ରାହୁଲଙ୍କ ଏହି ଗସ୍ତକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ବ ଦିଆଯାଉଛି।
ରାଜ୍ୟ ଓ କେନ୍ଦ୍ରର ବିଜେପି ସରକାରଙ୍କୁ କେଉଁ କେଉଁ ପ୍ରସଙ୍ଗରେ ଟାର୍ଗେଟ୍ କରିବେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ରାହୁଲଙ୍କ ଗସ୍ତ କଂଗ୍ରେସର ସ୍ଥିତିକୁ ଆହୁରି ମଜଭୁତ କରିବ ବୋଲି ନେତା ଓ କର୍ମୀମାନେ ଆଶା ରଖିଛନ୍ତି। ତାଙ୍କର ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ବେଶ୍ ଉତ୍ସାହିତ। ସମାବେଶକୁ ସଫଳ ପାଇଁ ପିସିସି ସଭାପତି ଭକ୍ତଚରଣ ଦାସଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା, ଯୁବ ଓ ଛାତ୍ର କଂଗ୍ରେସ ମଧ୍ୟ ସମସ୍ତ ବଳ ଖଟାଇଛନ୍ତି। ରାହୁଲଙ୍କୁ ସ୍ବାଗତ ପାଇଁ ସହରର କୋଣ ଅନୁକୋଣରେ ପୋଷ୍ଟର, ବ୍ୟାନର୍ ଛାଇଯାଇଛି। ସଭାସ୍ଥଳରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାହୁଲଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ମଧ୍ୟ ଓଡ଼ିଶା ଆସୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752212619.jpg)