• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୌମ୍ୟରଂଜନ ପଟ୍ଟନାୟକଙ୍କ ଖବର କାଗଜରେ ପୁଣି ଏକ ଶାଣିତ ନିବନ୍ଧ । ନବୀନଙ୍କ ଲୋକପ୍ରିୟତାର ଦ୍ରୁତ ହ୍ରାସବେଳେ ଅଭିଯୋଗ ଶୁଣାଣି ଆଳରେ 5T ସଚିବଙ୍କ ମହାରାଜା ମାର୍କା ଗସ୍ତକୁ ନେଇ ପ୍ରଶ୍ନ ଉଠାଇ ଢେର କିଛି ଲେଖିଛନ୍ତି ସ୍ତମ୍ବକାର ରାଜେଶ ନାୟକ । ଜଣେ ଅଣ ଓଡ଼ିଆ ଅଫିସରଙ୍କ ଆଗରେ ପୂର୍ଣ୍ଣ ସମର୍ପିତ ବିଜେଡି ନେତାଙ୍କୁ ଶବ୍ଦ ବାଣରେ ଘାଇଲା କରିବା ସହ ଓଡ଼ିଆ ଅସ୍ମିତା ନଭୁଲିବାକୁ ଚେତାଇ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ..ଫାଇଭ୍ ଟି ସଚିବ..ବିଜେଡି ନେତା..ସାଂପ୍ରତିକ ସ୍ଥିତିରେ ଏମାନଙ୍କୁ ବିଶ୍ଳେଷଣ କରି ନିଜ ନିବନ୍ଧ ଶବ୍ଦବାଣରେ କାହାକୁ ବି ଛାଡ଼ିନାହାନ୍ତି ସ୍ତମ୍ଭକାର ରାଜେଶ ନାୟକ । ଦୈନିକ ଖବରକାଗଜ ସମ୍ବାଦର ସଂପାଦକୀୟ ପୃଷ୍ଠାରେ ବିଜେଡି: ଆପଣା ହସ୍ତେ ଜିହ୍ଵା ଛେଦି-ଶୀର୍ଷକ ଭିନ୍ନ ବିଚାରରେ ଓଡ଼ିଶାବାସୀ କିପରି ନବୀନଙ୍କ ଦୃତ ଗତିରେ ଆସ୍ଥା ଓ ବିଶ୍ୱାସ ହରାଉଛନ୍ତି ତାର ଅବତାରଣା କରିଛନ୍ତି ।

ରାଜେଶ ଲେଖିଛନ୍ତି ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ସର୍ଭେ ଆଧାରରେ ଗତ ବର୍ଷକ ଭିତରେ ନବୀନଙ୍କ ଲୋକପ୍ରିୟତା ୧୭ ପ୍ରତିଶତ କମିଛି । ତେଣେ ନିଜକୁ ସୁପର୍ ଚିଫ୍ ମିନିଷ୍ଟର ଭାବେ ଉପସ୍ଥାପିତ କରି ଫାଇଭ୍ ଟି ସଚିବ ପୂରା ଶାସନ ଓ ପ୍ରଶାସନକୁ ଆଙ୍ଗୁଠି ଅଗରେ ନଚାଉଥିବା ସାରା ଓଡ଼ିଶାବାସୀ ଦେଖୁଛନ୍ତି । ପାଣ୍ଡିଆନଙ୍କ ହେଲିକପ୍ଟର ଉଡାଣ ଯେତିକ ବେଗରେ ଉପରକୁ ଉଠୁଛି, ଠିକ୍ ସେତିକି ବେଗରେ ନବୀନଙ୍କ ଲୋକପ୍ରିୟତା ତଳକୁ ଖସୁଛି । ପାଣ୍ଡିଆନଙ୍କ ମହାରାଜା ମାର୍କା ଅଭିଯୋଗ ଶୁଣାଣି ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଆଲୋଚନା ହେଉଛି ।

ହିସାବକୁ ନେଲେ ବର୍ଷକ ଭିତରେ ନବୀନଙ୍କ ପ୍ରତି ଏକ ପ୍ରତିଶତ ଲୋକପ୍ରିୟତା ହ୍ରାସ ପାଇଁ ବିଜୁ ଜନତା ଦଳ ସରକାର ପାଖ ପାଖି ୧୭ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ତା’ସହ ବିଜେଡିର ନିଜସ୍ୱ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କଠୁ ଯଥେଷ୍ଟ ଅଧିକ ପାଣ୍ଡିଆନଙ୍କ ପ୍ରଚାର ହେଉଛି । ଗତ ୧୨ ମାସରେ ବିଭିନ୍ନ ଗଣମାଧ୍ୟମରେ ସରକାରୀ ଖବର ଭିତରୁ କେବଳ ପାଣ୍ଡିଆନଙ୍କ ସଂପର୍କିତ ଖବର ୭୦ ପ୍ରତିଶତ ରହିଛି । ତେଣେ ନବୀନଙ୍କ ଲୋକପ୍ରିୟତା ହ୍ରାସକୁ ନେଇ କିନ୍ତୁ ଖୋଦ୍ ବିଜେଡି ଭିତରେ ବି ଭିନ୍ନମତ ।

ନବୀନଙ୍କ ଲୋକପ୍ରିୟତା ହ୍ରାସ ପାଉଛି, ହେଲେ ବିଜେଡି ନେତାମାନଙ୍କୁ ଏଭଳି ଆତ୍ମଘାତୀ ନିଷ୍ପତି ସଂପର୍କରେ କେହି ଆତ୍ମସଚେତନ କରାଇବାକୁ ଚେଷ୍ଟା କଲେ ପାଣ୍ଡିଆନ୍ ଲାଭାର୍ଥୀମାନେ ବାଚାଳଙ୍କ ପରି ବିଳିବିଳେଇ ହେଉଛନ୍ତି ଓ ପାଣ୍ଡିଆନଙ୍କ ଅସଲ ଚେହେରା ଉପରୁ କେହି ପରଦା ହଟାଇଦେଲେ କିଛି ଓଡ଼ିଆ ବୋଲକରା ଓ ତୋଷାମଦିଆଙ୍କ ଛାତି ଫାଟି ଯାଉଛି ବୋଲି ନିବନ୍ଧରେ ଲେଖିଛନ୍ତି ରାଜେଶ ।

ରାଜେଶ କହିଛନ୍ତି ସେମାନେ ବୋଧେ ଜାଣନ୍ତିନି ଯେ, ନବୀନ ହେଉଛନ୍ତି ବିଜେଡିର ମଝି ଓରା ସଦୃଶ । ଯାହା ଖସିଗଲେ ଦଳ ତାସ୍ ଘର ପରି ଭୁଶୁଡ଼ି ପଡ଼ିବ । ସେକଥା ନଭାବି ଓଲଟା ସାମନ୍ୟ ଜଣେ ପ୍ରଶାସନିକ ଅଧିକାରୀଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଓ ଅହଂକାରର ପୃଷ୍ଟି ପାଇଁ ଦଳର ସଂପୂର୍ଣ୍ଣ ସଂଗଠନ ଆଣ୍ଠେଇ ପେଟେଇ ଆଣ୍ଠୁଗଣ୍ଠି ଛିଣ୍ଡାଉଛି ବୋଲି ଦର୍ଶାଇଛନ୍ତି ରାଜେଶ । ପାଣ୍ଡିଆନ କରୁଥିବା ସଭାରେ ନେତା କି ମନ୍ତ୍ରୀଙ୍କୁ ନରଖି ନବୀନଙ୍କୁ ଜଣେ ଅତ୍ୟନ୍ତ ଦୁର୍ବଳ ଓ ଅସହାୟ ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣ କରିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ରାଜେଶ । ତାସହ ନବୀନଙ୍କ ଶାସନରେ ଓଡ଼ିଶା ଖଣି ଲୁଟ୍‌ର ରାଜଧାନୀ ପାଲଟିଛି ଓ ସେ କଳାଟଙ୍କା ହିଁ ରାଜ୍ୟ ରାଜନୀତିକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରୁଛି ବୋଲି ଉଲ୍ଲେଖ କରିଛନ୍ତି ରାଜେଶ ।

ଯେହେତୁ ବିଜେଡିରେ ପାଣ୍ଡିଆନଙ୍କୁ ଅଘୋଷିତ ମୁଖ୍ୟମନ୍ତ୍ରୀ ଓ ସୁପ୍ରିମୋ ଭାବେ ଗ୍ରହଣ କରିନିଆ ଗଲାଣି, ସେଥିରୁ ଅନୁମାନ କରାଯାଇପାରେ ଯେ ଓଡ଼ିଶାକୁ ଦଖଲ କରି ଓଡ଼ିଆଙ୍କୁ କ୍ରୀତଦାସ କରି ରଖିବାକୁ ସବୁ ଯୋଜନା ଏବେ ଶେଷ ପର୍ଯ୍ୟାୟରେ । ଏକ ଆଞ୍ଚଳିକ ଦଳ ଜରିଆରେ ଜଣେ ଅଣଓଡ଼ିଆ ସମଗ୍ର ଓଡ଼ିଶାର ଅସ୍ମିତା, ସଂପଦ ଓ ସ୍ୱାଭିମାନକୁ ଖୋଲାଖୋଲି ଲୁଟ୍ କରୁଛି ହେଲେ ଆମେ ସମସ୍ତେ ନପୁଂସକ ଭଳି ଦେଖୁଛେ ବୋଲି ଉଲ୍ଲେଖ କରିଛନ୍ତି ସ୍ତମ୍ବକାର ରାଜେଶ ନାୟକ । ତେବେ ତାଙ୍କର ହଠାତ୍ ଏଭଳି ଶାଣିତ ନିବନ୍ଧକୁ ନେଇ ନେଇ ରାଜ୍ୟ ରାଜନୀତିରେ ବି ଜୋରଦାର ଚର୍ଚ୍ଚା ।