Advertisment

କାଲିଠୁ ମୋହନ ସରକାରଙ୍କ ପ୍ରଥମ ବଜେଟ୍ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

ରାଜ୍ୟ ରାଜନୀତିରେ ଆଜି ଦେଖିବାକୁ ମିଳିଛି କିଛି ବିରଳ ପ୍ରଥା । ଚଳିତ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ମୋହନ ମାଝୀ ।

undefined

Budget Session

Advertisment

କାଲିଠୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ପ୍ରଥମ ଥର ଲାଗି ବସିବାକୁ ଯାଉଥିବା ଏହି ଅଧିବେଶନ ପୂର୍ବରୁ ନବୀନଙ୍କୁ ଭେଟିଲେ ମୋହନ । ବିଧାନସଭା ପରମ୍ପରା ଇତିହାସରେ ପ୍ରଥମ । ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ । ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ଆମନ୍ତ୍ରଣ କଲେ । ଅଧିବେଶନର ସମସ୍ତ କାର୍ଯ୍ୟ ଦିବସରେ ଗୃହରେ ଉପସ୍ଥିତି ପାଇଁ ନିବେଦନ ବି କଲେ । ଓଡ଼ିଶାର ବିକାଶ ପାଇଁ ବିରୋଧୀ ଦଳ ନେତା ଭାବେ ନବୀନ ଯେଉଁ ଗଠନମୂଳକ ପ୍ରସ୍ତାବ ଦେବେ ତାକୁ ବିଜେପି ସରକାର ଗ୍ରହଣ କରିବେ ବୋଲି କଥା ଦେଲେ ।

Advertisment

ଯଦିଓ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଥିବା ସର୍ବଦଳୀୟ ବୈଠକକୁ ନବୀନ ଆସିନଥିଲେ, ହେଲେ ଯୋଗ ଦେଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଥିଲେ । ଗୃହ ସୁରୁଖୁରୁରେ ଚଳାଇବା ନେଇ ଉଭୟ ଦଳର ନେତାଙ୍କ ସହ କଥା ହୋଇଥିଲେ ବାଚସ୍ପତି । କିନ୍ତୁ ବୈଠକରେ ଯୋଗ ଦେଇନଥିଲା କଂଗ୍ରେସ । ବୈଠକ ହେବା ସୁଦ୍ଧା ବିଧାୟକ ଦଳ ନେତା ସ୍ଥିର ହୋଇନଥିବାରୁ କେହି ଯୋଗ ଦେଇ ପାରିଲେନି ବୋଲି କହିଛନ୍ତି ତାରା ବାହିନୀପତି ।

ଅନ୍ୟପଟେ ବିଧାନସଭାର ପ୍ରଥମ ତଥା ବଜେଟ୍ ଅଧିବେଶନ ମୋହନ ସରକାର ପାଇଁ ବେଶ ଚାଲେଞ୍ଜିଂ ରହିବ । କାହିଁକି ନା ସରକାରଙ୍କୁ ଘେରିବାକୁ ବିଧାୟକ ଦଳ ବୈଠକ କରି ପ୍ରସ୍ତୁତ ହୋଇଛି ବିରୋଧୀ ବିଜେଡି । ଆଡ଼ପ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣା, ରାଜ୍ୟପାଳଙ୍କ ପୁଅ ବିବାଦ ପ୍ରସଙ୍ଗ, ଦରଦାମ ବୃଦ୍ଧି, ଧାନ MSP ୩୧୦୦କୁ ବୃଦ୍ଧି, ୩୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶ୍ରୁତି କଥା ଉଠାଇ ନୂଆ ସରକାରଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଛି ବିଜେଡି ।

Advertisment

ଏପଟେ ବିଧାନସଭା ପରିସରରେ ଆଜି ବସିଛି ବିଜେପି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିରୋଧୀଙ୍କ କାଉଣ୍ଟର କରିବା ସହ କେଉଁ ପ୍ରସଙ୍ଗ ବିଧାନସଭାରେ ଉଠାଇବେ ସେ ନେଇ ଚର୍ଚ୍ଚା ଆଲୋଚନା ହୋଇଛି । ବିଶେଷ କରି ମୋହନ ସରକାରଙ୍କ ୪୦ ଦିନର ଉପଲବ୍ଧି କଥା ବିଧାନସଭାରେ ରଖିବ ଦଳ । ସରକାରକୁ ଆସୁ ଆସୁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ସୁଭଦ୍ରା ଯୋଜନା ପାଇଁ ପ୍ରକ୍ରିୟା ଆରମ୍ଭ, ଏହା ସହ ପୂର୍ବ ନବୀନ ସରକାରର ୨୪ ବର୍ଷର କଳା ଚିଠା ଖୋଲି ବିଜେଡିକୁ କାଉଣ୍ଟର କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଆସନ୍ତାକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସିବ ।

ଆସନ୍ତାକାଲି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ସପ୍ତଦଶ ଅଧିବେଶନ । ୨୪ରେ ଉପବାଚସ୍ପତି ନିର୍ବାଚନ । ଆଉ ୨୫ରେ ଆସିବ ମୋହନ ସରକାରଙ୍କ ପ୍ରଥମ ବଜେଟ୍ ।

Advertisment

BJD BJP Odisha Assembly Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ