ରାଜ୍ୟକୁ କେନ୍ଦ୍ରର ଚେତାବନୀ, ଲୋକଙ୍କୁ ଜମି ପଟ୍ଟା ଦିଅ ନହେଲେ ଫେରିଯିବ ଆବାସ

ଅନିଶ୍ଚିତତାରେ ଭୂମିହୀନ ଆବାସ ଆଶାୟୀଙ୍କ ଭାଗ୍ୟ । ଡିସେମ୍ବର ୧୫ସୁଦ୍ଧା ହିତାଧିକାରୀଙ୍କୁ ଜମିପଟ୍ଟା ଦିଅ କହିଲା କେନ୍ଦ୍ର ।

PMAY

ରାଜ୍ୟ ସରକାରଙ୍କୁ କେନ୍ଦ୍ରର କଡ଼ା ତାଗିଦ୍ । ୧୫ ତାରିଖ ସୁଦ୍ଧା ଦିଅ ଭୂମିହୀନ ଆବାସ ହିତାଧିକାରୀଙ୍କୁ ଜମି । ନଚେତ୍ ପ୍ରତ୍ୟାହାର ହେବ ଆବାସ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ କଳି ଭିତରେ ପୁଣି ନୂଆ କେଁ । ରାଜ୍ୟକୁ ଚିଠି ଲେଖି କଡ଼ା ଚେତାବନୀ ଦେଇଛି କେନ୍ଦ୍ର । ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଲେଖିଥିବା ଚିଠି ଅନୁସାରେ, ରାଜ୍ୟରେ ୫୭ ହଜାର ୯୩୨ ଜଣ ଭୂମିହୀନ ହିତାଧିକାରୀ ଥିଲେ । ସେମାନଙ୍କ ଭିତରୁ ୩୯ ହଜାର ୮୯ ଜଣଙ୍କୁ ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଅବଶିଷ୍ଟ ୧୮ ହଜାର ୮୪୩ ଭୂମିହୀନ ନିଜସ୍ୱ ଜମି ପଟ୍ଟା ନ ଥିବାରୁ ଆବାସ ଯୋଜନା ପାଇପାରୁନାହାନ୍ତି ।

ଓଡ଼ିଶା ସମେତ ୫ ରାଜ୍ୟରେ ଦେଶର ୯୨ ପ୍ରତିଶତ ଭୂମିହୀନ ଆବାସ ଯୋଜନା ହିତାଧିକାରୀ ଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଭୂମିହୀନ ହିତାଧିକାରୀଙ୍କୁ ରାଜ୍ୟ ସରକାର ଆସନ୍ତା ୧୫ ତାରିଖ ସୁଦ୍ଧା ଜମି ଯୋଗାଇ ଦେବା ସହ ଆବାସ ଯୋଜନା ମଞ୍ଜୁର କରିବାକୁ କୁହାଯାଇଛି । ନଚେତ ମଞ୍ଜୁର ହୋଇଥିବା ଆବାସ ଘର କେନ୍ଦ୍ର ପ୍ରତ୍ୟାହାର କରିନେବ ବୋଲି ଚେତାବନୀ ଦେଇଛି । କେନ୍ଦ୍ର ସରକାରଙ୍କ ଏଭଳି ଚିଠିକୁ ନେଇ ତେଜିଛିି ରାଜନୀତି । ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିିଛନ୍ତି ବିଜେପି ଓ ବିଜେଡି । କଂଗ୍ରେସ କହିଛି ସରକାର ଭୂମିହୀନଙ୍କୁ ତୁରନ୍ତ ଜମି ପଟ୍ଟା ଯୋଗାଇ ଦିଅନ୍ତୁ । ନଚେତ୍ କେନ୍ଦ୍ରକୁ ସମୟ ମାଗନ୍ତୁ ।

ରାଜ୍ୟରେ ଆବାସ ଯୋଜନାର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଭୋଗରାଇ ବ୍ଲକ୍ ନହରା ଗାଁର ଲୁଷା ବାସ୍କେ । ପକ୍କା ଘର ଖଣ୍ଡେ ପାଇବାକୁ ପିଏମ୍ ଆବାସ ଯୋଜନାରେ ନାଁ ଚଢ଼ିଛି । ହେଲେ ଲୁଷାଙ୍କ ନାଁରେ ଜମି ପଟ୍ଟା ଖଣ୍ଡେ ନାହିଁ । ତେଣୁ ତାଙ୍କୁ ମିଳୁନି ଆବାସ ଯୋଜନାର ଲାଭ । କେବଳ ଲୁଷା ନୁହନ୍ତି ରାଜ୍ୟରେ ହଜାର ହଜାର ଭୂମିିହୀନଙ୍କର ସମାନ ଅବସ୍ଥା । ନିଜ ନାଁରେ ଜମି ପଟ୍ଟା ନଥିବାରୁ ଆବାସ ଯୋଜନା ପକ୍କା ଘର ଏମାନଙ୍କ ପାଇଁ ସ୍ୱପ୍ନ ହୋଇ ରହିଛି ।

ରାଜ୍ୟରେ ୧୮ ହଜାର ୮୪୩ ଜଣ ଭୂମିହୀନ ଆବାସ ଯୋଜନା ହିତାଧିକାରୀ ଥିବା ନେଇ ନଭେମ୍ବର ୨୫ରେ କେନ୍ଦ୍ର ସରକାର ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ । ତେବେ ଏହାର ଦିନକ ପୂର୍ବରୁ ବିଧାନସଭାରେ ସରକାର ରଖିଥିବା ତଥ୍ୟ କିନ୍ତୁ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ରାଜ୍ୟର ୫୭ ହଜାର ୧୧୬ ଭୂମିହୀନ ହିତାଧିକାରୀଙ୍କ ମଧ୍ୟରୁ ୫୦ ହଜାର ୮୩୦ ଜଣଙ୍କୁ ଘର ଡିହ ଯୋଗାଇ ଦିଆଯାଇଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ । କେନ୍ଦ୍ର- ରାଜ୍ୟ ତଥ୍ୟରେ ମେଳ ନଥିବା ବେଳେ ହିତାଧିକାରୀଙ୍କ ପକା ଘର ସ୍ୱପ୍ନ କେବେ ପୁରା ହେଉଛି ତାହା ଦେଖିବା କଥା ।