• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ସହ ଦେଶର ପ୍ରଥମ ନାଗରିକ ଭାବେ ରାଇସିନା ହିଲ୍ସକୁ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସେ ୟୁପିଏର ଯଶବନ୍ତ ସିହ୍ନାଙ୍କୁ ବିପୁଳ ଭୋଟରେ ହରାଇ ଦମଦାର ବିଜୟ ହାସଲ କରିଛନ୍ତି । ଦ୍ରୌପଦୀଙ୍କ ବିଜୟ ଖୁସିକୁ ବିଜେପି ଜାତୀୟ ଉତ୍ସବ ଭଳି ପାଳନ କରିଛି । ଏପଟେ ଭାରତୀୟ ଗଣତାନ୍ତ୍ରିକ ଇତିସାହରେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ ।

ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଇତିହାସ ରଚିଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଗତ ୧୮ ତାରିଖରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଆଜି ଗଣତି ଆରମ୍ଭରୁ ଭାରି ରହିଥିଲା ଦ୍ରୌପଦୀଙ୍କ ପଲ୍ଲା । ଦିଲ୍ଲୀ ସଂସଦ ଭବନର ୬୩ ନମ୍ବର କକ୍ଷରେ ସକାଳ ୧୧ଟାରୁ ଆରମ୍ଭ ହୋଇଥିବା ଗଣତିର ପ୍ରତି ପର୍ଯ୍ୟାୟରେ ୟୁପିଏ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କଠାରୁ ଆଗରେ ରହିଥିଲେ ଦ୍ରୌପଦୀ । ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ଗଣତି ବେଳକୁ ପ୍ରଥମ ୧୦ଟି ରାଜ୍ୟର ଗଣତି ଆଧାରରେ ଦ୍ରୌପଦୀ ମୁୁର୍ମୁ ୧୩୪୯ ଭୋଟ୍ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଯୋଶବନ୍ତ ସିହ୍ନା ପାଇଥିଲେ ୫୩୭ ଭୋଟ୍ ।

ଏପଟେ ଦ୍ରୌପଦୀ ମୁର୍ମୁଙ୍କ ନିଶ୍ଚିତ ବିଜୟ ସମ୍ଭାବନା ପରେ ଆଜିର ଦିନକୁ ଜାତୀୟ ଉତ୍ସବ ଭଳି ପାଳନ କରିଛି ବିଜେପି । ବିଜୟ ପରେ ଦ୍ରୌପଦୀଙ୍କୁ ଭବ୍ୟ ସ୍ୱାଗତ ଉଦ୍ଦେଶ୍ୟରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ରାଜପଥ ଅଭିମୁଖେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଥିଲା ଦଳ । ରାଲିରେ ଦଳର ବହୁ ବରିଷ୍ଠ ଓ ପ୍ରମୁଖ ନେତା ସାମିଲ ହୋଇଥିଲେ ।

 

ସେହିଭଳି ପ୍ରତ୍ୟେକ ରାଜ୍ୟରେ ବିଜେପି ପକ୍ଷରୁ ରଙ୍ଗାରଙ୍ଗ ଉତ୍ସବର ଆୟୋଜନ କରାଯାଇଥିଲା । ଆଉ ଏ ଖୁସିର ମୁହୂର୍ତ୍ତକୁ ଅତି ଜାକଜମକରେ ପାଳନ କରିଥିଲା ରାଜ୍ୟ ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବାଜା-ବାଣ ଓ ନାଚ-ଗୀତ ସାଙ୍ଗକୁ ମିଠା ବାଣ୍ଟି ଖୁସି ମନାଇଥିଲେ ରାଜ୍ୟ ବିଜେପିର ଶହ ଶହ ନେତା, କର୍ମୀ ଓ ସମର୍ଥକ । ସେହିଭଳି ମୁର୍ମୁ ରାଜ୍ୟପାଳ ଥିବା ଝାଡ଼ଖଣ୍ଡ ବିଜେପି ପକ୍ଷରୁ ହୋଇଥିଲା ଜୋରଦାର ସେଲିବ୍ରେସନ୍ ।

ଆସନ୍ତା ୨୫ ତାରିଖରେ ଶେଷ ହେବାକୁ ଯାଉଛି ଭାରତର ଚତୁର୍ଦ୍ଦଶତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ଏହାପରେ ସେହିଦିନ ଦ୍ରୌପଦୀ ମୁର୍ମୁ ଦେଶରେ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷକ୍ତ ହେବେ ।