Advertisment

ଗ୍ରୀନ ସିଗ୍ନାଲ ଦେଲେ ମନ୍ତ୍ରୀ ! ବଦଳିବ ଲକ୍ଷ୍ମୀ ବସ୍‌ ନାଁ, ଆବଶ୍ୟକତା ନଥିବା ଜାଗାରେ ବନ୍ଦ ହେବ ?

ନବରଙ୍ଗପୁର, ଜୟପୁର, ରାୟଗଡ଼ା ସବୁଠି ଖୋଲା ଆକାଶ ତଳେ, ମାସ ମାସ ଧରି ଖତ ଖାଉଛି ଅରଖ ନୂଆ ଲକ୍ଷ୍ମୀ ବସ୍। ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ଯୋଜନାରେ କିଣା ହୋଇ ଆସିବା ପରେ ସେବାରେ ନଲାଗି ପଡ଼ିରହିଛି ଦାମୀ କମ୍ପାନୀର ବ୍ରାଣ୍ଡ ନ୍ୟୁ ଏସି ବସ୍।

author-image
Manoranjan Behera
LAccMI Bus

LAccMI Bus

ଖତ ଖାଉଛି ଲକ୍ଷ୍ମୀ ବସ୍। କୋଟି କୋଟି ଟଙ୍କାର ଦାମୀ କମ୍ପାନୀ ବସ୍ କିଣାଯିବାର ମାସ କେଇଟା ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷ୍ମୀ ବସ୍‌ର ସ୍ଥାୟିତ୍ୱକୁ ନେଇ ଉଠିଲାଣି ପ୍ରଶ୍ନ। ରାୟଗଡ଼ା, ନବରଙ୍ଗପୁର, ଜୟପୁର ଆଦି ଅନେକ ସହରରେ ଲକ୍ଷ୍ମୀ ବସ୍ ଯୋଜନାରେ ବହୁ ବସ୍ କିଣାଯାଇ, ସେବାରେ ନଲାଗି ପଡ଼ିରହିଥିବାରୁ ଏ ଯୋଜନାକୁ ନେଇ ସାଧାରଣରେ ସମାଲୋଚନା ବି ବଢି ଚାଲିଛି। ତେଣୁ ଏ ଯୋଜନା ଓ ସେବା ଆଉ ଚାଲିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ଲକ୍ଷ୍ମୀ ବସ୍ ସେବା ନୂଆ ନାଁରେ ଆଗକୁ ବଢ଼ିବା ନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ପରିବହନ ମନ୍ତ୍ରୀ।

Advertisment

ନବରଙ୍ଗପୁର, ଜୟପୁର, ରାୟଗଡ଼ା ସବୁଠି ଖୋଲା ଆକାଶ ତଳେ, ମାସ ମାସ ଧରି ଖତ ଖାଉଛି ଅରଖ ନୂଆ ଲକ୍ଷ୍ମୀ ବସ୍। ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ଯୋଜନାରେ କିଣା ହୋଇ ଆସିବା ପରେ ସେବାରେ ନଲାଗି ପଡ଼ିରହିଛି ଦାମୀ କମ୍ପାନୀର ବ୍ରାଣ୍ଡ ନ୍ୟୁ ଏସି ବସ୍। ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାକୁ ୨୦୨୩ ନଭେମ୍ବରରେ ଆସିଥିଲା ମୋଟ୍ ୪୧ଟି ଲକ୍ଷ୍ମୀ ବସ୍।

ପରେ ଦ୍ୱିତୀୟ ପର୍ଯ୍ୟାୟରେ ଗତ ଫେବ୍ରୁଆରୀରେ ଆସିଥିଲା ଆଉ ୮ଟି ଏସି ବସ୍। ଆଶ୍ଚର୍ଯ୍ୟର ବିଷୟ, ସେବେଠୁ ଏହି ବସ୍‌ ଗୁଡ଼ିକ ସେବାରେ ଲାଗିନି। ନବରଙ୍ଗପୁର ରିଜର୍ଭ ପୋଲିସ ପଡ଼ିଆରେ ଖୋଲା ଆକାଶ ତଳେ ସେମିତି ଖତ ଖାଉଛି। ସମାନ ଦୃଶ୍ୟ, ଜୟପୁରସ୍ଥିତ ନୂଆ ବସ୍ ଟର୍ମିନାଲର। ଏଠି ବି ଲକ୍ଷ୍ମୀ ବସ୍ ଯୋଜନାରେ ଆସିଥିବା ୧୨ଟି ଏସି ବସ୍ ଆଜି ଯାଏଁ ଚଳାଚଳ ନକରି ପଡ଼ିରହିଛି।

Advertisment

ଏପଟେ ରାୟଗଡ଼ା ଆରଏମସି ଅଫିସ ପ୍ରାଙ୍ଗଣରେ ବି ଅନୁରୂପ ଚିତ୍ର। ଏଠାକୁ ୯ଟି ଲକ୍ଷ୍ମୀ ବସ ଆସିବା ଦିନଠୁ ସେମିତି ପଡ଼ିରହିଛି। ସେବା ରହିତ ଏ ବସଗୁଡ଼ିକର ରକ୍ଷଣାବେକ୍ଷଣ ହୋଇପାରୁନଥିବାରୁ କେଉଁଠି ଡ୍ୟାସ ବୋର୍ଡ ଉପରେ ପରସ୍ତେ ଧୂଳି ଚଢ଼ିଲାଣି, ତ ଆଉ କେଉଁଠି ସିଟରୁ ବାହାରି ଗଲାଣି ତୁଳା। ନାମୀଦାମୀ କମ୍ପାନୀର ଏ ଚକାଚକ୍ ବସ୍‌ ଗୁଡ଼ିକ କିଣାଯାଇ ନଚାଲିବା ଫଳରେ ମାସ କେଇଟାରେ ଏଭଳି ସ୍ଥିତିକୁ ଦେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ।

୨୪ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ସାରା ରାଜ୍ୟରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଥିଲେ ତତ୍କାଳୀନ ବିଜେଡି ସରକାର। ରାଜ୍ୟର ଉପାନ୍ତ ମାଲକାନଗିରି ଜିଲ୍ଲାରୁ ପ୍ରଥମେ ଏ ଯୋଜନାର ଶୁଭାରମ୍ଭ ହୋଇ ପରେ ରାଜ୍ୟର ସବୁ ଜିଲ୍ଲାରେ ପଞ୍ଚାୟତରୁ ବ୍ଲକକୁ ଯୋଡ଼ିଥିଲା ଏ ବସ୍ ସେବା। ତେବେ ଅଧିଂକାଶ ଅଞ୍ଚଳରେ ଲକ୍ଷ୍ମୀ ବସରେ ଯାତ୍ରୀ ହେଉନଥିବା କିମ୍ବା ହାତଗଣତି ଯାତ୍ରୀଙ୍କୁ ନେଇ ବସ୍ ଗଡ଼ୁଥିବାର ବାରମ୍ବାର ଅଭିଯୋଗ ଆସିବାରେ ଲାଗିଛି।

ଏମିତି ଅନେକ ଅଞ୍ଚଳରେ ଆଦୌ ଆବଶ୍ୟକତା ନଥାଇ ବସ୍ ଗଡାଯାଉଥିବାରୁ ସରକାରୀ ତହବିଲରୁ ଦୈନିକ ଲକ୍ଷ ଲକ୍ଷ ଟଙ୍କା କ୍ଷତିଘଟୁଥିବା ନେଇ ସମାଲୋଚନା ବି ହେଉଥିଲା। ଆଉ ଏବେ ନିର୍ବାଚନ ପରେ ରାଜ୍ୟରେ ସରକାର ବଦଳି ଥିବାରୁ ଲକ୍ଷ୍ମୀ ବସ ଯୋଜନାର ଭବିଷ୍ୟତକୁ ନେଇ ବି ପ୍ରଶ୍ନ ଉଠିଥିଲା। ଏପରିସ୍ଥଳେ ଆଜି ପରିବହନ ମନ୍ତ୍ରୀ ଲକ୍ଷ୍ମୀ ବସ୍ ସେବାର ଭବିଷ୍ୟତକୁ ନେଇ ଦେଖା ଦେଇଥିବା ଦ୍ୱନ୍ଦ୍ୱ ଦୂର କରିବା ସହ ବସ୍ ସେବା ଚାଲୁର ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଆଗକୁ ମୁଖ୍ୟମନ୍ତ୍ରୀ ଯୋଜନାରେ ସରକାର ରାଜ୍ୟ ଓ ଆନ୍ତଃରାଜ୍ୟ ବସ୍ ସେବା ଯୋଜନା କରିଥିବାରୁ ଲକ୍ଷ୍ମୀ ବସ୍ ଯୋଜନା ଏହି ନୂଆ ଯୋଜନାକୁ ପରିବର୍ତ୍ତିତ ହେବା ଅନୁମାନ କରାଯାଉଛି।

(ରିପୋର୍ଟ-ରାୟଗଡାରୁ ରାକେଶ ପାଢୀ)

Odisha Politics
Advertisment
Advertisment