• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗୋରଖପୁର ମଠ ମହନ୍ତରୁ ବୁଲଡୋଜର ବାବା । ବିଜେପିର ଆଉ ଜଣେ ବଡ଼ ଚେହେରା, ଯାହାଙ୍କ ପାଇଁ ଉତ୍ତର ପ୍ରଦେଶରେ ପ୍ରଚଣ୍ଡ ବହୁମତ ହାସଲ ସହ ପୁଣିଥରେ କ୍ଷମତାକୁ ଫେରି ନୂଆ ଇତିହାସ ସୃଷ୍ଟି କରିଛି ବିଜେପି । ଆମେ କହୁଛୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଥା । ସମାଜବାଦୀ ପାର୍ଟିର ୟୁପି ଦଖଲ ସ୍ୱପ୍ନକୁ ଧୂଳିସାତ୍ କରି ଦ୍ୱିତୀୟ ଥର ପାଇଁ ପୁଣି ଯୋଗୀରାଜ୍ ଆରମ୍ଭ କରିବାକୁ ଯାଉଥିବା ଏ ଶକ୍ତିଶାଳୀ ନେତୃତ୍ୱ ପଛର ଜାଣିବା କାରଣ..

ବିଜେପି ପାଇଁ କେମିତି ଉପଯୋଗୀ ହେଲେ ଯୋଗୀ ?

ଦେଶର ରାଜନୈତିକ ଭାଗ୍ୟ ନିର୍ଣ୍ଣୟରେ ପ୍ରମୁଖ ଭୂମିକା ନିଭେଇ ଆସୁଥିବା ପ୍ରଦେଶ, ଉତ୍ତର ପ୍ରଦେଶରେ ସଦ୍ୟସମାପ୍ତ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ବିଜେପି ଅପେକ୍ଷା ଅଧିକ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କୁହାଯାଉଛି ଯେ, ଯୋଗୀଙ୍କ ପୁନଃକ୍ଷମତା ଦଖଲ ପଛରେ ରହିଛି ୫ବଡ଼ କାରଣ । ସେଗୁଡ଼ିକ ହେଲା ମଜଭୁତ୍ ପ୍ରଶାସନ, ତୁରନ୍ତ ଫୈସଲା, ଇମାନଦାର ଛବି, ପୋଲିସ ଏନକାଉଣ୍ଟର ଏବଂ ଆଇନଶୃଙ୍ଖଳା ।

ତେବେ ଯାହା ଏଥର ନିର୍ବାଚନରେ ଯୋଗୀଙ୍କ ଅନ୍ୟତମ ବଡ଼ ପରିଚୟ ପାଲଟିଥିଲା, ତା ଥିଲା ବୁଲଡୋଜର ସେ ବିଜେପିର ନିର୍ବାଚନ ପ୍ରଚାର ବେଳ ହେଉ କି ବହୁମତ ହାସଲ ପରର ରାଲି ସବୁଠି ଦେଖିବାକୁ ମିଳିଥିଲା ବୁଲଡୋଜରର ଜଲୱା । ଏଥର ପ୍ରଚାର ଆରମ୍ଭରେ ଏକ ନିର୍ବାଚନୀ ସଭାରେ ସପା ମୁଖ୍ୟ ଅଖିଳେଶ ଯାଦବ ହିଁ ଯୋଗୀଙ୍କୁ ବୁଲଡୋଜରର ବାବାର ଆଖ୍ୟା ଦେଇଥିଲେ । ଆଉ ସେଇଠୁ ବୁଲଡୋଜରକୁ ଅସ୍ତ୍ର କରି ଯୋଗୀ ଅଖିଳେଶ ଓ ସପା ନେତାଙ୍କ ଉପରେ କରିଚାଲିଥିଲେ ଆଟାକ୍ ଉପରେ ଆଟାକ୍ ।

ଏମିତିକି ଯୋଗୀ ତାଙ୍କ ସବୁ ନିର୍ବାଚନୀ ସଭାରେ ସିଧା ବିରୋଧୀଙ୍କୁ ନିଶାନା କରି-ମାଫିଆ, ଅପରାଧୀ, କଳାବଜାରୀ, ଅପହରଣକାରୀ ଓ ବେଆଇନ ସଂପତ୍ତି ଠୁଳକାରୀଙ୍କ ଉପରେ ୧୦ମାର୍ଚ୍ଚ ପରେ ବି ବୁଲଡୋଜର ଚାଲିବ ହିଁ ଚାଲିବ ବୋଲି କହିଚାଲିଥିଲେ, ଯାହାକି ସିଧା ଭୋଟରଙ୍କ ମନକୁ ଛୁଇଁବା ସହ ଦୃଢ଼ ବ୍ୟକ୍ତିତ୍ୱକୁ ପ୍ରତିପାଦିତ କରିଥିଲା । ଏଥିସହ ୮୦ ବନାମ ୨୦ ନାରା ବି ବଢ଼ାଇଥିଲା ପ୍ରଚାରର ଦମ୍ ।

ୟୁପିରେ କେଉଁ କାରଣରୁ ପୁଣି ଫେରିଲା ଯୋଗୀରାଜ ?

ବିରୋଧୀଙ୍କ ଚିତ୍ ଓ ଯୋଗୀଙ୍କ ଜିତ୍ ପଛରେ ବି ଲୁଚିଛି ଆଉ ଏକ ବଡ଼ କାରଣ । ତାହେଲା ମହିଳା ଭୋଟରଙ୍କ ମନ ଜିଣିବାର କୌଶଳ । କୁହାଯାଉଛି ରାସନ, ସୁଶାସନ ଓ ଅନୁଶାସନ ହିଁ ବିଜେପି ପାଇଁ ଏଥର ମ୍ୟାଜିକ୍ କଲା । କୋଭିଡ୍ କାଳରେ କେନ୍ଦ୍ର ପକ୍ଷରୁ ଘୋଷଣା ହୋଇଥିବା ମାଗଣା ରାସନ ଯୋଜନାର ସଫଳ ରୂପାୟନ, ଗୃହିଣୀଙ୍କୁ କିମିଆଁ କଲା । ଏଥିସହ ହିନ୍ଦୁ ହୁଅନ୍ତୁ କି ସଂଖ୍ୟାଲଘୁ, ବିନା ଭେଦଭାବରେ ସବୁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘରର ପଟ୍ଟା ମହିଳାଙ୍କ ନାଁରରେ କରିବା, ମାଗଣା ଉଜ୍ୱଳା ଗ୍ୟାସ୍ ଓ ସ୍ୱଚ୍ଛ ପିଇବା ପାଣି ଯୋଗାଣ ପ୍ରତିଶ୍ରୁତି ବି କାମ ଦେଲା ।

ଏହାଛଡ଼ା ତିନ୍ ତଲାକ୍ ଉଚ୍ଛେଦ ମଧ୍ୟ ମୁସଲିମ୍ ମହିଳାଙ୍କୁ ବିଜେପିର ନିକଟତର କରିଥିବା କୁହାଯାଉଛି । ଏଥିସହ ଆଖୁ କ୍ଷେତରେ ନିର୍ଭୟରେ କାମ କରିବା ହେଉ, କି ସ୍କୁଟି ଧରି ନିରାପଦରେ ଝିଅ ମାନେ ସ୍କୁଲ-କଲେଜ, ଟ୍ୟୁସନ୍ ଯିବା ଅବା ବିଳମ୍ବିତ ରାତିରେ ଜଣେ ଯୁବତୀ ଏକୁଟିଆ ଘରକୁ ଫେରିବା, ମହିଳାଙ୍କୁ ଉତ୍ପୀଡିତ କରୁଥିବା ସ୍ଥାନୀୟ ଗୁଣ୍ଡା ଓ ଅସାମାଜିକ ଯୁବକଙ୍କୁ ସାବାଡ୍ ଲାଗି ଯୋଗୀ ଗଢିଥିବା ଆଣ୍ଟି ରୋମିଓ ସ୍କାଡ୍ ବି ଗ୍ରାଉଣ୍ଡ୍ ଜିରୋରେ ଚମକପଦ ପରିଣାମ ଦେଇଥିବା କୁହାଯାଉଛି ।

ୟୁପିରେ ଖାଲି ଯୋଗୀ ରାଜ ଫେରିନି ବରଂ ଦୀର୍ଘ ୩୭ବର୍ଷ ପରେ କୌଣସି ଦଳକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟରେ କ୍ଷମତାସୀନ କରାଇବାର ଗୌରବ ବି ଦେଇଛନ୍ତି ଯୋଗୀ । ତାସହ ଜଣେ ୟୁପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୂର୍ଣ୍ଣ ୫ବର୍ଷ କ୍ଷମତାରେ ରହିବା ସହ ପୁଣି ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି । ଯୋଗୀଙ୍କର ଏ ଦକ୍ଷତା ଏବେ ବିଜେପିରେ କେବଳ ବଡ଼ ମାପକାଠି ସଦୃଶ ହୋଇନି ବରଂ ବୃହତ୍ତ ଚେହେରା ଭାବେ ପରିଗଣିତ ହୋଇଛି । ଏମିତିକି ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ସେକେଣ୍ଡ ମାସ୍ ଲିଡର ଭାବେ ବି ଯୋଗୀଙ୍କୁ ବିବେଚନା କଲେଣି ରାଜନୈତିକ ସମୀକ୍ଷକ ।