• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କ୍ରମାଗତ ସପ୍ତମ ଥର କ୍ଷମତା ହାତେଇ ବିଜେପି ରଚିଲା ଇତିହାସ । ୬୦ ବର୍ଷର ଇତିହାସରେ ସର୍ବାଧିକ ଆସନ ଜିତି ଲଗାତର ୭ମ ଥର ପାଇଁ ସରକାର ଗଢ଼ି ରେକର୍ଡ କରିବାକୁ ଯାଉଛି ଦଳ । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ବିଜେପି ମୋଟ୍ ୧୫୬ ଆସନ ପାଇବାକୁ ଯାଉଥିଲା ବେଳେ ଅତି ଦୟନୀୟ ପ୍ରଦର୍ଶନ ସହ କଂଗ୍ରେସ ମାତ୍ର ୧୭ଟି ଆସନରେ ସନ୍ତୁଷ୍ଟ ହେବାକୁ ଯାଉଛି । ଅପରପକ୍ଷେ ପ୍ରଥମ ଥର ପାଇଁ ରାଜ୍ୟରେ ବିଧାନସଭା ନିର୍ବାଚନ ଲଢ଼ିଥିବା ଆମ୍ ଆଦମି ପାର୍ଟି ସପକ୍ଷରେ ପଡ଼ିଛି ମାତ୍ର ୫ଟି ଆସନ । ଆଉ ବିଜେପିର ଏହି ଐତିହାସିକ ବିଜୟରେ ଉତ୍ସବ ମୁଖର ପଦ୍ମ ଶିବିର ।

ଗଣତି ହେବା ଆରମ୍ଭରୁ ଟ୍ରେଣ୍ଡକୁ ଦେଖିଲେ ଲାଗୁଥିଲା ଏଠି ଏକଜାଟ୍ ହେବାକୁ ଯାଉଛି ଏକଜିଟ୍ ପୋଲର ଫଳ । ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଭୀଷଣ ବିଜୟ ମୁହାଁ ହେଉଥିଲା ବିଜେପି । ସମୟ ବଢ଼ିବା ସହିତ ଦଳର ବିଜୟ ଗ୍ରାଫ୍ ବଢୁଥିଲା ତ ସାରା ଗୁଜରାଟରେ ବାଜୁଥିଲା ଉତ୍ସବର ବାଜା । ଦିନର ଆକାଶରେ ଫୁଟୁଥିଲା ଆତସବାଜିର ତାରା... ଖୁସିରେ ଝୁମୁଥିଲେ ନେତା, କର୍ମୀ, କର୍ମକର୍ତ୍ତା ।

ଗୁଜରାଟ କହିଲେ ମୋଦି, ମୋଦି କହିଲେ ଗୁଜରାଟ । ଏହାକୁ ପୁଣି ସତ ପ୍ରମାଣିତ କରିଛନ୍ତି ପ୍ରଧାନମନ୍ତ୍ରୀ । କାରଣ ଲଗାତର ସପ୍ତମ ଥର ପାଇଁ ଗୁଜରାଟରେ ବିଜୟ ଖୋଜୁଥିବା ବିଜେପି ପାଇଁ ଆଦୌ ସହଜ ନଥିଲା । ଏ ନିର୍ବାଚନ ଗଲାଥର ଭଲ ଫାଇଟ୍ ଦେଇଥିଲା କଂଗ୍ରେସ । (ବିଜେପିର ୯୯କୁ ୭୭ )ଲଗାତର ୬ ଟର୍ମର ଶାସନକାଳରେ ସ୍ୱାଭାବିକ ଭାବେ ସରକାର ବିରୋଧୀ ହାଓ୍ୱା ଥିଲା ।

ମହଙ୍ଗାଇ, ବେରୋଜଗାରୀ ଆଉ ତା ଭିତରେ ଭୋଟର ଠିକ୍ ପୂର୍ବରୁ ମୋର୍ବି ଟ୍ରାଜେଡି ବି ବଡ଼ ପ୍ରସଙ୍ଗ ଥିଲା । ସେଥିରେ ପୁଣି ଗୁଜରାଟର ଭୋଟ୍ ମୈଦାନରେ ନୂଆ କରି ଆମ୍ ଆଦମି ପାର୍ଟିର ଏଣ୍ଟ୍ରି ବି ଏକ ଅପରିକ୍ଷିତ ଚ୍ୟାଲେଞ୍ଜ୍ ଥିଲା । ହେଲେ ନିଜ ହୋମ୍ ଷ୍ଟେଟରେ ପାର୍ଟି ଷ୍ଟ୍ରାଟେଜିଷ୍ଟ, ବିଜେପିର ଚାଣକ୍ୟ ଅମିତ ଶାହଙ୍କୁ ଧରି ଏସବୁକୁ ଯେମିତି ଚୁଟକିରେ ସମ୍ଭାଳି ନେଇଥିଲେ ମୋଦି ।

ହାଓ୍ୱାରେ ରାଜନୀତି ହୁଏ, ହାଓ୍ୱାରେ ଭୋଟ୍ ବି ହୁଏ । ତେଣୁ ସରକାର ବିରୋଧୀ ହାଓ୍ୱାକୁ କେବଳ ଆଉ କେବଳ ମୋଦି ହାଓ୍ୱାରେ ବଦଳାଇବାକୁ ଏକାକି ୩୫ରୁ ଊର୍ଦ୍ଧ୍ୱ ରାଲି କଲେ, ଆଉ ସବୁଠି ଭୋଟରଙ୍କ ସାମ୍ନାକୁ ଆଣିଲେ ଭୂପେନ୍ଦ୍ର-ନରେନ୍ଦ୍ର ଯୋଡ଼ିକୁ । କାମ କଲା ଜବରଦସ୍ତ କାମ କଲା ମୋଦି ମ୍ୟାଜିକ୍...ଖାଟନୁଡିଆ ଆସନରୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ବି ରେକର୍ଡ ୧ ଲକ୍ଷ ୯୦ ହଜାରରୁ ଅଧିକ ଭୋଟରେ ଜିତିଲେ । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ୧୫୦ରୁ ଅଧିକ ଆସନ ପାଇ ଐତିହାସିକ ବିଜୟ ପାଇଲା ବିଜେପି । ଖୋଦ୍ ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୨୦୦୨ ନିର୍ବାଚନର ୧୨୭ ସିଟ୍ରେ ବିଜୟ ରେକର୍ଡ ଭାଙ୍ଗିଲା । ୧୯୮୫ରେ କଂଗ୍ରେସର ୧୪୯ ସିଟର ରେକର୍ଡକୁ ବି ଧୂଳିସାତ୍ କଲା ।

ବିଜେପିର ବିଜୟ ସୁନାମିରେ କଂଗ୍ରେସର ବୁଡ଼ିଗଲା ଭଳି ସ୍ଥିତି ପାଖାପାଖି ମୂଳପୋଛ । ଶେଷଥର ପାଇଁ ୧୯୯୦ରେ ଦଳ ୩୩ ସିଟ୍ ଜିତି ଯେଉଁ ପରାଭବ ପାଇଥିଲା । ଏଥର ତାଠୁ ଆହୁରି ଦୟନୀୟ ପ୍ରଦର୍ଶନ ସହ ୨୦ ତଳକୁ ଖସିଛି । ସେହିପରି ପ୍ରଥମ ଏଣ୍ଟ୍ରିରେ ଗୁଜରାଟ ଦଖଲର ସ୍ୱପ୍ନ ଦେଖୁଥିବା ଆମ୍ ଆଦମି ପାର୍ଟିକୁ ବି ଜୋରଦାର ଝଟକା ଲାଗିଛି । ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇପାରିନି ଆପ୍ । ଦଳର ମୁଖ୍ୟମନ୍ତ୍ରୀ ଚେହେରା ଇସୁଦାନ୍ ଗଡଭି ବି ୨୦ ହଜାରରୁ ଅଧିକ ଭୋଟରେ ହାରିଛନ୍ତି ।

ଗୁଜରାଟରେ ବିଜେପିର ସର୍ବକାଳୀନ ବୃହତ ବିଜୟ ପରେ ମୁଖ୍ୟମନ୍ତ୍ରୀ ଆସନ ବଜାୟ ରଖିବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ୍ । ଆସନ୍ତା ୧୨ ତାରିଖରେ ସରକାର ଶପଥ ନେବାକୁ ଯାଉଛି ଏବଂ ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବା ନେଇ ସୂଚନା ଦେଇଛନ୍ତି ନିଜେ ଭୂପେନ୍ଦ୍ର ।