ନୂଆ ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ପ୍ରଦୀପ୍ତ ନାଏକଙ୍କ ସ୍ଥାନ ନେଲେ ଜୟନାରାୟଣ ମିଶ୍ର । ପ୍ରଦୀପ୍ତ ନାଏକ ଦୀର୍ଘ ଦିନରୁ ଅସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି ।

Jay Narayan Mishra

ଜୟ ନାରାୟଣ ମିଶ୍ରଙ୍କୁ ମିଳିଲା ଗୁରୁଦାୟିତ୍ୱ । ନୂଆ ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର । ଏନେଇ ତାଙ୍କ ନାଁ ଘୋଷଣା କଲେ ରାଜ୍ୟ ବିଜେପି ସହପ୍ରଭାରୀ ବିଜୟ ପାଲ ସିଂ ତୋମାର । ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ରାଜ୍ୟରେ ଜଣେ ଫାୟାର ବ୍ରାଣ୍ଡ ଲିଡର ଭାବେ ପରିଚିତ । ୪ ଥରର ବିଧାୟକ ହେଉଛନ୍ତି ଜୟନାରାୟଣ ମିଶ୍ର ପୂର୍ବରୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଭାବେ କାଯର୍ୟ ତୁଲାଇଛନ୍ତି ଜୟନାରାୟଣ ମିଶ୍ର ।

ପ୍ରଦୀପ୍ତ ନାଏକଙ୍କ ସ୍ଥାନ ନେଇଛନ୍ତି ଜୟନାରାୟଣ । ଦୀର୍ଘ ଦିନରୁ ଅସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି ପ୍ରଦୀପ୍ତ ନାଏକ । ବିରୋଧୀ ଦଳ ନେତା ଭାବେ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜୟ ନାରାୟଣ । ସେ କହିଛନ୍ତି, ‘ପାରୁପର୍ଯ୍ୟନ୍ତ ଗୁରୁଦାୟିତ୍ୱ ତୁଲାଇବାକୁ ଚେଷ୍ଟା କରିବି । ମୋହନ ମାଝୀ ପବ୍ଲିକ ଆକାଉଣ୍ଟସ କମିଟି କଥା ବୁଝିବେ’ ।

 

ଅସୁସ୍ଥତା କାରଣରୁ ପ୍ରଦୀପ୍ତ ନାୟକ ଦୀର୍ଘ ଦିନ ହେବ ବିଧାନସଭା ଆସି ପାରୁନାହାନ୍ତି । ଆଉ ଏଥିପାଇଁ ନୂଆ ବିରୋଧୀ ଦଳ ନେତା ନିଯୁକ୍ତି ନେଇ ପୂର୍ବରୁ ଆଭାସ୍‌ ଦେଇଥିଲେ ବିଧାୟିକା କୁସୁମ ଟେଟେ । ବିିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀଦଳ ନେତା ବଦଳିପାରନ୍ତି ବୋଲି ସେ କହିଥିଲେ । କିନ୍ତୁ ତାହା ହେଲା ନାହିଁ । ଅନେକ ବିଚାର ବିମର୍ଷ ପରେ ଆଜି ଜୟ ନାରାୟଣଙ୍କ ନାଁ ଘୋଷଣା କରାଯାଇଛି । 

ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ନୂଆ ବିରୋଧୀ ଦଳ ନେତା ପାଇଁ ପ୍ରସ୍ତାବ ରଖିଥିଲେ ସବୁ ବିଜେପି ବିଧାୟକ । ରାଜ୍ୟ ସଭାପତିଙ୍କୁ ମଧ୍ୟ ବିଧାୟକମାନେ ଭେଟି ଅବଗତ କରାଇଥିଲେ । ଅଧିବେଶନ ପୂର୍ବରୁ ବିରୋଧୀଦଳ ନେତା ଦେବାକୁ ଉଭୟ ପ୍ରତିଶ୍ରୁତି ଦେଇଥିଲେ ।