ଝାଡ଼ଖଣ୍ଡ ପାଇଁ ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା, ଲିଷ୍ଟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ପ୍ରଥମରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଅଛନ୍ତି ।

Mohan Majhi

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ବିଜେପି । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ଭାରତୀୟ ଜନତା ପାର୍ଟି । ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ପ୍ରଥମରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଅଛନ୍ତି । ସେହିପରି ବିଜେପି ପକ୍ଷରୁ ଜାରି ହୋଇଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଜେପି ନଡ୍ଡା, ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡ଼କରୀ, ଶିବରାଜ ସିଂ ଚୌହାନ, ହିମନ୍ତ ବିଶ୍ୱ ଶର୍ମାଙ୍କ ଭଳି ବରିଷ୍ଠ ନେତା ସାମିଲ ଅଛନ୍ତି ।

ସୂଚନା ଅନୁସାରେ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ନଭେମ୍ବର ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ । ସେହିପରି ନଭେମ୍ବର ୨୦ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଅକ୍ଟୋବର ୧୮ରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୫ ଅକ୍ଟୋବରରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ । ଅକ୍ଟୋବର ୨୮ରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଅକ୍ଟୋବର ୩୦ରେ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ।

ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଅକ୍ଟୋବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୯ରେ ନାମାଙ୍କନ ଦାଖଲର ଶେଷ ତାରିଖ । ଅକ୍ଟୋବର ୩୦ରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ନଭେମ୍ବର ୧ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ । ତେବେ ଝାଡ଼ଖଣ୍ଡରେ ମଧ୍ୟ ନଭେମ୍ବର ୨୩ରେ ଭୋଟ୍ ଗଣତି ହେବ ।