BJP Strategy for 2024
ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିପୁଳ ସଫଳତା ପରେ ଓଡ଼ିଶାରେ ବି ମୋଦି ଗ୍ୟାରେଣ୍ଟି ଦେବ ବିଜେପି । ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ, ଚାଷୀ, ଛାତ୍ର ଓ ଯୁବବର୍ଗ ଓ ଆର୍ଥିକ ଗରିବ ଶ୍ରେଣୀ ଦଳର ଫୋକସରେ ରହିଛନ୍ତି । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ, ୨୪ ଘଣ୍ଟା ମଧ୍ୟରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ଥଙ୍କ ଟଙ୍କା ଫେରସ୍ତ ଲାଗି ବ୍ୟବସ୍ଥା କରିବ। ଯେଉଁମାନଙ୍କର ପକ୍କା ଘର ନାହିଁ ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଘର ଯୋଗାଇ ଦେବ । ପ୍ରତି ଘର ଲାଗି ଶୁଦ୍ଧ ପିଇବା ପାଣି ବ୍ୟବସ୍ଥା କରିବ । ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ବି ପଦକ୍ଷେପ ନେବ ।
ଯୁବ ଭୋଟରଙ୍କ ମନ ଜିଣିବା ଲାଗି ପ୍ରତିବର୍ଷ ଛାତ୍ର ସାଂସଦ ନିର୍ବାଚନ କରାଇବାକୁ ଦଳ ପ୍ରତିଶ୍ରୁତି ଦେବ। ଭୁବନେଶ୍ୱରରେ ଚାଲିଥିବା ରାଜ୍ୟ ପଦାଧିକାରୀ ବୈଠକରେ ୨୪ ସାଧାରଣ ନିର୍ବାଚନ ଲାଗି ଦଳ ଏଭଳି ରଣନୀତି ପ୍ରସ୍ତୁତ ନେଇ ଆଲୋଚନା ହୋଇଛି। ବିଜେପି ଯାହା କହେ କରି ଦେଖାଏ। ମୋଦି ଗ୍ୟାରେଣ୍ଟି ମାଧ୍ୟମରେ ରାଜ୍ୟବାସୀଙ୍କ ଏହି ବାର୍ତ୍ତା ଦେବାକୁ ଦଳ ଚେଷ୍ଟା କରିଛି। ତେବେ ଏସବୁ ବିଜେପି ମିଛ ପ୍ରତିଶ୍ରୁତି ଓ ଭୋଟଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି ବୋଲି କହିଛନ୍ତି କଂଗ୍ରେସ ଓ ବିଜେଡି।
ଭୁବନେଶ୍ୱରରେ ଚାଲିଥିବା ବିଜେପିର ୩ ଦିନିଆ ମାନସ ମନ୍ଥନ ଶେଷ ହୋଇଛି । ପ୍ରଥମ ଦିନ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ସମନ୍ୱୟ ବୈଠକରେ ଯୋଗ ଦେଇଥିବା ବେଳେ, ଶନିବାର ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତି ବୈଠକରେ କର୍ମୀଙ୍କ ମନ୍ତ୍ର ଦେଇଥିଲେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଆଜି ଶେଷ ଦିନରେ ସଂଯୁକ୍ତ ମୋର୍ଚ୍ଚାଗୁଡିକ ସହ ବୈଠକ କରିଥିଲେ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଆଜି ବୈଠକରେ ମହିଳା ଓ ନୂଆ ଭୋଟର ଦଳ ଫୋକସରେ ରହିଥିଲେ। ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ବିଜେପି ମହିଳା ମୋର୍ଚ୍ଚାକୁ ମନ୍ତ୍ର ଦେଇଛନ୍ତି ତୋମାର। ଏସଏଚଜି ରାଜ୍ୟର ନୁହେଁ କେନ୍ଦ୍ର ସରକାରଙ୍କର ବୋଲି ବାର୍ତ୍ତା ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ମୋଦିଙ୍କ ମହିଳା ସଶକ୍ତିକରଣ ଯୋଜନା ମହିଳାଙ୍କ ନିକଟରେ ପହଞ୍ଚାଇବା ଏବଂ ମହିଳାଙ୍କ ଉପରେ ବଢୁଥିବା ଅପରାଧ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅଭିଯାନ ଜୋରଦାର କରିବାକୁ କୁହାଯାଇଛି। ନୂଆ ଭୋଟରଙ୍କ ସହ ଯୋଡି ହେବାକୁ ଯୁବ ମୋର୍ଚ୍ଚାକୁ ଦାୟିତ୍ୱ ଦିଆଯାଇଛି। ମୋଦିଙ୍କ ୪ ବର୍ଗରେ କୃଷକ ସର୍ବାଗ୍ରେ ଥିବାରୁ କ୍ଷେତରୁ ମଣ୍ଡି ଯାଏଁ କୃଷକଙ୍କ ପାଖରେ ରହିବାକୁ ବିଜେପି କୃଷକ ମୋର୍ଚ୍ଚାକୁ କୁହାଯାଇଛି। ତିନି ଦିନିଆ କସରତରେ ଓଡ଼ିଶା ଦଖଲ ପାଇଁ ପୂରା ରୋଡମ୍ୟାପ୍ ସଂପର୍କରେ ଆଲୋଚନା ହେବା ସହ ୨୪ରେ ମେଣ୍ଟ ହେବାର ସମ୍ଭାବନା ନ ଥିବା କହିଛନ୍ତି କ୍ଷେତ୍ରୀୟ ପ୍ରଭାରୀ ବଂଶଲ। ପୁଣି ଏଥର ଲୋକସଭା ଅପେକ୍ଷା ବିଧାନସଭାକୁ ଅଧିକ ଫୋକସ୍ କରୁଛି ଦଳ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704032799.jpg)