• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯିଏ ମଦ ପିଇବ, ସେ ମରିବ । ମଦମୃତ୍ୟୁ ପାଇଁ ମିଳିବନି କୌଣସି ଅନୁକମ୍ପା ରାଶି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏଭଳି ମନ୍ତବ୍ୟକୁ ନେଇ ତେଜିଛି ରାଜନୀତି । ଏଥିସହ ସାରନ ମଦମୃତ୍ୟୁ ମାମଲା ରାଜ୍ୟ ସରକାରଙ୍କ ବିଫଳତା ବୋଲି ମଧ୍ୟ ଅଭିଯୋଗ ଆଣୁଛନ୍ତି ବିରୋଧୀ । ଏନେଇ ବିଧାନସଭାରେ ପ୍ରତିବାଦ ପ୍ରଦର୍ଶନ କରିଛି ବିଜେପି । ଦଳୀୟ ନେତାମାନେ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଦିଅନ୍ତୁ ବୋଲି ଦାବି କରିବା ସହିତ ଘଟଣାରେ ପ୍ରକୃତ ମୃତ୍ୟୁସଂଖ୍ୟା ଶହେ ଟପିଲାଣି ବୋଲି ଅଭିଯୋଗ କରିଛନ୍ତି । ଲୋକେ ଭୟରେ ପୋଲିସକୁ ନଜଣାଇ ବହୁ ମୃତଦେହର ଶେଷକୃତ୍ୟ କରିସାରିଛନ୍ତି ବୋଲି ଅଭିଯୋଗ ହୋଇଛି ।

ବିହାରରେ ୨୦୧୬ ମସିହାରେ ଲାଗୁ ହୋଇଥିଲା ମଦ ବ୍ୟାନ୍ । ତେବେ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତା କେତେ, ସାରନ ମଦମୃତ୍ୟୁ ମାମଲାରୁ ସ୍ପଷ୍ଟ ହୋଇଛି । ମଦବ୍ୟାନ୍ ଲାଗୁ ପରେ ବିଷାକ୍ତ ମଦ ପିଇ ଏତେ ସଂଖ୍ୟକ ମୃତ୍ୟୁ ହୋଇଥିବା କେବେ ଦେଖିବାକୁ ମିଳିନଥିଲା । ତେଣେ ଆଉ ଏକ ଉଦବେଗଜନକ ତଥ୍ୟ ହେଉଛି, ୨୦୧୬ ପରଠୁ ବେଆଇନ ମଦ ବ୍ୟବସାୟ ଅଭିଯୋଗରେ ଯେତେଜଣ ବି ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୧ ପ୍ରତିଶତ ବି କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇପାରିନାହାନ୍ତି ।

ଅଧିକ ପଢ଼ନ୍ତୁ: ‘ଯିଏ ମଦ ପିଇବ, ସିଏ ମରିବ’

ତଥ୍ୟ କହୁଛି, ୨୦୧୬ରୁ ଗତ ଅକ୍ଟୋବର ଭିତରେ ବିହାର ପୋଲିସ ଓ ଅବକାରୀ ବିଭାଗ ୪ ଲକ୍ଷ ମାମଲା ରୁଜୁ କରିଛି, ସାଢ଼େ ୪ ଲକ୍ଷ ଲୋକ ଗିରଫ ହୋଇଛନ୍ତି ଏବଂ ୧ ଲକ୍ଷ ୪୦ ହଜାର ଅଭିଯୁକ୍ତଙ୍କ ବିରୋଧରେ ମାମଲା କୋର୍ଟରେ ବିଚାର ହୋଇଛି । ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୧୩ଶହ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ଯାହାକି ୧ ପ୍ରତିଶତରୁ ବି କମ୍ । ତେବେ ଏତେ ସଂଖ୍ୟକ ଲୋକ ଗିରଫ ହେବା ଏବଂ ଜେଲରେ କଏଦୀଙ୍କ ଗହଳି ବଢ଼ିବା ଦେଖି ଗତବର୍ଷ ଏପ୍ରିଲରେ ମଦ ବ୍ୟାନ ଆଇନରେ ସଂଶୋଧନ ଅଣାଯାଇଛି ।

ଏହା ଅନୁସାରେ ପ୍ରଥମ ଥର ମଦ୍ୟପାନ କରି ଧରାପଡ଼ିଲେ ୨ହଜାରରୁ ୫ ହଜାର ଟଙ୍କା ଜରିମାନା ଦେଇ ଗିରଫଦାରୀକୁ ଏଡ଼ାଇ ହେବ । ସୂଚନା ଅନୁସାରେ, ୨୦୧୬ରୁ ବର୍ତ୍ତମାନ ସୁଦ୍ଧା ମୋଟ ୭୪ ହଜାର ରେଡ୍ ହୋଇଛି, ୨ କୋଟି ଲିଟର ମଦ ଏବଂ ୭୦ ହଜାର ଗାଡ଼ି ଜବତ ହୋଇଛି । ୨କୋଟି ଲିଟର ମଦ ଭିତରୁ ୮୦ ହଜାର ଲିଟର ଦେଶୀ ମଦ ।