• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନ ପୂର୍ବରୁ ବିଜେପିକୁ ଗ୍ରହଣ । ଆରମ୍ଭ ହୋଇଯାଇଛି ଦଳଡିଆଁ ପୂର୍ବ । ଉତ୍ତରପ୍ରଦେଶ ବିଜେପି ପାଇଁ ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ଲଗାତାର ପଦ୍ମ ପୋଖରୀ ଛାଡ଼ୁଛନ୍ତି ଲୋକେ । ଗତ କିଛି ଦିନ ମଧ୍ୟରେ ୯ ଜଣ ଟାଣୁଆ ନେତା ଦଳ ଛାଡ଼ିଛନ୍ତି । ଯୋଗୀ ସରକାରରେ ବିଧୁନା ବିଧାୟକ ବିନୟ ଶାକ୍ୟ ଏବଂ ଆୟୁଷ ମନ୍ତ୍ରୀ ଧର୍ମ ସିଂ ସୈନୀ ଇସ୍ତଫା ଆଜି ଦେଇଛନ୍ତି । ଧରମ ସିଂ ସୈନୀ ପ୍ରସାଦ ମୌର୍ଯ୍ୟଙ୍କ ଅତି ନିକଟତର । ତେଣୁ ପ୍ରସାଦ ମୌର୍ଯ୍ୟ ଦଳ ଛାଡ଼ିବା ପରେ ସେ ବି ତାଙ୍କ ରାସ୍ତାକୁ ବାଛିଛନ୍ତି ବୋଲି କୁହାଯାଉଛି ।  ଉଭୟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।

ସେହିପରି ବୁଧବାର ଦିନ ବିନୟ ଶାକ୍ୟ ବିଜେପି ଛାଡ଼ିବା ପାଇଁ ଘୋଷଣା କରିଥିଲେ । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଯେଉଁଆଡ଼େ ଯିବେ, ସେ ବି ସେଠାକୁ ଯିବେ ବୋଲି ସ୍ପଷ୍ଟ କରିଥିଲେ  । ବିନୟ ଶାକ୍ୟ ଗୁରୁବାର ଦିନ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବାସଭବନରେ ପହଞ୍ଚିଥିଲେ । ମା’ଙ୍କ ସହ ଯାଇ ସେଠାରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଭେଟିବା ସହ ଅନେକ ସମୟ ଧରି ଆଲୋଚନା ମଧ୍ୟ କରିଥିଲେ । ଇସ୍ତଫା ଦେବା ପରେ ରାଜ୍ୟ ବିଜେପି ବିରୋଧରେ ସେ ଅନେକ ଅଭିଯୋଗ ଆଣିଛନ୍ତି । ଦଳରେ ନା କୌଣସି କାମ ହେଉଛି, ନା ସମ୍ମାନ ମିଳୁଛି ବୋଲି ସେ କହିଛନ୍ତି । ଏବେ ସେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ସେ ଏକ ଚିଠି ପଠାଇଛନ୍ତି ।

ପାଞ୍ଚ ବର୍ଷ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟ ସରକାର ଦଳିତ, ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ତଥା ଜନ ପ୍ରତିନିଧୀଙ୍କ ପ୍ରତି କୌଣସି ଧ୍ୟାନ ଦେଇନାହାଁନ୍ତି ଏବଂ ସେମାନଙ୍କୁ ଉଚିତ୍ ସମ୍ମାନ ପ୍ରଦାନ କରାଯାଇ ନାହିଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଏହା ସହ ପ୍ରତିଶ୍ରୁତି ଦେଇ ଦଳିତ, ପଛୁଆ, କୃଷକ, ବେକାର ଯୁବକ, କ୍ଷୁଦ୍ର-ମଧ୍ୟମ ବ୍ୟବସାୟୀମାନେଙ୍କ ପ୍ରତି ରାଜ୍ୟ ସରକାର ଅନ୍ୟାୟ କରିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି କୂଟନୈତିକ ମନୋଭାବ ହେତୁ ମୁଁ ଭାରତୀୟ ଜନତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦଳିତ ତଥା ଦଳିତଙ୍କ ସ୍ୱର । ସେ ଆମର ନେତା, ମୁଁ ତାଙ୍କ ସହିତ ଅଛି କହି ସେ ଦଳରୁ ଇସ୍ତଫା ଦେଇଛନ୍ତି ।

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଦୁଇ ଦିନ ମଧ୍ୟରେ ବିଜେପି ଗୋଟିଏ ପରେ ଗୋଟିଏ ବଡ଼ ବିପର୍ଯ୍ୟୟର ସାମ୍ନା କରୁଛି । ଏହାକୁ ମିଶାଇ ଯୋଗୀଙ୍କ ତିନି ମନ୍ତ୍ରୀ, ୬ ଜଣ ବିଧାୟକ ଦଳ ଛାଡ଼ିଲେଣି । ପୂର୍ବରୁ ଦୁଇ ମନ୍ତ୍ରୀ ସପାରେ ସାମିଲ ହୋଇଥିବା ବେଳେ ଏବେ ଧରମ ସିଂହ ବି ଖୁବ୍ ଶୀଘ୍ର ସମାଜବାଦୀ ପାର୍ଟିରେ ସାମିଲ ହେବେ । ଦୁଇ ଦିନ ପୂର୍ବରୁ ସ୍ୱାମୀ ପ୍ରସାଦ ଦଳ ଛାଡ଼ିଥିଲେ । ୨୦୧୬ରେ ମାୟାବତୀଙ୍କ ବସପା ଛାଡ଼ି ବିଜେପିରେ ମିଶିଥିଲେ । ସେହିପରି ଗତକାଲି ଯୋଗୀଙ୍କ କ୍ୟାବିନେଟରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂହ ଚୌହାନ ମଧ୍ୟ ଇସ୍ତଫା ଦେଇଛନ୍ତି ।

ଗତ ୨ ଦିନ ମଧ୍ୟରେ ଇସ୍ତଫା ଦେଇଥିବା ଦାରା ସିଂ ହେଲେ ଷଷ୍ଠ ନେତା । ତେବେ ଏହାରି ମଧ୍ୟରେ ଜଣେ କଂଗ୍ରେସ ବିଧାୟକ ଏବଂ ଜଣେ ସପା ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ କିଛି ନୂଆ କଥା ନହେଲେ ସୁଦ୍ଧା ଅଳ୍ପ ଦିନ ବ୍ୟବଧାନରେ ଟାଣୁଆଳ ନେତା ଦଳ ଛାଡ଼ିବା ରାଜ୍ୟ ବିଜେପି ପାଇଁ ଶୁଭଙ୍କର ହୋଇନପାରେ ବୋଲି କୁହାଯାଉଛି ।